• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏହି ଗାଁରେ ସୁନ୍ଦର ପଞ୍ଚାୟତ କାର୍ଯ୍ୟାଳୟ ଅଛି, ଅତି ସୁନ୍ଦର ଅଙ୍ଗନବାଡ଼ି କେନ୍ଦ୍ର ବି ଅଛି । ହେଲେ ଏଠାକୁ ଆସିବା ପାଇଁ ରାସ୍ତା ଅବସ୍ଥା ନକହିବା ଭଲ । ପିଚୁ ରାସ୍ତା । ହେଲେ ଏଥିରେ ପିଚୁର ନା ଗନ୍ଧ ନାହିଁ । ୧୦ ବର୍ଷ ତଳେ ତିଆରି ହୋଇଥିଲା । ଏବେ ଅବସ୍ଥା ଏମିତି ଯେ, ଚାଲିକି ଯିବା ବି ମୁସ୍କିଲ । ପାଦେ ପାଦେରେ ଖାଲ । ଢ଼େଲା ପଥର ସବୁ ଉପର ମୁହାଁ । ଚାଲିକି ଗଲେ ଝୁଣ୍ଟିବା ନିଶ୍ଚିତ । ଏହି ରାସ୍ତା ପ୍ରାୟ ୫ କିଲୋମିଟର ଲମ୍ବା । ଆଉ ୫ କିଲୋମିଟର ରାସ୍ତାରେ ୫୦୦ ଖାଲ ।

ଦୁର୍ଘଟଣା ଯେମିତି ଏଠି ନିତିଦିନିଆ । ନିକଟରେ ସାଇକେଲରେ ଯାଉଥିବା ଗୋଟିଏ କୁନି ଛୁଆ ବାଇକ୍ ସହ ଧକ୍କା ହୋଇ ପ୍ରାଣ ହରାଇଛି ଏହି ରାସ୍ତାରେ । ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।

ଗାଁ ଲୋକଙ୍କ କହିବା କଥା, ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସହର ମାନଙ୍କରେ ହକି ଷ୍ଟାଡିୟମ୍‌ଠୁ ଆରମ୍ଭ କରି ସ୍କୁଲ୍ ରୂପାନ୍ତିକରଣ ଓ ଚକାଚକ ରାସ୍ତା ନିର୍ମାଣ ହେଉଛି । କିନ୍ତୁ ଆମ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଆମେ କହୁଛୁ ଖଣିର ରାଜଧାନୀ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଡେଙ୍ଗୁଳା ପଞ୍ଚାୟତର କଥା । ଏ ରାସ୍ତା ହେଉଚି ଡେଙ୍ଗୁଳା ପଞ୍ଚାୟତର ରାଇକଳା ଠାରୁ ବନ୍ଦଲ, ରେଙ୍ଗେମା, କୁଲା, କମଣ୍ଡ ପରି ପାଞ୍ଚଟି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ।

ଏହି ରାସ୍ତା ଉପରେ ପାଞ୍ଚଟି ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସ୍କୁଲ୍ ବସ୍, ଆମ୍ବୁଲାନ୍ସ ଯାଇଥାଏ । କିନ୍ତୁ ଏହି ରାସ୍ତା ପ୍ରତି କାହାର ନିଘା ନାହିଁ । ଏ ବିଷୟରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ବିଧାୟକ କହିଛନ୍ତି ତୁରନ୍ତ ଏଥିପ୍ରତି ଧ୍ୟାନ ଦିଆଯାଇ ରାସ୍ତା ନିର୍ମାଣ ଉପରେ ଜୋର ଦିଆଯିବ ।