• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେମିତି ଘଟିଲା ଏତେ ବଡ଼ ଅଘଟଣ ? ମାଲଗାଡ଼ିକୁ କାହିଁକି ଧକ୍କା ଦେଲା ଦ୍ରୁତଗାମୀ ଏକ୍ସପ୍ରେସ କରମଣ୍ଡଳ ? ମେନ୍ ଲାଇନ୍‌ରୁ ଲୁପପାଇନକୁ କାହିଁକି ଗଲା ଟ୍ରେନ୍ ? କରମଣ୍ଡଳ ଡ୍ରାଇଭର କେଉଁ ସ୍ଥିତିରେ ଲାଇନ୍ ଚେଞ୍ଜ କଲେ ? ଗୋଟି ଗୋଟି କରି ସାମ୍ନାକୁ ଆସୁଛି ସତ । ବୟାନରେ ଗୁମର ଖୋଲିଛନ୍ତି, ଦୁର୍ଘଟଣା ପରେ ଦିଆସିଲି ଖୋଳ ପରି ଛିନଛତ୍ର ହୋଇଯାଇଥିବା କରମଣ୍ଡଳର ଲୋକୋ ପାଇଲଟ ।

ସେହି ଦୁଇ ଲୋକୋ ପାଇଲଟ୍ ହେଲେ ଗୁଣନିଧି ମହାନ୍ତି ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରା । ତଦନ୍ତକାରୀ ଟିମ୍ ପକ୍ଷରୁ ପ୍ରଥମେ ଅବସ୍ଥା ସୁଧୁରିବା ପରେ ମୁଖ୍ୟ ଲୋକୋ ପାଇଲଟ ଗୁଣନିଧିଙ୍କ ପ୍ରଥମ ପ୍ରତ୍ୟକ୍ଷଦର୍ଶୀ ଭାବେ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଗୁଣନିଧିଙ୍କ କହିବା କଥା, କରମଣ୍ଡଳ ଏକ୍ସପ୍ରେସର ନା ଥିଲା ଓଭରସ୍ପିଡିଂ ନା ଦିଆଯାଇଥିଲା ରେଡ୍ ସିଗ୍ନାଲ । ଗ୍ରୀନ୍ ସିଗ୍ନାଲ୍ ଥିବାରୁ ନିର୍ଦ୍ଧାରିତ ଗତିରେ ଟ୍ରେନ୍ ଯାଉଥିଲା ।

ଅଧିକ ପଢ଼ନ୍ତୁ: ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଉତ୍ତର ଖୋଜିବାକୁ ଆକ୍ସନ ମୋଡ୍‌ରେ CBI

କରମଣ୍ଡଳ ଏକ୍ସପ୍ରେସର ଅନୁମୋଦିତ ବେଗ ଥିଲା ଘଣ୍ଟାକୁ ୧୩୦ କିଲୋମିଟର । କିନ୍ତୁ, କରମଣ୍ଡଳ ୧୨୮ କିଲୋମିଟର ବେଗରେ ଗତି କରୁଥିଲା । ଆଉ ବାହାନଗା ଷ୍ଟେସନରୁ ମାତ୍ର କିଛି ଦୂରରେ କରମଣ୍ଡଳଟି ଗ୍ରୀନ୍ ସିଗ୍ନାଲ୍ ଥିବା ଲୁପ୍ ଲାଇନକୁ ଚାଲି ଯାଇ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁଣନିଧି ଏଭଳି ବୟାନ ଦେଇଥିବା କହିଛନ୍ତି, ରେଲୱେ ବୋର୍ଡ ସଦସ୍ୟ ଜୟାବର୍ମା ସିହ୍ନା ।

ତେବେ ଏତେ ବଡ଼ ଦୁର୍ଘଟଣାରୁ କେମିତି ବର୍ତ୍ତିଗଲେ ଦୁଇ ଲୋକୋ ପାଇଲଟ ଗୁଣନିଧି ଏବଂ ହଜାରୀ ? ମାଲଗାଡ଼ି ସହ ଧକ୍କା ଖାଇ ଉପରେ ପଡ଼ିଥିଲା କରମଣ୍ଡଳର ଇଞ୍ଜିନ । ସେହି ଇଞ୍ଜିନରେ ହିଁ ବସି ୨ ଲୋକୋ ପାଇଲଟ କରମଣ୍ଡଳକୁ ନେଇ ଲକ୍ଷ୍ୟସ୍ଥଳକୁ ଯାଉଥିଲେ । ଆଉ ଦୁର୍ଭାଗ୍ୟବଶତଃ ଆକସ୍ମିକ ଦୁର୍ଘଟଣା ଘଟିଲା । ଆଉ ମାଲ୍ ଗାଡ଼ିର ବଗି ଉପରେ ଚଢ଼ିଯାଇଥିଲା ତାହାର ଇଞ୍ଜିନ । ଯେଉଁ ଇଞ୍ଜିନ ଭିତରେ ରହିଯାଇଥିଲେ ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ହଜାରୀ ବେହେରା ।

ଗୁଣନିଧିଙ୍କୁ ରକ୍ତରଂଜିତ ଅବସ୍ଥାରେ ଉଦ୍ଧାର କରିଥିଲେ ଲୋକେ । ବର୍ତ୍ତମାନ ଗୁଣନିଧି ଏବଂ ହଜାରୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କହିଛି ରେଳ ବିଭାଗ । କେବଳ କରମଣ୍ଡଳ ଏକ୍ସପ୍ରେସର ଲୋକୋପାଇଲଟ୍ ନୁହଁନ୍ତି, ଲୁପ୍ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନର ଗାର୍ଡ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ତାଙ୍କର ମଧ୍ୟ ପ୍ରାଥମିକ ବୟାନ ରେକର୍ଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ସିବିଆଇ ଟିମ୍ ତଦନ୍ତ ଆରମ୍ଭ କଲେ ଏମାନଙ୍କୁ ପୁଣି ଥରେ ବିସ୍ତୃତ ଭାବେ ପଚରାଉଚୁରା କରାଯିବ ଓ ସତ ଖୋଜି ବାହିର କରିବାକୁ ଉଦ୍ୟମ ହେବ ।

ଅଧିକ ପଢ଼ନ୍ତୁ: ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର ଏବେ ବଡ଼ ଚ୍ୟାଲେଞ୍ଜ