• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ, ଅସରପାଙ୍କ ପ୍ରାଦୁର୍ଭାବ । ସୁରକ୍ଷିତ ଅଛି ତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ? ଅକ୍ଷତ ଅଛନ୍ତି ତ ଚତୁର୍ଦ୍ଧା ମୂରତି ? ଏହାକୁ ନେଇ ବେଶ୍ କିଛି ଦିନ ଧରି ସେବକ ଓ ଭକ୍ତଙ୍କ ମନରେ ଯେଉଁ ବିରାଟ ଶଙ୍କା ଓ କ୍ଷୋଭ ଉପୁଜିଛି । ତାର ସ୍ପଷ୍ଟ ଚିତ୍ର ଖୁବଶୀଘ୍ର ପଦାକୁ ଆସିବ । କାରଣ ଶ୍ରୀମନ୍ଦିର ଗର୍ଭଗୃହରେ ଚାଲିଛି ଶ୍ରୀଜିଉମାନଙ୍କ ଖସାପଡ଼ା ନୀତି । ଦଇତାପତି ସେବକମାନେ ତନ୍ନ ତନ୍ନ କରି ଶ୍ରୀଅଙ୍ଗର ସବୁ ସ୍ଥାନ ଯାଞ୍ଚ କରିବେ। ଯେହେତୁ ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ନେଇ ଖୋଦ୍ ଶ୍ରୀଅଙ୍ଗ ଲାଗି ସେବକମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଓ ଖୋଦ୍ ପରିଚାଳନା କମିଟି ସଦସ୍ୟ ବି ଏହାକୁ ମାନିଛନ୍ତି, ତେଣୁ ତାର ପ୍ରତକାର ପାଇଁ ସମସ୍ତଙ୍କ ଦାବି ।

ଗର୍ଭଗୃହ ସେବକଙ୍କ ଅଭିଯୋଗ, ଠାକୁରଙ୍କ ସେବା ପୂଜାବେଳେ ବଡ଼ ବଡ଼ ମୂଷା ଡିଆଁ କୁଦା କରୁଛନ୍ତି । ଠାକୁରଙ୍କ ମାଳ, ଚୂଳ ସହ ଧୂପ ଶିକୁଳାରେ ଜଳୁଥିବା ଅଖଣ୍ଡ ଦୀପରୁ ଘିଅ ଖାଇ କନକ ମୁଣ୍ଡି ଚାନ୍ଦୁଆରେ ଲୁଚି ବଂଶ ବିସ୍ତାର କରୁଛନ୍ତି । ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ସେବକ ଓ ବ୍ୟବସ୍ଥା ଥିଲେ ବି ତାହା ଫଳପ୍ରଦ ହେଉନି ।

ତେଣେ ପ୍ରତିକାର ପାଇଁ ଜଣେ ଦାତା ଏକ ମୂଷା ଘଉଡ଼ାଇବା ମେସିନ୍ ବି ଦାନ କରିଥିବା ଶ୍ରୀମନ୍ଦିର ପ୍ରଶାସନ କହିଛି । ହେଲେ ତାର କଟୁ କଂପନ ଶବ୍ଦ ଠାକୁରଙ୍କ ଶୟନ ନୀତିରେ ବିଭ୍ରାଟ ସୃଷ୍ଟି କରିବ । ତେଣୁ ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।

ଏଣେ ଆଜି ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଖସାପଡ଼ା ନୀତି । କଣ ଏ ଅତିଗୁପ୍ତ ନୀତି ? ଯାହାକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିବାବେଳେ ବୁଝାଇଛନ୍ତି ବରିଷ୍ଠ ଦଇତାପତି । ସେ କହିଛନ୍ତି, ଶ୍ରୀଜିଉ ମାନଙ୍କ ଶ୍ରୀପୟର ସୁରକ୍ଷା ପାଇଁ ବର୍ଷକୁ ଦୁଇରୁ ତିନି ଥର ଏନୀତି କରାଯାଏ ରତ୍ନବେଦୀ ଉପରେ ଦଇତାପତି ସେବକଙ୍କର ଏହା ଏକ ଗୋଷ୍ଠୀଗତ ସେବା । ଏଥିରେ ଚତୁର୍ଦ୍ଧାମୂରତିଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଉପଚାର କରାଯାଏ ।

ଯେହେତୁ ଆଗକୁ ସ୍ନାନପୂର୍ଣ୍ଣମୀ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ଆସୁଛି । ତେଣୁ ପହଣ୍ଡିରେ ଯେପରି ଶ୍ରୀପୟର ଅକ୍ଷତ ରହିବ ତାପୂର୍ବରୁ ଏ ନୀତି କରାଯାଉଛି । ଏହି ସମୟରେ ଶ୍ରୀଅଙ୍ଗରେ କୌଣସି କ୍ଷତ ଥିଲେ ତାହା ସ୍ପଷ୍ଟ ଦୃଶ୍ୟମାନ ହୋଇଯାଏ । ପ୍ରାୟ ୪ରୁ ୫ଘଣ୍ଟା ଧରି ଏଗୁପ୍ତ ନୀତି ସମୟରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଇନଥାଏ । ତେଣୁ ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବରୁ ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗକୁ କେତେ କ୍ଷତି ପହଞ୍ଚିଛି ତାହା ଆଜିର ଖସାପଡ଼ି ନୀତି ପରେ ହିଁ ସ୍ପଷ୍ଟ ହେବ।