• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଟ୍ରୋଲ ପମ୍ପରେ ତେଲ ନାହିଁ, ରାସ୍ତାରେ ଯାତ୍ରୀ ବୋହିବାକୁ ବସ୍ ଗଡୁନି ଆଉ ବଜାରରେ ପର୍ଯ୍ୟାପ୍ତ ଜିନିଷ ପହଞ୍ଚି ପାରୁନଥିବାରୁ ଦର ଆକାଶଛୁଆଁ । ୧୦ ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନର ତୃତୀୟ ଦିନରେ ସଙ୍ଗୀନ ହୋଇଥିଲା ସାଧାରଣ 
ଲୋକଙ୍କ ଅବସ୍ଥା । ଆଜି ସକାଳୁ ଦିନ ତମାମ ସ୍ମାର୍ଟ ସିଟିର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସରିଯିବା ଆଶଙ୍କାରେ ପ୍ରବଳ ଭିଡ଼ ଜମାଇଥିଲେ ଲୋକେ । ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଥିବା ଦେଖାଯାଇଥିଲା ।

ରାଜ୍ୟର ଅନ୍ୟତମ ପ୍ରମୁଖ ବସଷ୍ଟାଣ୍ଡ ବରମୁଣ୍ଡାରୁ ଆଜି ହାତ ଗଣତି କେତୋଟି ବସ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗଡ଼ିଥିଲା । ଫଳରେ ତିନି ଦିନ ଧରି ଷ୍ଟାଣ୍ଡରେ ଅଟକି ରହିଥିବା ଲୋକେ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । କିନ୍ତୁ ରାଜ୍ୟର ସବୁ ଅଞ୍ଚଳରେ ବସ୍ ସେବା ସ୍ୱାଭାବିକ ହୋଇନଥିବାରୁ ନାହିଁନଥିବା ସମସ୍ୟା ଭୋଗିଛନ୍ତି ଲୋକେ ।

ଏପଟେ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଗୁରୁତର ପ୍ରଭାବିତ ହୋଇଛି ଅତ୍ୟାବଶ୍ୟକ ମାର୍କେଟ୍ । ରାଜଧାନୀର ୧ ନମ୍ବର ପରିବା ମାର୍କେଟର ସ୍ଥିତି ଗମ୍ଭୀର । ଦୁଇ ଦିନ ଧରି ରାଜ୍ୟ ବାହାରୁ ଆସୁଥିବା ପରିବା ଟ୍ରକ୍ ବାଟରେ ଅଟକି ରହିବା ପରେ ଆଜି କିଛି ଗାଡ଼ି ମାର୍କେଟ୍ ପହଞ୍ଚିଥିଲା । ତେବେ ମାଲ ଅନଲୋଡ୍ ବେଳକୁ ଅଧିକାଂଶ ପରିବା ପଚିସଢ଼ି ନଷ୍ଟ । କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପରିବା ପଚିଯିବାରୁ ବ୍ୟବସାୟୀ ବ୍ୟାପକ କ୍ଷତି ସହିଥିବା ବେଳେ ଏପଟେ ଖାଉଟି ଉପରେ ପଡ଼ିଛି ଚଢା ଦରର ବୋଝ ।

ସେହିଭଳି କଟକ ଛତ୍ରବଜାରରେ ବି ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ପାରିନଥିଲା ପରିବା । ଉଭୟ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରୁ ଆସୁଥିବା ପରିବା ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇନଥିବାରୁ ଛତ୍ରବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଅତ୍ୟାବଶ୍ୟକ ସାମଗ୍ରୀର ଏଭଳି ସମସ୍ୟା କେବଳ ଭୁବନେଶ୍ୱର କି କଟକ ନୁହେଁ, ପୁରା ରାଜ୍ୟକୁ ଘାରିଥିଲା । ଉପାନ୍ତ କୋରାପୁଟକୁ ଦୈନିକ ବହୁଳ ପରିମାଣର ମାଛ, ଚିକେନ୍, ଅଣ୍ଡା ଭଳି ସାମଗ୍ରୀ ଆନ୍ଧ୍ର ଓ ଛତିଶଗଡ଼ରୁ ଆସୁଥିଲା ବେଳେ ଏବେ ତିନି ଦିନ ହେବ ଜିଲ୍ଲାକୁ ଯୋଗାଣ ବନ୍ଦ ।

ତେଣୁ ଚାହିଦାକୁ ଦେଖି ଏଭଳି ସାମଗ୍ରୀ ଉପରେ ଅଧିକ ଦର କଷିଥିଲେ ବ୍ୟବସାୟୀ । ବଲାଙ୍ଗିରରେ ପେଟ୍ରୋଲଠୁ ପରିବା ଯାଏଁ ଯୋଗାଣ ସ୍ୱାଭାବିକ ହୋଇନଥିବାରୁ ହନ୍ତସନ୍ତ ହୋଇଥିଲେ ସାଧାରଣ ଲୋକେ । ତେବେ ଆନ୍ଦୋଳନର ତୃତୀୟ ଦିନରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଭଳି ଇନ୍ଧନ ଅଭାବ ସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।