• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆମେ ଲୋନ୍‌ ନେଇ ଚାଷ କଲୁ, ତୁମେ ପାଣି ଦେଉନ । ଆମ ଫସଲ ସବୁ ନଷ୍ଟ ହୋଇଗଲାଣି । ପିଆଜ, ଆଳୁ, ବାଇଗଣ ସବୁ ନଷ୍ଟ ହୋଇଗଲାଣି । ଏବେ ଆମେ କରିବୁ କଣ? ଆମ ଫସଲ ବଞ୍ଚିବ କେମିତି? କିଛି ଏମିତି କହି ପ୍ରଶାସନକୁ ଘେରିଛନ୍ତି ଚାଷୀ ।

ଗଜପତି ମୋହନା ବ୍ଲକ୍ କାମ୍ପଗୁଡ଼ା ଶବର ସାହିର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଚାଷୀଙ୍କ ସମସ୍ୟା କହିଲେ ନସରେ । ଗାଁରେ ୪ ଗୋଟି ମହିଳା ସଂଘର ୪୧ ଜଣ ମହିଳା ଚାଷୀ ଆଳୁ, ପିଆଜ, ବାଇଗଣ, ଫୁଲକୋବି, ଲଙ୍କା ଆଦି ଚାଷ କରି ଭଲ ରୋଜଗାର କରି ସ୍ୱାବଲମ୍ବୀ ହେବାକୁ ଆଶା ରଖିଥିଲେ । ସେଇଥି ଲାଗି ତ ସରକାରଙ୍କ ଜୀବିକାମିଶନ ପକ୍ଷରୁ ପ୍ରତି ଗ୍ରୁପ୍ ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଲୋନ ନେଇ ପ୍ରାୟ ୫ ଏକରରୁ ଉର୍ଦ୍ଧ୍ୱ ଜମିରେ ଚାଷ ବି କଲେ । ପିଆଜ ଭଲ ଉତ୍ପାଦନ ହେବାରୁ ବଜାରରେ ବିକ୍ରି କଲେ । ଏବେ ଜମିରେ ବାଇଗଣ, ଟମାଟୋ, ଫୁଲକୋବି ଓ ଲଙ୍କା ଆଦି ଚାଷ ହୋଇଛି । ହେଲେ ଜମିରେ ପାଣି ନଥିବାରୁ ଗଛ ସବୁ ଶୁଖି ନଷ୍ଟ ହୋଇଗଲାଣି । ଯାହାକୁ ଦେଖି ଚିନ୍ତାରେ ଚାଷୀ ।

ଅଧିକ ପଢ଼ନ୍ତୁ: ଧାନ ଫସଲକୁ ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଫସଲ ଅମଳ ହେବା ପରେ ଭଲ ଦୁଇପଇସା ରୋଜଗାର କରିବାର ସ୍ୱପ୍ନ ଦେଖୁଥିଲେ ଚାଷୀ । ହେଲେ ଏବେ ପାଣି ଅଭାବ ହେତୁ ସେମାନଙ୍କର ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ ସମେତ ଅନେକ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରି ଜଳସେଚନ ସୁବିଧା କରାଯାଇଛି । ହେଲେ ଏଇଠି ସରକାରୀ ଯୋଜନା ଯେମିତି ସମସ୍ତଙ୍କ ଲାଗି ସାତସପନ ।

ସେପଟେ ଚାଷୀଙ୍କ ସମସ୍ୟାକୁ ନେଇ ଉଠା ଜଳସେଚନ ସହକାରୀ ଯନ୍ତ୍ରୀ କହିଛନ୍ତି , ଜଳ ସେଚନ ପାଇଁ ଚାଷୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ସେଠାରେ ଫିଜିବିଲିଟି ରହିଛି ନା ନାହିଁ? ତାହା ଅନୁଧ୍ୟାନ କରି କିଭଳି ଜମିରେ ପାଣି ଯୋଗାଇ ଦିଆ ଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସରକାର ଅନେକ ପ୍ରକାର ମହିଳାଙ୍କୁ ସହଯୋଗର ହାତ ବଢାଉଛନ୍ତି । ହେଲେ ଏଇଠି ଖୋଦ୍‌ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେବେ ସମୟ କହିବ କେବେ ମହିଳାଚାଷୀଙ୍କ ସମସ୍ୟାର ସମାଧାନ ହେଉଛି?

  • Reported by:
  • Mihir Jati