• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? କାହା ଉପରେ ଭରସା କରିବେ ମୁଖ୍ୟମନ୍ତ୍ରୀ ? ସୁରେଶଙ୍କୁ ପୁଣି ମିଳିବ କି ଏକ୍ସଟେନ୍‌ସନ୍ ? ଆନୁଗତ୍ୟ ନା ଦକ୍ଷତା, କାମ ଦେବ କେଉଁ ଫର୍ମୂଲା ? ଫେବ୍ରୁଆରୀ ୨୮ରେ ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ୬-୬ ମାସ କରି ଦୁଇ ଥର ବର୍ଷେ ଏକ୍ସଟେନ୍‌ସନ୍ ଦିଆଯାଇ ସାରିଛି । ତେଣୁ ତାଙ୍କୁ ଆଉଥରେ ଏକ୍ସଟେନ୍‌ସନ୍ ଦିଆଯିବ ନା ନୂଆ କାହାକୁ ଆଣିବେ ରାଜ୍ୟ ସରକାର, ତାକୁ ନେଇ ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା । କାରଣ ସୁରେଶ ଏବେ ସରକାରଙ୍କ ପୂରା ଗୁଡ଼ବୁକ୍‌ରେ । କ୍ଷମତା କେନ୍ଦ୍ର ସହ ବି ଅତି ଉତ୍ତମ ସମ୍ପର୍କ, ଆଉ ସରକାରଙ୍କ YES MAN ।

ତେଣୁ ତାଙ୍କୁ ପୁଣି ଏକ ଛଅ ମାସିଆ ଏକ୍ସଟେନ୍‌ସନ୍ ମିଳିବା କଥା କୁହାଯାଉଛି । ଯଦି ଏହା ନୁହେଁ ତାହେଲେ ତାଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯିବ । ଏପରିକି ତାଙ୍କୁ OERC ଅଧକ୍ଷ ଭାବେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ କିନ୍ତୁ ଏଭଳି ବ୍ୟବସ୍ଥାର କଡ଼ା ସମାଲୋଚନା କରିଛନ୍ତି ।

ସୁରେଶଙ୍କୁ ପୁଣି ଏକ୍ସଟେନ୍‌ସନ୍ ନମିଳିଲେ କାହା ପାଖକୁ ଯିବ ସୁଯୋଗ ? ଦିଲ୍ଲୀ ଡେପୁଟେସନ୍‌ରେ ଥିବା ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା ଓ ରାଜ୍ୟରେ ଥିବା ସେଇ ବ୍ୟାଚ୍‌ର ରାଜକୁମାର ଶର୍ମା, ନିକୁଞ୍ଜ ସୁନ୍ଦରାୟ ଏବେ ରହିଛନ୍ତି । ସେପଟେ ୧୯୮୮ ବ୍ୟାଚ୍‌ର ସି.ଜେ ଭେନୁଗୋପାଳ, ପ୍ରଦୀପ୍ତ ମହାପାତ୍ର, ୧୯୮୯ ବ୍ୟାଚ୍‌ର ପ୍ରଦୀପ ଜେନା, ମୋନା ଶର୍ମା ଏବେ ରାଜ୍ୟରେ କାର୍ଯ୍ୟରତ । ହେଲେ ରେସ୍‌ରେ ଆଗରେ ବର୍ତ୍ତମାନର ଉନ୍ନୟନ କମିଶନର ପ୍ରଦୀପ ଜେନା ।

ଯଦି ଦିଲ୍ଲୀ ଡେପୁଟେସନରୁ ଫେରନ୍ତି ତାହେଲେ ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା ବି ରେସ୍‌ରେ ସବୁଠୁ ଆଗରେ ରହିବେ । ତେଣୁ ଏମାନଙ୍କ ଭିତରୁ କାହାକୁ ସୁଯୋଗ ମିଳୁଛି, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ହେଲେ ମୁଖ୍ୟ ଶାସନ ସଚିବ ଭାବେ ଜଣଙ୍କୁ ତୃତୀୟ ଥର ଲାଗି ଏକ୍ସଟେନ୍‌ସନ୍ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ମନୋଜ ମିଶ୍ର ଆଇଆରଟିଏସ୍‌ରୁ ଇସ୍ତଫା ଦେବା ପରେ ତାଙ୍କୁ ରାଜ୍ୟ ସରକାର ଠିକାରେ ପ୍ରମୁଖ ସଚିବ ନିଯୁକ୍ତି ଦେଇଛନ୍ତି । ତେଣୁ ସରକାର ଯାହା ଚାହିଁବେ ତାହା କରିପାରିବେ । ଏଭଳି ଟ୍ରେଣ୍ଡ ବ୍ୟୁରୋକ୍ରାସିରେ ଅସନ୍ତୋଷକୁ ବଢ଼ାଉଥିବା କୁହାଯାଉଛି ।