• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇ ପଦ ଗୀତ, ଆଉ କେନ୍ଦରାର ମଧୁର ମୂର୍ଚ୍ଛନା ଶୁଣି ଯଦି କିଏ ଦୟା କଲା ତେବେ ଦାନା ଜୁଟିଲା, ନହେଲେ ନାହିଁ । ପେଟରେ ଓଦା କନା ଦେଇ ପିଲା ପରିବାର ସହ ଖାଡ଼ା ଓପାସ। ଏ ସମସ୍ୟା ଦିନକର ନୁହେଁ, ସବୁ ଦିନର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗଳି ଗଳି ବୁଲି ଭିକ ମାଗୁଥିବା ବ୍ୟକ୍ତିଙ୍କ ଘର ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରେ । ନା ତାଙ୍କର ଜି. ଶିବ । ଶିବ ଜନ୍ମରୁ ଦୃଷ୍ଟି ବାଧିତ । ଭିନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ ।

ଏ ବୋଝକୁ ଲାଘବ କରିବାକୁ ଘରଠୁ ଦୂରକୁ ଯାଇ ଭିକ୍ଷା ବୃତ୍ତିକୁ ଆପଣାଇ ନେଇଛନ୍ତି ଶିବ । ତେବେ ଉଦ୍‌ବେଗର ବିଷୟ, ଶିବ ନିଜେ ଭିକ ମାଗୁଥିବା ବେଳେ ଏବେ ସେଇ କାମରେ ପତ୍ନୀ ଓ ଦୁଇ କୁନି ପିଲାଙ୍କୁ ବି ନିୟୋଜିତ କରିଛନ୍ତି । କଅଁଳ ବୟସରେ ଯେଉଁଠି ସ୍କୁଲ କି ଅଙ୍ଗନବାଡ଼ି ଯାଇ ପାଠପଢ଼ା ଓ ଖେଳକୁଦରେ ମାତିବା କଥା, ସେହି ସମୟରେ ଭୋକର ଦାଉ ସହି ନପାରି କୁନି କୁନି ପାଦରେ ବାର ଦୁଆର ବୁଲୁଛନ୍ତି ଦୁଇ ଶିଶୁ । ଯେଉଁ ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଛି ।

ପାରଳାଖେମୁଣ୍ଡି ସହରରେ ଏ ଅଭାବନୀୟ ଦୃଶ୍ୟ ଅନେକଙ୍କ ମନକୁ ବିଚଳିତ କରିବା ପରେ କଥା ଯାଇଛି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ । ଅସହାୟ ଅବସ୍ଥାରେ ୩ ପିଲା ଓ ପତ୍ନୀଙ୍କୁ ଧରି ସହରର ଏଠି ସେଠି ମୁଣ୍ଡ ଗୁଞ୍ଜୁଥିବା ତାଙ୍କ ପରିବାରକୁ ତୁରନ୍ତ ଉଦ୍ଧାର କରାଯାଇ ସରକାରଙ୍କ ଯୋଜନା ଅନୁସାରେ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଦିବ୍ୟାଙ୍ଗଙ୍କ ପାଇଁ ଥିବା ଯୋଜନାରେ ସହାୟତା ପାଇବାକୁ ଅନେକ ଥର ଚେଷ୍ଟା କରିଛନ୍ତି ଶିବ । କିନ୍ତୁ ବ୍ଲକ୍‌କୁ ଦୌଡ଼ି ଦୌଡ଼ି ନିରାଶ ପରେ ଭିକ୍ଷା ବୃତ୍ତିକୁ ହିଁ ଆପଣାଇ ନେଇଛନ୍ତି ।

 

(ରିପୋର୍ଟ- ଆଦର୍ଶଙ୍କ ଦାସ, ପାରଳାଖେମୁଣ୍ଡି)