ଓଡ଼ିଶାର ଅନେକ ପର୍ଯ୍ୟଟନସ୍ଥଳୀ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଓଡିଶାରେ ଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଟାଣି ହୋଇ ଆସନ୍ତି । ଓଡିଶାରେ ଥିବା ଧାର୍ମିକ ପର୍ଯ୍ୟଟନ ସ୍ଥଳ, ଐତିହାସିକ ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଓ ବେଳାଭୂମିର ଦୃଶ୍ୟ ଓ ଶାନ୍ତ ପରିବେଶ ଆଦି ପର୍ଯ୍ୟଟକଙ୍କୁ ମତୁଆଲା କରିଥାଏ । ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।
ନୀଳାମ୍ବୁ ଚିଲିକାର ମଧ୍ୟ ଭାଗରେ ବିରାଜିଛନ୍ତି ମାଆ । ଶୀତ ଋତୁ ଆସିଲେ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମେ । କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ତ, କିଏ ମାଆଙ୍କ ପାଖରେ ମାନସିକ କରି ଡୋରୀ ବାନ୍ଧି ଥାଆନ୍ତି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗେ ଏହି ଅନନ୍ୟ ଶକ୍ତିପୀଠରେ । ନୀଳ ଜଳରାଶି ମଝିରେ ରହିଛି ଛୋଟ ଟାପୁ ଟିଏ । ଆଉ ତା ମଧ୍ୟରେ ବିରାଜିଛନ୍ତି ମାଆ କାଳୀଜାଇ । ଚିଲିକା ମଝିରେ ମାଆଙ୍କ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ପାଇଁ ପୀଠରେ ବର୍ଷସାରା ଲାଗିଥାଏ ଶ୍ରଦ୍ଧାଳୁଙ୍କ ଗହଳି ।
Also Read
ଅଧିକ ପଢ଼ନ୍ତୁ: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ
ଦିନ ସାରା ପୁରୀ କୃଷ୍ଣପ୍ରସାଦ ହେଉ ଅବା ବରକୂଳ ଅବା ବାଲୁଗାଁ, ସବୁଠୁ ମାଆଙ୍କ ଦର୍ଶନ ପାଇଁ ବାହାରିଥାଏ ନୌକା । ଯିବା ବାଟରେ ବିହଙ୍ଗଙ୍କ କଳରବ, ପ୍ରକୃତିପ୍ରେମୀଙ୍କୁ ଆନମନା କରେ । ନୀଳଜଳ ରାଶିର ବକ୍ଷ ଭେଦି ଡଙ୍ଗା ଯେତିକି ଆଗକୁ ବଢେ, ସେତିକି ମନୋମୁଗ୍ଧକର ଦୃଶ୍ୟପଟ୍ଟ ମନରେ ଛାପ ଛାଡିଯାଏ । ମାଆଙ୍କ ମନ୍ଦିର ମଧ୍ୟ ଦୂରରୁ ଯେତିକି ମନୋରମ ଦିଶେ, ପାଖରୁ ସେତିକି ଆତ୍ମସନ୍ତୋଷ ଦେଇଥାଏ । ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ପାନୀୟ ଜଳଠୁ ଆରମ୍ଭ କରି ଦୋକାନ ବଜାର ଏବଂ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି ପ୍ରଶାସନ । ରାଜ୍ୟ ବାହାରୁ ଏବଂ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଏହାର ବିସ୍ତିର୍ଣ୍ଣ ଜଳରାଶିକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି ।
ଏହି ପୀଠରେ ମାଆ କାଳୀଜାଇ କାଳୀ ଦେବୀ, ଗଙ୍ଗା ଦେବୀ, ଦୁର୍ଗା ଦେବୀ ଏବଂ ଆଜ୍ଞା ଦେବୀ ଆଦି ୪ଟି ରୂପରେ ପୂଜା ପାଉଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାଣପୁରର ଝିଅ ଥିଲେ ଜାଇ । ଡଙ୍ଗା ଯୋଗେ ପାରିକୁଦ ଗଡ଼ରୁ ବିବାହ ସାରି ଫେରିବା ବାଟରେ ଝଡ ତୋଫାନରେ ମଝି ଚିଲିକାରେ ଡଙ୍ଗା ବୁଡିଯାଇଥିଲା । ଅଘଟଣରେ ଜାଇ ଜୀବନ ହାରିଥିଲେ । ପରେ ପାରିକୁଦ ରାଜା ଜଗନ୍ନାଥ ମାନସିଂହଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ବପ୍ନାଦେଶ ହୋଇଥିଲା । ରାଜା ଦର୍ଶନ ପାଇଁ ଆସିଥିବା ବେଳେ ୪ ଟି ରୂପରେ ଦର୍ଶନ ଦେଇଥିଲେ ମାଆ । ସେବେଠାରୁ ମାଆ ୪ଟି ରୂପରେ ପୂଜା ପାଉଛନ୍ତି। ତେବେ ପ୍ରତି ମକର ସଂକ୍ରାନ୍ତିରେ ଏହି ପୀଠରେ ମେଳାର ଆୟୋଜନ ହେଉଥିବା ବେଳେ, ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।