• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦଶରଥ ଦାଉନ୍ଦ । ଯିଏ କି ୩୦ ବର୍ଷ ହେବ ଦାଦର ଷ୍ଟେସନ୍‌‌ରେ କୁଲି କାମ କରୁଛନ୍ତି । ଦିନକୁ ୩୦୦ ଟଙ୍କାରୁ ଅଧିକ କେବେ ବି ରୋଜଗାର କରିନାହାନ୍ତି । ନିକଟରେ ଏହି ୬୨ ବର୍ଷିୟ କୁଲି ଦଶରଥଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଦଶରଥ ନିଜର ସଚ୍ଚୋଟ ପଣିଆ ପାଇଁ ଆଜି ସାରା ଦେଶରେ ଚର୍ଚ୍ଚିତ । ସାରା ଦେଶ ଆଜି ତାଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛି । ତାଙ୍କ ସଚ୍ଚୋଟତାକୁ ବାହାବାହା କରୁଛନ୍ତି ଦେଶବାସୀ ।

ଅଧିକ ପଢ଼ନ୍ତୁ: ସଫେଇ କର୍ମଚାରୀଙ୍କ ମହତପଣିଆ: ୩ ଲକ୍ଷ ଟଙ୍କାର ସୁନା ଚେନ୍‌ ପାଇ ଫେରାଇ ଦେଲେ

ତେବେ ପୁରା କାହାଣୀଟି ହେଲା, ଦଶରଥ ଦାଉନ୍ଦ ଷ୍ଟେସନ୍‌ରେ କୁଲି କାମ କରୁଥିଲେ । ହଠାତ୍‌ ଦେଖିଲେ ଏକ ଦାମୀ ଫୋନ୍‌ ଥୁଆ ହୋଇଛି । ଅର୍ଥାତ କେହି ଜଣେ ତାକୁ ଛାଡ଼ି ଚାଲିଯାଇଛି । ଯେଉଁଠି ଯାତ୍ରୀମାନେ ବସି ଟ୍ରେନ୍‌କୁ ଅପେକ୍ଷା କରନ୍ତି, ସେହିଠାରେ ଏହି ଦାମୀ ମୋବାଇଲଟିଏ ଥୁଆ ହୋଇଛି । ଆଉ କେହି ତା ପାଖରେ ନାହାନ୍ତି । ଏହି ମୋବାଇଲଟିକୁ ପାଇବା ପରେ ଦଶରଥ, ସିଧା ଯାଇ ଥାନାରେ ପହଞ୍ଚିଥିଲେ । ରେଳ ଷ୍ଟେସନ୍‌ରେ ଥିବା ରେଲୱେ ପୋଲିସ ଷ୍ଟେସନ୍‌ରେ ଦଶାରଥ ଏହି ମୋବାଇଲ ଧରି ପହଞ୍ଚିଲେ ଆଉ ତାକୁ ପୋଲିସ ଜିମାରେ ଦେଲେ ।

ମିଳିଥିବା ଖବର ଅନୁଯାୟୀ, ମୋବାଇଲର ଦାମ ୧.୪ ଲକ୍ଷ ଟଙ୍କା । ଏହା ହେଉଛି ଜଣେ ଫେମସ୍‌‌ ମେକ୍‌‌ଅପ୍‌ ଆଟିର୍ଷ୍ଟ ଦିପକ ସାୱନ୍ତଙ୍କ ମୋବାଇଲ ଫୋନ୍‌ । ଯିଏ କି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନିୟମିତ ମେକ୍‌‌ଅପ୍‌ ଆର୍ଟିଷ୍ଟ ଭାବେ ଜଣାଶୁଣା । ତେବେ ଦଶରଥ ଏହି ମୋବାଇଲକୁ ପୋଲିସ ଜିମା ଦେବା ପରେ, ଦିପକ ସାୱନ୍ତଙ୍କୁ ଯୋଗାଯୋଗ କରି ମୋବାଇଲ ଫେରାଇଥିଲା ପୋଲିସ । ଦିପକ ମୋବାଇଲ ପାଇବା ପରେ ଦଶରଥଙ୍କୁ ତାଙ୍କର ସଚ୍ଚୋଟତା ପାଇଁ ଏକ ହଜାର ଟଙ୍କା ପୁରସ୍କାର ଦେଇଥିଲେ । 

ସୋମବାର ପୂର୍ବାହ୍ନ ପ୍ରାୟ ୧୧.୪୦ ସମୟରେ ଦାଦର ଷ୍ଟେସନ୍‌ର ୪ ନମ୍ବର ପ୍ଲାଟ୍‌ଫମର୍ରୁ ଦଶରଥ ମୋବାଇଲଟିକୁ ପାଇଥିଲେ । ମୋବାଇଲଟିକୁ ପାଇବା ପରେ ସେଠାରେ ବସିଥିବା ଲୋକଙ୍କୁ, ଏହି ମୋବାଇଲ କାହାର ବୋଲି ପଚାରିଥିଲେ । କିନ୍ତୁ ସମସ୍ତେ ମନା କରିଥିଲେ । ତାପରେ ସେ ତୁରନ୍ତ ରେଲୱେ ପୋଲିସ ଥାନାକୁ ଯାଇ ମୋବାଇଲଟିକୁ ପୋଲିସ ଜିମା ଦେଇଥିଲେ ।

ମୋବାଇଲଟିକୁ ପୋଲିସ ଜିମା ଦେବା ପରେ ଦଶରଥ ଶାନ୍ତିରେ ଯାଇ ଶୋଇଥିଲେ । କିଛି ସମୟ ପରେ ପୋଲିସ ତାଙ୍କୁ ଡାକିଥିଲା । ଆଉ କହିଥିଲା ଏହି ମୋବାଇଲ ମାଲିକ କିଏ ତାହା ଜଣାପଡ଼ିଛି । ପୋଲିସ ବିଭାଗ ଏବଂ ଦିପକ ସାୱନ୍ତ ଦଶରଥଙ୍କ ଏଭଳି ସଚ୍ଚୋଟତାକୁ ଦେଖି ବେଶ ପ୍ରଶଂସା କରିଥିଲେ ।