/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679063163.jpg)
Driver Protest
ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ତୁଟିଲା ଲାଗି ରହିଥିବା ଅଚଳାବସ୍ଥା । ୩ ଦିନ ଧରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଥିବା ଡ୍ରାଇଭର ମହାସଂଘ ଶେଷରେ ଆନ୍ଦୋଳନକୁ ସ୍ଥଗିତ ରଖିଛି । ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ୩
ମାସିଆ ମହଲତକୁ ସମ୍ମାନ ଦେଇ ଏବଂ ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ମହାସଂଘ ୯୦ ଦିନ ପାଇଁ ଆନ୍ଦୋଳନରୁ ଓହରିଛି ।
ତା’ସହ ଚେତାବନୀ ଶୁଣାଇ ପ୍ରଶାନ୍ତ କହିଛନ୍ତି, ୯୦ ଭିତରେ ୧୦ ଦଫା ଦାବି ପୂରଣ ନହେଲେ ଯେଉଁଦିନ ୯୧ ଦିନ ପୂରିବ, ସେଦିନ ରାଜ୍ୟବ୍ୟାପି ହେବ ଭୟଙ୍କର ଆନ୍ଦୋଳନ । ଏପରିକି ନବୀନ ନିବାସ ସାମ୍ନାରେ ଡ୍ରାଇଭରମାନେ ଆତ୍ମାହୂତି ଦେବେ ବୋଲି କହିଛନ୍ତି ।
ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୧୭ । ଆଜିକୁ ୩ ଦିନ ଧରି ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପି ଅଚଳାବସ୍ଥା ଲାଗି ରହିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, କେଉଁଠି ଉପୁଜିଥିଲା ଆଇନଶୃଙ୍ଖଳା ସ୍ଥିତି ତ ଆଉ କେଉଁଠି ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଡ୍ରାଇଭର । ଆଜି ତୃତୀୟ ଦିନରେ ରାଜ୍ୟର ୪ଟି ସ୍ଥାନରେ ହୋଇଥିଲା ଡ୍ରାଇଭରଙ୍କ ମହାସମାବେଶ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ, ସମ୍ବଲପୁର, ବଣାଇ ଏବଂ ବୌଦ୍ଧରେ ବିଶାଳ ସମାବେଶ କରି ମେଳି ହୋଇଥିଲେ ଆନ୍ଦୋଳନରତ ଡ୍ରାଇଭର । ଆଜି ବି ରାସ୍ତାରୋକ ସହ ଯାନବାହନକୁ ଅଟକାଇ ଜାହିର କରିଥିଲେ ନିଜ ଉପସ୍ଥିତି । ଶେଷରେ ମୁଖ୍ୟ ଶାସନ ସଚିବଙ୍କ ବାରମ୍ବାର ଗୁହାରି ପରେ ଆଜି ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି ଡ୍ରାଇଭର ମହାସଂଘ ।
ଡ୍ରାଇଭର କଲ୍ୟାଣ ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନ୍ସନ୍ ଓ ରାଜପଥର ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ସହ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦଫା ଦାବି ଉଠାଇ ରାଜ୍ୟ ସରକାରଙ୍କୁ ନାକେଦମ କରିଥିଲେ ଡ୍ରାଇଭର । ଏହି ପ୍ରସଙ୍ଗରେ ଗୃହରେ ବି ଦେଖିବାକୁ ମିଳିଥିଲା ଅଚଳାବସ୍ଥା । ଏହାପରେ ବାଚସ୍ପତିଙ୍କ ରୁଲିଂ କ୍ରମେ ଆଜି ପରିବହନ ମନ୍ତ୍ରୀ ବିବୃତ୍ତି ରଖିଥିଲେ । ମୁଖ୍ୟ ଶାସନ ସଚିବ ଡ୍ରାଇଭର ସଂଘ ସହ ଆଲୋଚନା କରି ୩ ମାସ ସମୟ ମାଗି ଆଜି ବି ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ନିବେଦନ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ଦାବିରେ ଅଡ଼ିବସିଥିବା ଡ୍ରାଇଭର ମହାସଂଘ ପରବର୍ତ୍ତୀ ସମୟରେ ସବୁ ଦିଗକୁ ବିଚାର କରି ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏଭଳି ସ୍ଥିତିରେ ଆସନ୍ତା ୩ ମାସ ମଧ୍ୟରେ ନିଜ ପ୍ରତିଶ୍ରୁତିକୁ କେତେ ପୂରଣ କରୁଛନ୍ତି ରାଜ୍ୟ ସରକାର, ତାକୁ ଏବେ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)