Advertisment

ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ, ଚାଲିଗଲା ୨ ନିରୀହ ଜୀବନ

ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

author-image
Satyendu Shekher Mishra
Drowning

Drowning

‘ଛାତଫଟା କାନ୍ଦ ଶୁଣିଲା ପରେ କିଏ ବା ଆଉ ସେହି ପରିବାରକୁ ଶାନ୍ତ୍ୱନା ଦେବ । ହୃଦୟ ବିଦାରକ ଦୃଶ୍ୟ ଦେଖିଲା ପରେ ଶୋକଗ୍ରସ୍ତ ପରିବାର ସଦସ୍ୟଙ୍କୁ କିଏ ବା ଆଉ କେମିତି ବୁଝାଇବ ?’

Advertisment

ମାମୁ ଘରେ ମଉଜ ପାଇଁ ଆସିଥିବା ପିଲାଙ୍କ ସହ ବଡ଼ ଅଘଟଣ ପରେ ପରିବାର ଉପରେ ସତେଯେମିତି ଛିଣ୍ଡିପଡ଼ିଛି ଆକାଶ । ଧସିଯାଇଛି ପାଦ ତଳର ମାଟି । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଘଟିଛି ଏମିତି କିଛି ଘଟଣା । ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ର ଗାଧୁଆବେଳେ ବୁଡ଼ି ଯାଇଥିଲେ ଛଅ ଛଅ ଜଣ ସଂପର୍କୀୟ । ଆର୍ଯ୍ୟପଲ୍ଲୀ ଉପକୂଳ ସମୁଦ୍ରରେ ଗାଧୋଉଥିବା ବେଳେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ଜଣଙ୍କ ପରେ ଜଣେ । ସୌଭାଗ୍ୟକୁ ୪ଜଣ ଛାତ୍ରଛାତ୍ରୀ ବର୍ତ୍ତିଯାଇଥିଲେ ସିନା, ହେଲେ ପ୍ରାଣ ହରାଇବାକୁ ପଡ଼ିଥିଲା ଦୁଇ ଦୁଇ ଜଣ ଛାତ୍ରୀଙ୍କୁ । ଯାହାଙ୍କ ନାଁ ସ୍ୱପ୍ନାରାଣୀ ପଣ୍ଡିତ ଏବଂ ପ୍ରଜ୍ଞାରାଣୀ ତ୍ରିପାଠୀ ।

ସମୟ ସକାଳ ପ୍ରାୟ ୬ଟା । ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ ଶେରଗଡ଼ର ଯୁକ୍ତ ଦୁଇ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀ, ତାଙ୍କ ଅଷ୍ଟମ ପଢୁଆ ଭାଇ ଶୁଭମ ତ୍ରିପାଠୀ, କନିଷି ହାଟର ୨୦ ବର୍ଷିୟା ଚାଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସ୍ୱପ୍ନାରାଣୀ ପଣ୍ଡିତ, ତାଙ୍କ ୨୨ ବର୍ଷିୟା ନର୍ସିଂ ଛାତ୍ରୀ ଭଉଣୀ ସୋନାଲି ପଣ୍ଡିତ, ବ୍ରହ୍ମପୁରର ଯୁକ୍ତ ଦୁଇ ଛାତ୍ରୀ ମିଲି ଦାଶ ଏବଂ ଛତ୍ରପୁରର ନବମ ଛାତ୍ରୀ ଚାନ୍ଦିନୀ ପଣ୍ଡିତ ।

Advertisment

ତେବେ ସମୁଦ୍ର ଭିତରେ ଗାଧୋଉଥିଲେ,ସେଲଫି ନେବା ସହ ମଉଜ କରୁଥିଲେ । ଠିକ୍ ସେତିକି ବେଳକୁ ମାଡ଼ି ଆସିଲା ଭୟଙ୍କର ଲହଡ଼ି । ଆଉ ସେହି ପ୍ରାଣଘାତୀ ଲହଡ଼ି ଭିତରେ ବୁଡ଼ିବାରେ ଲାଗିଲେ ଜଣଙ୍କ ପରେ ଜଣେ। ଏହାକୁ ଦେଖି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କଷ୍ଟେମଷ୍ଟେ ଶୁଭମ, ସୋନାଲି, ମିଲି ଏବଂ ଚାନ୍ଦିନୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। କିନ୍ତୁ ସ୍ୱପ୍ନାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ବି ପ୍ରଜ୍ଞାଙ୍କ ମିଳିନଥିଲା ପତ୍ତା ।

ଏହାପରେ SRCଙ୍କ ପକ୍ଷରୁ ସହାୟତା ମାଗିବା ପରେ ତଟରକ୍ଷୀ ବାହିନୀ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଯାଇ ଦୀର୍ଘ ସମୟ ଧରି ଚଳାଇଥିଲା ରେସ୍କ୍ୟୁ ଅପରେସନ୍ । ବୋଟରେ ବି ଅନୁସନ୍ଧାନ ଜାରି ରହିଥିଲା । ଦୀର୍ଘ ସମୟର ଖୋଜାଖୋଜି ପରେ ଠାବ ହୋଇଥିଲା ପ୍ରଜ୍ଞାଙ୍କ ମୃତଦେହ ।

ରାଜ୍ୟର ଜଳାଶୟ ଗୁଡ଼ିକରେ ଏଭଳି ଅଘଟଣ ଉଦବେଗଜନକ ହାରରେ ବଢ଼ିଚାଲିଛି। ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇସାରିଲାଣି ସଲୀଳ ସମାଧି । ଗୃହରେ ଏଭଳି ତଥ୍ୟ ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଶେଷ କରି ବିପଦସଙ୍କୁଳ ସ୍ଥାନ ଗୁଡ଼ିକରେ ଏଭଳି ଅଘଟଣ ଘଟୁଥିଲେ ବି ସୁରକ୍ଷା ଓ ସତର୍କତାକୁ ନେଇ ପ୍ରଶ୍ନ ଉଠିଛି। ଆର୍ଯ୍ୟପଲ୍ଲୀ ଉପକୂଳରେ ଯେଉଁଠି ଅଘଟଣ ଘଟିଛି, ସେଇଠି ମେରାଇନ ଥାନା ବି ଅଛି। କିନ୍ତୁ ମେରାଇନ ଥାନା କର୍ମଚାରୀ କେମିତି ଜାଣିପାରିଲେ ନାହିଁ ? ଏହି ୬ ଛାତ୍ରଛାତ୍ରୀଙ୍କୁ ବାରଣ କରାଗଲା ନାହିଁ କାହିଁକି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।

Drown
Advertisment
Advertisment