Advertisment

ମାତ୍ର କେଇ ଘଣ୍ଟାରେ ପଦା ପଡ଼ିଗଲା ଖୋର୍ଦ୍ଧା ତରତୁଆ ସଂରକ୍ଷିତ ଜଙ୍ଗଲ

ଶହ ଶହ ପୁରୁଣା ଗଛକୁ ବେଧଡ଼କ କାଟି ନେଲେ ଲୁଟେରା । ଭିଡିଓ ଭାଇରାଲ୍ ପରେ ରାଗିଲେ ପ୍ରକୃତିପ୍ରେମୀ । ବନ ବିଭାଗର ସଫେଇ ନୂଆ ଗଛ ଲାଗିବ, ଯିଏ କାଟିଛି ଛାଡ଼ିବୁନି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Khurdha Forest Range

Khurdha Forest Range

ଗଛଟିଏ ଜୀବନଟିଏ ନାରାରେ ବିରାମ ନାହିଁ। ହେଲେ ପ୍ରଚଣ୍ଡ ଖରା ଦିନେ ବୃକ୍ଷ ଛେଦନରେ ବି ଢିଲା ନାହିଁ। ଖୋର୍ଦ୍ଧା ରେଞ୍ଜ ତରତୁଆ ସଂରକ୍ଷିତ ଜଙ୍ଗଲରୁ ଶତାଧିକ ପୁରୁଣା ଗଛକୁ ଲୋକେ ବେଧଡ଼କ ଭାବେ କାଟି ନେବା ଓ ବନ ବିଭାଗ ସବୁ ଦେଖି ଅଜଣା ହୋଇ ରହିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ଓ ପ୍ରକୃତିପ୍ରେମୀ। ଚାରିଆଡ଼ୁ ଅସନ୍ତୋଷ କୁହୁଳିବା ପରେ ବନ ବିଭାଗ କହୁଛି, ଯିଏ ଗଛ କାଟିଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Advertisment

ବେଧଡ଼କ ଚାଲିଛି ବୃକ୍ଷ ଛେଦନ। ଯିଏ ଯେମିତି ପାରିଲା ବଡ଼ ବଡ଼ ଗଛ ସବୁକୁ କାଟି ଚାଲିଛି। ଖୋର୍ଦ୍ଧା ବନବିଭାଗ ତରତୁଆ ସଂରକ୍ଷିତ ଜଙ୍ଗଲରେ ପଶି ସୋମବାର ଅପରାହ୍ନରେ ଶହ ଶହ ଗଛ କାଟି ବୋହି ନେଉଥିଲେ ଲୋକେ। କାହାର ପ୍ରତିବାଦକୁ ବି ସେମାନଙ୍କ ଭୃକ୍ଷେପ ନଥିଲା, ବରଂ କହୁଥିଲେ ବନ ବିଭାଗର ନିର୍ଦ୍ଦେଶରେ ଗଛ କାଟି ନେଉଛୁ। ତେବେ ପରିତାପର ବିଷୟ, ସେଠି କୌଣସି ବନ କର୍ମଚାରୀଙ୍କର ଦେଖାନଥିଲା।

ଏବେ ଜଙ୍ଗଲ ଭିତରେ କଟା ଗଛର ଖୁଣ୍ଟା ଠିଆ ହୋଇଛି। ଗୋଟିଏ କି ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ଖୁଣ୍ଟା। ଦାୟିତ୍ୱରେ ଥିବା ବନ ଜଗୁଆଳିଙ୍କ ଉତ୍ତର- ନୂଆ ଚାରା ଲାଗିବ ତ ସେଥିପାଇଁ ଅଳ୍ପ କିଛି ଶୁଖିଲା ଗଛ କଟାଯାଇଛି। ତେଣେ କିନ୍ତୁ ବନ ବିଭାଗର ଏ ବୃକ୍ଷ ନିଶ୍ଚିହ୍ନ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଅଞ୍ଚଳବାସୀ ଓ ବନ ପ୍ରେମୀ ।

Advertisment

ଏଣେ ବେଧଡ଼କ ଗଛ କଟାର ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ୨ଟି ଜେସିବି ଲଗାଇ କଟା ଯାଇଥିବା ଗଛର ମୂଳ ସବୁକୁ ଉପାଡ଼ି ଦେଇଛି। ଏମିତିକି ସେ ଅଞ୍ଚଳକୁ ସମତଳ ମଧ୍ୟ କରୁଥିବା ଦେଖାଯାଇଛି। ହେଲେ ପ୍ରଚଣ୍ଡ ଖରାବେଳେ କିଏ ଗଛ କାଟିବାକୁ ନିର୍ଦ୍ଦେଶ ଦେଲା ବୋଲି ଅନେକ ପ୍ରଶ୍ନ କରିବା ସହ ଏହା ପଛରେ ଦୁର୍ନୀତିର ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି ଲୋକେ।

ସେପଟେ ବନ ବିଭାଗ ୨୫ ଏକର ଜାଗାରେ ନୂଆ ବୃକ୍ଷ ରୋପଣ କରିବାକୁ ଥିବାରୁ ତରତୁଆ ସଂରକ୍ଷିତ ଜଙ୍ଗଲକୁ ବିଭାଗ ଚିହ୍ନଟ କରି କାମ ଆରମ୍ଭ କରିଥିବା କହିଛି । କିନ୍ତୁ ଗଛ କାଟିବାକୁ କାହାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ । ଏଭଳି ଗଛକଟା କାର୍ଯ୍ୟରେ ଯିଏ ବି ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ରେଞ୍ଜର ।

Forest Officials Forest Department Tree Cutting
Advertisment
Advertisment