• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାର କାରଖାନାକୁ ନେଇ ଚରମସୀମାରେ ଅଶାନ୍ତି । ତୀବ୍ର ବିରୋଧ, ପ୍ରବଳ ଉତ୍ତେଜନା । ଗଂଜାମ ଛତ୍ରପୁର ନିକଟ କାଳୀପଲିରେ ଟାଟା ଅଧିକୃତ ଜମିରେ ଦୀପକ ଫର୍ଟିଲାଇଜରର ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ ଓ ପୋଲିସ । ଶତାଧିକ ମହିଳା ଓ ପୁରୁଷ, ପୋଲିସ କର୍ଡନ ଭାଙ୍ଗି ଧସେଇ ପଶିଛନ୍ତି । ସମ୍ପୂର୍ଣ୍ଣ ଜମିକୁ ନିଜ ଅକ୍ତିଆରକୁ ନେଇଛନ୍ତି । ଗାଁ ଲୋକଙ୍କ ଏକା ଜିଦ୍, ସାର କାରଖାନା ହେଲେ ବିଷାକ୍ତ ପାଣି ଓ ଧୂଆଁରୁ ରୋଗ ବ୍ୟାପିବ । ତେଣୁ ଗାଁ ପାଖରେ କରାଇ ଦେବେନି ବିଷାକ୍ତ କାରଖାନା ।

ସ୍ଥାନୀୟ ଅଂଚଳରେ କିଛି ଦିନ ହେଲା ନିର୍ମାଣ କାମ ଆରମ୍ଭ କରିଥିଲା ଦୀପକ ଫର୍ଟିଲାଇଜର । ଦୁଇ ଦିନ ହେଲା ଜୋରସୋରରେ ଚାଲିଥିଲା କାମ । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ଆଜି ଗାଁରେ ବୈଠକ କରିଥିଲେ । ଏହାପରେ ସିଧା ପଶିଆସିଥିଲେ ନିର୍ମାଣସ୍ଥଳକୁ । କମ୍ପାନୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ, ପୋଲିସ, ସମସ୍ତଙ୍କ ଉପସ୍ଥିତିରେ କରିଥିଲେ ଜୋରଦାର ପ୍ରତିବାଦ ।

ଛତ୍ରପୁର ନିକଟରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ୨୭ ବର୍ଷ ତଳେ ଜମି ନେଇଥିଲା ଟାଟା । ପ୍ଲାଣ୍ଟ ନହୋଇପାରିବାରୁ ବିଭିନ୍ନ କମ୍ପାନୀକୁ ଅଧିକୃତ ଜମିର କିଛି ଅଂଶ ବିକ୍ରି କରାଯାଇଥିଲା । ସେଥିରୁ ଜମି ନେଇ ସାର କାରଖାନା କରିବାକୁ ଅଂଟା ଭିଡିଥିଲା ଦୀପକ ଫର୍ଟିଲାଇଜର । ତେବେ କାରଖାନାକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଏହାରି ଭିତରେ କୋର୍ଟରୁ ଅର୍ଡର ଆଣି କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଛି ।