Advertisment

ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି !

author-image
Satyendu Shekher Mishra
undefined

Lingaraj Temple

ପୁଣି ଭୋକ ଉପାସରେ ପ୍ରଭୁ ଲିଙ୍ଗରାଜ ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି । ବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ନା କେଉଁ ନୀତିକାନ୍ତି ହେଉଛି, ନା ଅବଢ଼ା ବାହାରିଛି । ଅଚଳାଚଳ ସଂପତ୍ତିର ମାଲିକଙ୍କୁ ଏତେ ସମୟ ଧରି ଏମିତି ଭୋକରେ ରଖାଯିବାକୁ ନେଇ ବ୍ୟଥିତ ଭକ୍ତ ପ୍ରାଣ । ତେଜୁଛି ଅସନ୍ତୋଷ ।

Advertisment

ସେବାୟତଙ୍କ ଭିତରେ ସମନ୍ୱୟ ଅଭାବ ଏବଂ ବିବାଦରୁ ବର୍ଷର ବିଭିନ୍ନ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଉଛି। ସେବାୟତଙ୍କ ଭିତରେ ଜିଦାଜିଦି ସ୍ଥିତି ଓ ଅହଂର ଲଢ଼େଇ ପାଇଁ ପୂର୍ବରୁ ଅନେକ ଥର ଉପାସରେ ରହିଛନ୍ତି ଲିଙ୍ଗରାଜ। ହେଲେ ଏଥର ବିବାଦର କାରଣ ହେଉଛି ଜମି । ଭୁବନେଶ୍ୱର ନୂଆଗାଁ ମୌଜା ଗଙ୍ଗୁଆ ନାଳ ନିକଟରେ ଥିବା ଲିଙ୍ଗରାଜଙ୍କ ୨ ଏକର ୬୩ ଡିସିମିଲ ବେବନ୍ଦୋବସ୍ତ ଜମିରେ ଦୋକାନ ଘର ନିର୍ମାଣ କରୁଛି ବଡୁ ନିଯୋଗ।

ହେଲେ ବେବନ୍ଦୋବସ୍ତ ଜମିକୁ ବଡୁ ନିଯୋଗ ଏମିତି ବେଆଇନ୍ ଭାବେ ଅକ୍ତିୟାର କରି ନିର୍ମାଣ କରିପାରିବନି ବୋଲି କହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବାକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାବି କରି ଆସୁଛନ୍ତି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ଦର୍ଶାଇ ବଡୁ ନିଯୋଗ ନିର୍ମାଣ କାର୍ଯ୍ୟ ଜାରି ରଖିବାରୁ କାଲିଠୁ ନୀତିକାନ୍ତି ବନ୍ଦ କରିଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ।

Advertisment

ବିବାଦର ସମାଧାନ ପାଇଁ ଆଜି ତିନି ନିଯୋଗଙ୍କ ସହ ଦେବୋତ୍ତର ବିଭାଗର ଆସିଷ୍ଟାଣ୍ଟ କମିଶନର ପୃଥକ ପୃଥକ ଆଲୋଚନା କରିଥିଲେ ବି ପରସ୍ପର ଜିଦରେ ଅଟଳ ଅଛନ୍ତି ସେବାୟତ। ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଉପାସରେ ରଖାଯିବା କେତେଦୂର ଠିକ୍ ତାକୁ ନେଇ ପ୍ରଶ୍ନ ଉଠିଛି ।

Lingaraj Temple
Advertisment
Advertisment