/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683131273.jpg)
Viral Mango Tree
ଗୋଟିଏ ଗଛରେ ୧୪ ପ୍ରକାର ଆମ୍ବ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ଏମିତି ଏକ ଆମ୍ବ ଗଛ ଦେଖିବାକୁ ମିଳିଛି ଗୁଜରାଟ ରାଜକୋଟର ଆମ୍ରେଲିରେ ବାସ କରୁଥିବା ଜଣେ ଆମ୍ବ ଚାଷୀଙ୍କ ଘର ଅଗଣା । ପେଶାରେ ସେ ଜଣେ ଆମ୍ବ ଚାଷୀ । ଯିଏ କି କେବଳ କେସରୀ ଆମ୍ବ ଚାଷ କରନ୍ତି । କିନ୍ତୁ ତାଙ୍କ ଅଗଣାରେ ଯେଉଁ ଆମ୍ବ ଗଛଟି ରହିଛି ସେଥିରେ ୧୪ ପ୍ରକାରର ଆମ୍ବ ଫଳୁଛି ।
ଏହି ଗଛଟି ଏଭଳି ବିଭିନ୍ନ କିସମର ଆମ୍ବ ପ୍ରାୟ ହୋଲିରୁ ଦିପାବଳି ପର୍ଯ୍ୟନ୍ତ ଦେଇଥାଏ । ରାଜ ରାଜୁଡ଼ା ଅମଳରେ ଯେଉଁସବୁ ଭିନ୍ନ ଭିନ୍ନ କିସମର ଆମ୍ବ ଚାଷ କରାଯାଉଥିଲା, ସେଥିମଧ୍ୟରୁ କିଛି କିସମର ଆମ୍ବ ସେହି ଗୋଟିଏ ଗଛରେ ଫଳୁଛି । ୭୦ ଦଶକରେ ସେ ଏହି ଆମ୍ବ ଗଛକୁ ପ୍ରସ୍ତୁତ କରିଥିଲେ । ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।
ଆମ୍ବ ଚାଷୀ ଉକାଭାଇଙ୍କ କହିବା କଥା, ତାଙ୍କ ପରପିଢ଼ି ମଧ୍ୟ ଜାଣିବା ଦରକାର ଯେ ଏହି ଅଞ୍ଚଳରେ କେଉଁ କେଉଁ ଆମ୍ବ ଚାଷ ହୋଇପାରିବ । ସେଥିପାଇଁ ସେ ଏଭଳି ଏକ ଗଛ ପ୍ରସ୍ତୁତ କରିଛନ୍ତି । ଯେଉଁଥୁରେ ୧୪ ପ୍ରକାର ଆମ୍ବ ଫଳୁଛି । ଖାଲି ସେତିକି ନୁହେଁ ସେ ଆଗକୁ ଏହି ଗଛରେ ଅଧିକ କିସମର ଆମ୍ବ କିଭଳି ଫଳିବ ସେନେଇ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ତେବେ ତାଙ୍କର ଏହି ସ୍ୱତନ୍ତ୍ର ଗଛରେ ଯେଉଁ ସବୁ ଆମ୍ବ ଫଳେ ସେ ତାକୁ ବିକ୍ରି କରନ୍ତି ନାହିଁ । କାରଣ ଏଥିରେ ଯେତିକି ପରିମାରଣ ଆମ୍ବ ଫଳେ କେବଳ ତାଙ୍କ ପରିବାର ଲୋକ ହିଁ ଖାଆନ୍ତି । ଏହି ଗଛର ବିଭିନ୍ନ ଡାଳରେ ବିଭିନ୍ନ କିସମର ଆମ୍ବ ଫଳେ ସତ, ହେଲେ ତାହା ସବୁ ମାତ୍ର କିଛି କିଛି କିଲୋଗ୍ରାମର । ଯାହାକି କେବଳ ତାଙ୍କ ପରିବାର ଲୋକ ଖାଆନ୍ତି ।
ଏହି ଗଛରେ ନଲିଏରି, ସିନ୍ଦୁରୀ, ଗୁଲାବିଓ, ଦାଦମୋ, କାଲୋ ଜମାଦାର, କ୍ୟାପ୍ଟେନ୍, ପାଇଲଟ୍, ଭାରିୟାଲିଓ, ବାଦାମ, ସରଦାର, ଶ୍ରାବଣୀଓ, ଆସାଢ଼ିଓ ଭଳି ପ୍ରାୟ ୧୪ ପ୍ରକାର ଆମ୍ବ ଫଳାଇବାରେ ସଫଳ ହୋଇଛନ୍ତି । ଏହି ସବୁ ଆମ୍ବ ଜୁନାଗଡ଼ରେ ନବାବ ରାଜ ଚାଲୁଥିବା ବେଳେ ଉପଲବ୍ଧ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)