• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେହରେ ଥିଲା ଖାକି ବର୍ଦ୍ଦି । ମନ କିନ୍ତୁ ଜଳୁଥିଲା ଅପରାଧ ମାନସିକତାର ନିଆଁରେ । ଆଉ ସମୟ ଓ ମଉକା ଦେଖି ସର୍ଭିସ ପିସ୍ତଲ କାଢ଼ି ପଏଣ୍ଟବ୍ଲାଙ୍କରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ମାରିଦେଲା ଗୋପାଳ ଦାସ । ପୋଲିସ ASI ପଦବୀରେ ଥାଇ ଏବଂ ଭିଭିଆଇପିଙ୍କ ଗସ୍ତବେଳେ ସୁରକ୍ଷା ଦାୟିତ୍ବରେ ଥାଇ ଗୋପାଳର ଏଭଳି କାରନାମା ପରେ କିଏ ତାକୁ ରୁଗଣ ମସ୍ତିଷ୍କ କହୁଛନ୍ତି ତ କିଏ କହୁଛନ୍ତି ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା, ପୁଣି କିଏ କିଏ କହୁଛନ୍ତି ହତ୍ୟା ପଛରେ ଷଡ଼ଯନ୍ତ୍ର। ସତ ଯାହା ବି ଥାଉ, ଓଡ଼ିଶା ପୋଲିସକୁ କିନ୍ତୁ ଘାରିଛି ଗୋପାଳକାଣ୍ଡର ଭୟ ।

ଉଠିଛି ସୁସ୍ଥ ଶାରିରୀକ ଓ ମାନସିକ ପ୍ରସଙ୍ଗ । ଅର୍ଥାତ ଚାପଗ୍ରସ୍ତ ହୋଇ କାମ କରୁଛନ୍ତି କି ପୋଲିସ କର୍ମଚାରୀ ? ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ହେଉଛି ତ ? VIP-VVIPଙ୍କ ସୁରକ୍ଷା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ କେତେ ଫିଟ୍ ଅଛନ୍ତି ? ଆଇପିଏସ୍‌ଙ୍କ ଭଳି ଅନ୍ୟ ପୋଲିସ କର୍ମଚାରୀଙ୍କ କାହିଁକି ହେଉନି ମେଡ଼ିକାଲ୍ ଯାଞ୍ଚ ? ଓଡ଼ିଶା ପୋଲିସରେ ଆଉ କେତେ ଅଛନ୍ତି ଗୋପାଳ ? ତାକୁ ନେଇ ପ୍ରଶ୍ନ ଉଠିବା ପରେ ଖୋଜିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପିଏସଓମାନଙ୍କୁ କଣ କରିବା ଉଚିତ୍ ଓ ନକରିବା ଉଚିତ୍ ସେ ସଂପର୍କରେ ଜିଲ୍ଲାସ୍ତରରେ ହୋଇଛି କସରତ୍ ।

ସେହିପରି ପୋଲିସ କର୍ମଚାରୀଙ୍କ ଫିଟ୍ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପରିକି ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଶୈଳୀରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖି ଏସପିଜି ଢାଞ୍ଚା ଆପଣେଇବାକୁ ଯୋଜନା ହେଉଥିବା କହିଥିଲେ ପୋଲିସ ଡିଜି। 

ଆଇପିଏସ୍‌ଙ୍କୁ ବାର୍ଷିକ ଫିଟନେସ୍ ପରୀକ୍ଷା ବାବଦକୁ ମିଳିଥାଏ କେନ୍ଦ୍ରୀୟ ଅନୁଦାନ । ପୁରୁଷ IPSଙ୍କ ପାଇଁ ୨୫ ଶହ ଏବଂ ମହିଳା IPSଙ୍କ ପାଇଁ ୨୭ଶହ ଟଙ୍କା ଦିଆଯାଇଥାଏ । କିନ୍ତୁ ଓଡ଼ିଶା ପୋଲିସ କର୍ମଚାରୀଙ୍କ ଫିଟନେସ ନେଇ ମେଡିକାଲ ଟେଷ୍ଟ ପାଇଁ ସେଭଳି ବ୍ୟବସ୍ଥା ନାହିଁ। ରାଜ୍ୟରେ ଏବେ ୭୫ ହଜାର ପୋଲିସ କର୍ମଚାରୀ ପଦବି ଥିବାବେଳେ ଅଛନ୍ତି ପ୍ରାୟ ୬୦ ହଜାର । ଅର୍ଥାତ ଖାଲିଥିବା ବଳକା ୧୫ ହଜାର ପଦବୀର ଚାପ ପଡୁଛି ଏହି ୬୦ ହଜାର କର୍ମଚାରୀଙ୍କ ଉପରେ। ତା’ଉପରେ ପୁଣି ଆଇନଶୃଙ୍ଖଳା ସହ ତଦନ୍ତ ବୋଝ ।

ତେଣୁ ଦୈନିକ ଓଭରଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାର ଅବସର ପାଇବେ କେତେବେଳେ ? ୬୦ ହଜାର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେଉଁଠୁ ଆସିବ ଅନୁଦାନ ? ସେନେଇ କିଛିଦିନ ତଳେ ପୋଲିସ ଡିଜିଙ୍କ ସ୍ତରରେ ଏକ ବୈଠକ ବସିଥିଲା । ଏଥିରେ କେବଳ ୪୫ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେବଳ ୨/୩ ବର୍ଷ ବ୍ୟବଧାନରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗୋପାଳକାଣ୍ଡ ପରଠୁ ପୋଲିସ କର୍ମଚାରୀଙ୍କ ପାଇଁ ଫିଟନେସ ଫଣ୍ଡାକୁ ଆପଣାଇଥିବା ଓଡ଼ିଶା ପୋଲିସ କେତେ ସଫଳତା ପାଉଛି, ତାକୁ ଅପେକ୍ଷା ।