• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍ । କହିଲେ ଶହ ଶହ ଲୋକ ମରି ପଡ଼ିଛନ୍ତି । ଘଟଣା ସ୍ଥଳରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିଥିବା କହିଲେ । ଏହାସହ ଏବେ ବି ଲୋକେ ଭଙ୍ଗା ବଗି ତଳେ ଚାପି ହୋଇ ରହିଛନ୍ତି । ଏମିତିକି ତାଙ୍କ ସାମ୍ନାରେ ଉଦ୍ଧାର ବେଳେ ଜଣେ ଲୋକ ପ୍ରାଣ ହରାଇଥିବା କହିଲେ ମନ୍ତ୍ରୀ । ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ତେବେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୦ରୁ ଅଧିକ ମୃତ କହିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ‘ଏଯାବତ ଯେତିକି ମୃତଦେହ ଉଦ୍ଧାର ତାହା ୧୨୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା ରହିଛି । ଯେତିକି ଲୋକ ବଗିରେ ଥିଲେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତଳେ କେହି ରହି ଯାଇଥିଲେ ବଗି ଉଠାଗଲେ ଜଣାପଡ଼ିବ । କ୍ରେନ ଯୋଗେ ବଗି ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଅତ୍ୟନ୍ତ ହୃଦୟ ବିଦାରକ, ମୋ ଜୀବନରେ କେବେ ଦେଖିନି ।’ କହିଲେ ସୁଧାଂଶୁ ଷଢ଼ଙ୍ଗୀ ।

ସେପଟେ ପ୍ରାୟ ୮୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାର ହେଉଛି ମୃତଦେହ । ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଉଛି ଆମ୍ବୁଲାନ୍ସ । ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ। 

ସେପଟେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନାଯୋଗ୍ୟ, ଏହି ଭୟଙ୍କର ଦୁର୍ଘଟଣାରେ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟି ପଡ଼ିଥିବା ସୂଚନା ।