• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରେ ହୁ ହୁ ବ୍ୟାପୁଛି ମୋବାଇଲ ଗେମ୍ ମାୟା ଜାଲ । ଟାଣି ହୋଇ ଯାଉଛନ୍ତି ଶିଶୁ ଓ ଯୁବ ପିଢ଼ି । ଏମ୍ପିଏଲ ବା ମୋବାଇଲ ପ୍ରିମିୟର ଲିଗ୍ ନାମକ ଏକ ଗେମିଂ ଫ୍ଲାଟଫର୍ମ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ ୨୦୨୨ରୁ ଆସିଛି ଏମିତି ଚିନ୍ତାଜନକ ତଥ୍ୟ । ବର୍ଷକ ଭିତରେ ଓଡ଼ିଶା ରେ ମୋବାଇଲ ଗେମ୍ ୟୁଜରଙ୍କ ସଂଖ୍ୟା ବଢିଛି ପ୍ରାୟ ୫୫ ପ୍ରତିଶତ, ଯାହାକି ସାରା ଦେଶରେ ଏକ ନମ୍ବର । ତା’ତଳକୁ ପଞ୍ଜାବ, ତାମିଲନାଡୁ, ପୁଡୁଚେରୀ ଓ ହିମାଚଳ ପ୍ରଦେଶ ଅଛନ୍ତି ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ରାଜଧାନୀ ଭୁବନେଶ୍ୱର ରେ ମୋବାଇଲ ଗେମ୍ ୟୁଜରଙ୍କ ସଂଖ୍ୟା ବଢିଛି । ୧୬ ଶହ ୫୨ ପ୍ରତିଶତ ସର୍ବାଧିକ ଖେଳା ଯାଉଥିବା ଗେମ୍ ଗୁଡିକ ହେଲା ଲୁଡୋ, ସାପ, କ୍ୟାରମ, ଫ୍ରୁଟ ଡାର୍ଟ ଓ ପଜଲ ପୋକର । ଯାହାର ମୁଖ୍ୟ ୟୁଜର୍ସ ହେଉଛନ୍ତି ଶିଶୁ ଏବଂ ସ୍କୁଲ ପିଲା । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଉଭୟ ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା ଆୟୋଗ । ଅଭିଭାବକଙ୍କ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିବାଳେ ଆଗକୁ ମୋବାଇଲ୍‌ର ନକରାତ୍ମକ ପ୍ରଭାବକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଏଥିସହ ରିପୋର୍ଟ ଆହୁରି ମଧ୍ୟ କହୁଛି ସର୍ବାଧିକ ମୋବାଇଲ ଗେମରଙ୍କ ସଂଖ୍ୟାରେ ଆଗରେ ରହିଛି ଉତ୍ତର ପ୍ରଦେଶ । ତାତଳକୁ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ମେଟ୍ରୋ ସିଟି ତୁଳନାରେ ଛୋଟ ସହର ଗୁଡିକରେ ଅଧିକ ବଢୁଛି ମୋବାଇଲ ଗେମ୍ ଡେଭଲପରଙ୍କ ସଂଖ୍ୟା । ଯାହାକୁ ନେଇ ଅଭିଭାବକ ବି ଟେନସନରେ । କେମିତି ମୋବାଇଲଠୁ ପିଲାକୁ ଦୂରଇବେ ଓ କେମିତି ସେମାନଙ୍କୁ ସଚେତନ କରାଇବେ, ସେନେଇ ଚିନ୍ତା ବଢ଼ିଛି । ଆଇଟି ବିଶେଷଜ୍ଞଙ୍କ ମତରେ ସ୍ପିଡ ଇଣ୍ଟରନେଟ କମ୍ ଦାମରେ ମିଳିବା ସହ ଆଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଆକର୍ଷଣୀୟ ଖେଳ ଆଡକୁ ଆକର୍ଷିତ ହୋଇ ଅଭ୍ୟାସରେ ପଡୁଛନ୍ତି ପିଲା । ଯଦ୍ୱାରା ସାଇବର ଠକେଇର ବି ଶକାର ହୋଇ ଅର୍ଥ ମଧ୍ୟ ହରାଉଛନ୍ତି ।

୧୫ ବିଲିଅନ ଡାଟା ଡାଉନଲୋଡ୍ ସହ ଗତବର୍ଷ ଭାରତ ବିଶ୍ୱରେ ସବୁଠୁ ଆଗରେ ଥିଲା । ୨୦୨୨ ଆର୍ଥିକ ବର୍ଷରେ ଇଣ୍ଡିଆ ଗେମିଂ ମାର୍କେଟ ୨.୬ ବିଲିଅନ ଡଲାର ବ୍ୟବସାୟ କରିଥିବା ବେଳେ ଆସନ୍ତା ୫ ବର୍ଷରେ ୮.୬ ବିଲିଅନ ଡଲାରରେ କାରବାର ପହଞ୍ଚିବା ଆକଳନ କରାଯାଇଛି ।