• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲକୁ ଯାଇ ଆଉ ଫେରିଲେନି . . ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା । ଚାଲିଗଲା ୩ ନିଷ୍ପାପ ପିଲାଙ୍କ ଜୀବନ । ଏବେ ନିରବୀ ଯାଇଛି ପୂରା ଗାଁ । କାନ୍ଦୁଛନ୍ତି ପରିବାର, ଝୁରି ହେଉଛନ୍ତି ଅତ୍ମୀୟ ସ୍ୱଜନ ଓ ସାଙ୍ଗସାଥି । ଗାଁ ଦାଣ୍ଡରେ ଯେଉଁମାନେବି ଛିଡା ହୋଇଛନ୍ତି ସେମାନଙ୍କ ମୁହଁରେ ଭାଷା ନାହିଁ । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଏବେ ଏଭଳି କିଛି ସ୍ଥିତି ରହିଛି ସୁବର୍ଣ୍ଣପୁର ଜିଲ୍ଲାର ସରଧାପାଲିରେ ।

ନିଜର ଅଳିଅଳ ଏକମାତ୍ର ପୁଅକୁ ହରାଇ ଘର ଭିତରେ ଛାଟିପିଟି ହୋଇ କାନ୍ଦୁଛନ୍ତି ସୁବ୍ରତର ମା । କେବଳ ସୁବ୍ରତର ମା କି ପରିବାର ନୁହେଁ ଗାଁର ତିନିଜଣ ନିଷ୍ପାପ ଶିଶୁର ଆକସ୍ମିକ ମୃତ୍ୟୁ ପରେ ଏବେ ପୁରା ଗାଁ କାନ୍ଦୁଛି । କାଲିଠାରୁ ଗାଁରେ କାହାଘରେ ଚୁଲି ଜଳିନି ।

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଛକରେ ସଡକ ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗାଁ ସ୍କୁଲରୁ ପରୀକ୍ଷା ଦେଇ ବାହାରିବା ସମୟରେ ସ୍କୁଲ ଫାଟକ ସାମନାରେ ସେମାନଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଯେଉଁଥିରେ ତିନି ସାଙ୍ଗ ସାଥିହୋଇ ଅରପାରିକୁ ଚାଲିଯାଇଥିବାବେଳେ ଅନ୍ୟ ଜଣେ ଛାତ୍ର ଅଳ୍ପକେ ମୃତ୍ୟ ମୁଖରୁ ବଂଚିଯାଇଛି ।

ସରଧାପାଲି ଛକରେ ଏହିଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୀର୍ଘ ସମୟଧରି ଉତ୍ତେଜନା ଲାଗି ରହିଥିଲା । ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୁରଣ ଦାବିରେ ଘଟଣାସ୍ଥଳରେ ମୃତକଙ୍କ ଶବରଖି ୬ ଘଂଟାଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ପରେ ପୋଲିସ ଓ ପ୍ରଶାସନ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଓ ସହାୟତାର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।

ହେଲେ ତା’ପରର ଦୃଶ୍ୟ ସତରେ ଖୁବ୍‌ ହୃଦୟବିଦାରକ ।  ରାତିରେ ଗାଁ ନଦୀ ପଠାରେ ଶବଶତ୍କାର ପାଇଁ ସବୁ ପ୍ରସ୍ତୁତି ପରେ ସୁବ୍ରତର ବାପା ପୁଅର ଶବରେ ଅଗ୍ନି ସଂଯୋଗ କରିଛନ୍ତି । ଦୁଇ ଝିଅ ପରେ ବହୁ ପୂଜାପାଠ କରି ପାଇଥିଲେ ଏହିପୁଅକୁ । ଭାବିଥିଲେ ମୃତ୍ୟୁବେଳେ ପୁଅ ତାଙ୍କ ମୁହଁରେ ନିଆଁ ଦେବ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁଅ ବଦଳରେ ଏବେ ବାପା, ପୁଅ ମୁହଁରେ ନିଆଁଦେଇଛି ।

ସେପଟେ ତିନି ନିଷ୍ପାପ ଶିଶୁଙ୍କ ଶବସତ୍କାର ସରିଛି । ଏଭଳି ଏକ ଦୁର୍ଘଟଣାକୁ ଗାଁଲୋକେ ସହଜରେ ନେଇ ପାରୁନଥିବାବେଳେ ଦୋଷୀ ଗାଡି ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସରଧାପାଲି ଛକରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ  ଦାବୀ କରିଛନ୍ତି ।