• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଛି ଲୋକଙ୍କୁ ଅଧିକ ମଶା କାମୁଡ଼ନ୍ତି । ଅର୍ଥାତ୍‌ ଗୋଟିଏ ଯାଗାରେ ଯଦି ୪ରୁ ୫ ଜଣ ଛିଡ଼ା ହୋଇଛନ୍ତି କିନ୍ତୁ ସେଥିରୁ ଜଣେ କି ଦୁଇ ଜଣଙ୍କୁ ବେଶି ମଶା କାମୁଡ଼ିଥାନ୍ତି । ସେମାନେ ବିରକ୍ତି ପ୍ରକାଶ କରନ୍ତି । ଏମିତିକି କଥାରେ କଥାରେ କୁହନ୍ତି, ‘ଆରେ ମୋତେ ମଶା ମାନେ ଏତେ ଭଲ କାଇଁ ପାଉଛନ୍ତି । ମଶା ମାନେ ତମକୁ ଗେଲ କରୁ ନାହାନ୍ତି ଖାଲି ମୋତେ କାଇଁ ଇଞ୍ଜେକ୍ସନ ଫୋଡ଼ି ପକୋଉଛନ୍ତି ।’

ତେବେ ଅଧିକ ମଶା କାମୁଡ଼ିବା ପଛରେ ବୈଜ୍ଞାନିକ କାରଣ ରହିଛି । ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ମଶାମାନେ ଜାଣିଥାନ୍ତି କାହା ଦେହରେ କେମିତି ରକ୍ତ, ତେଣୁ ସେମାନେ ଲୋକ ଚିହ୍ନି ତାକୁ କାମୁଡ଼ିଥାନ୍ତି । ତେବେ ଆଜି ଆମେ ସେହି କଥା ଆପଣଙ୍କୁ କହିବୁ । କେଉଁମାନଙ୍କୁ ମଶାମାନେ ଅଧିକ କାମୁଡ଼ିଥାନ୍ତି ।

ଭେରିୱେଲ୍‌ ହେଲ୍ଥର କହିବାନୁଯାୟୀ, ଆମେ ଯେଉଁ ସମାଜରେ ବସବାସ କରୁଛନ୍ତି ସେହି ଲୋକମାନଙ୍କ ମଧ୍ୟରୁ ପାଖାପାଖି ୨୦ ପ୍ରତିଶତ ଲୋକଙ୍କୁ ଅଧିକ ମଶା କାମୁଡ଼ିଥାନ୍ତି । ସେମାନଙ୍କ ରକ୍ତ ମଶାମାନଙ୍କ ପାଇଁ ଅଧିକ ଆବଶ୍ୟକ । ଆଉ ମଶାମାନେ ତାହା ଜାଣିପାରନ୍ତି । କିନ୍ତୁ କିଛି ଲୋକ କହିଥାନ୍ତି ଯାହାର ରକ୍ତ ମିଠା, ସେମାନଙ୍କୁ ଅଧିକ ମଶା କାମୁଡ଼ିଥାନ୍ତି । କିନ୍ତୁ ବୈଜ୍ଞାନିକ ପଦ୍ଧତି ଅନୁସାରେ ଏହାର କୌଣସି ବାସ୍ତବତା ନାହିଁ । ଅଧିକ ମଶା କାମୁଡ଼ିବା ପାଇଁ ଆପଣଙ୍କ ରକ୍ତର ପ୍ରକାର ହିଁ ଦାୟୀ । ଖାଲି ସେତିକି ନୁହେଁ ଏହାଛଡ଼ା ଅନେକ କିଛି କାରଣ ମଧ୍ୟ ରହିଛି । ତେବେ ଏହି ସବୁ କାରଣ ଗୁଡ଼ିକ ହେଲା...

ପିନ୍ଧିବା ଷ୍ଟାଇଲ୍

ଯଦି ଆପଣଙ୍କୁ ଅଧିକ ମଶା କାମୁଡ଼ୁଛନ୍ତି ତେବେ ଏଥିପାଇଁ ଆପଣଙ୍କ ପୋଷାକ କିଛି ମାତ୍ରାରେ ଦାୟୀ । ରିସର୍ଚ୍ଚ ଅନୁସାରେ ଗାଢ଼ ରଙ୍ଗ ମଶାମାନଙ୍କୁ ସୁହାଇଥାଏ । ଯେଉଁମାନେ ଅଧିକାଂଶ ଡାର୍କ ରଙ୍ଗର ଟିସାର୍ଟ ତଥା ଗ୍ରୀନ୍‌, ବ୍ଲାକ୍‌ ଓ ରେଡ୍‌ କଲର ପିନ୍ଧିଥାନ୍ତି ସେମାନଙ୍କୁ ଅପେକ୍ଷାକୃତ ଅଧିକ ମଶା କାମୁଡ଼ିଥାନ୍ତି । ତେଣୁ ସବୁବେଳେ ଧଳା କିମ୍ବା ଲାଇଟ୍‌ କଲର ଡ୍ରେସ୍‌ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

ବ୍ଲଡ୍ ଗ୍ରୁପ୍‌

ବୟସ୍କ ମଶା ପୁଷ୍ଟିକର ଖାଦ୍ୟ ପାଇଁ ଅମୃତଭଣ୍ଡା ଉପରେ ନିର୍ଭର କରନ୍ତି । କିନ୍ତୁ ମାଈ ମଶା ଅଣ୍ଡା ଦେବା ପାଇଁ ମଣିଷଙ୍କ ରକ୍ତ ଉପରେ ନିର୍ଭର କରିଥାନ୍ତି । କାରଣ ସେଥିରୁ ଅଧିକ ପ୍ରୋଟିନ୍‌ ମିଳିଥାଏ । ତେବେ ସବୁଠାରୁ ମଜା କଥା ଏହା ଯେ, ମଶା ମାନଙ୍କୁ କିଛି ବ୍ଲଡ ଗ୍ରୁପ୍‌କୁ ଅଧିକ ପସନ୍ତ କରିଥାନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, O+ ରକ୍ତ ମଶା ମାନଙ୍କୁ ବେଶି ଭଲ ଲାଗିଥାଏ । ତେଣୁ O+ ରକ୍ତ ଥିବା ଲୋକଙ୍କୁ ଅଧିକ ମଶା କାମୁଡ଼ିଥାଏ ।

କାର୍ବନ୍‌ ଡାଇଅକ୍‌ସାଇଡ୍‌

ମଶାମାନେ ବହୁତ ଦୂରରେ ଥିଲେ ବି କାର୍ବନ୍‌ ଡାଇଅକ୍‌ସାଇଡ୍‌କୁ ଅନୁଭବ କରିପାରନ୍ତି । ଏହାସହ ମଣିଷ ଦ୍ୱାରା ନିର୍ଗତ କାର୍ବନ୍‌ ଡାଇଅକ୍‌ସାଇଡ୍‌କୁ ମଧ୍ୟ ସେ ୫ରୁ ୧୫ ମିଟର ଦୂରରୁ ଘ୍ରାଣ କରିପାରନ୍ତି । ଏହି ଦୁଇଟି ସଙ୍କେତ ଆପଣଙ୍କୁ ଟ୍ରାକ୍‌ କରିବାକୁ ମଶାମାନଙ୍କ ପାଇଁ ଯଥେଷ୍ଟ । ତେଣୁ ଯେଉଁ ଲୋକମାନେ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ଛାଡ଼ନ୍ତି ସେମାନଙ୍କ ପ୍ରତି ମଶାମାନେ ଅଧିକ ଆକୃଷ୍ଟ ହୋଇଥାନ୍ତି ।

ତାପମାତ୍ରା ଓ ଝାଳ

ଗନ୍ଧ ବାରିବା ପାଇଁ ମଶାମାନଙ୍କ ଘ୍ରାଣ ଶକ୍ତି ଖୁବ୍‌ ପ୍ରଖର । ଉଦାହରଣ ସ୍ୱରୂପ ଝାଳରେ ଥିବା ଲାକ୍ଟିକ୍‌ ଏସିଡ୍, ଆମୋନିଆ ଭଳି ବିଭିନ୍ନ ପଦାର୍ଥକୁ ମଶାମାନେ ଖୁବ୍ ସହଜରେ ସୁଂଘି ପାରନ୍ତି । ଅଧିକ ବ୍ୟାୟାମ କାରଣରୁ ଶରୀରରେ ଲାକ୍ଟିକ୍‌ ଏସିଡ୍ ଓ ତାପମାତ୍ରା ବୃଦ୍ଧି ପାଇଥାଏ । ଏହାସହ ଅନ୍ୟ କିଛି କରଣରୁ ମଧ୍ୟ ମଣିଷ ଶରୀରରୁ ବାହାରୁଥିବା ଗନ୍ଧକୁ ମଶାମାନେ ସହଜରେ ବାରିପାରିଥାନ୍ତି । ତେଣୁ ସେହି ଲୋକଙ୍କୁ ଅଧିକ ମଶା କାମୁଡ଼ିଥାନ୍ତି ।

ପ୍ରେଗ୍ନେନ୍‌ସି

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗର୍ଭବସ୍ଥାରେ ଥିବା ମହିଳାଙ୍କୁ କାମୁଡ଼ିବା ପାଇଁ ବା ତାଙ୍କ ରକ୍ତ ଶୋଶିବା ପାଇଁ କିଛି ପ୍ରଜାତିର ମଶାମାନେ ଅଧିକ ପସନ୍ଦ କରିଥାନ୍ତି । ୨୦୦୦ ମସିହାରେ ଆଫ୍ରିକାରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗର୍ଭବତୀ ମହିଳାଙ୍କ ପ୍ରତି ମଶାମାନେ ଅଧିକ ଆକର୍ଷିତ ହୋଇଥାନ୍ତି । କାରଣ ଗର୍ଭବତୀଙ୍କ ରକ୍ତରେ ମେଟାବଲିକ୍‌ର ମାତ୍ରା ଅଧିକ ପରିମାଣରେ ରହିଥାଏ । ଏହାସହ ମୋଟା ଲୋକଙ୍କ କ୍ଷେତ୍ରରେ ମଧ୍ୟ ମେଟାବଲିକ୍ ଅଧିକମାତ୍ରାରେ ରହିଥାଏ । ତେଣୁ ସେମାନଙ୍କୁ ମଧ୍ୟ ଅଧିକ ମାତ୍ରାରେ ମଶା କାମୁଡ଼ିଥାଏ ।