• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ଲଗାଇବାକୁ ପୂର୍ବ ଧାର୍ଯ୍ୟ ସମୟକୁ ବୃଦ୍ଧି କଲେ ରାଜ୍ୟ ସରକାର। ଆଗାମୀ ୩ ମାସ ଲାଗି ଏହି ଅବଧିକୁ ବଢାଇ ଦିଆଯାଇଛି । ଏସବୁ ଉପକରଣ ଲଗାଇବା ନେଇ ରାଜ୍ୟରେ ଥିବା ଭିତ୍ତିଭୂମି ସ୍ଥିତିର ସମୀକ୍ଷା କରି ଏହି ସମୟ ବଢାଯାଇଛି । ଆଜି ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ।

ବିଜ୍ଞପ୍ତି ଅନୁସାରେ, ୨୦୨୩ ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହାନ ପାଇଁ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ହେବ। ପୂର୍ବରୁ ନୂଆ ଯାନବାହନ ଲାଗି ଏହି ସମୟସୀମା ୨୦୨୩ ଜାନୁଆରୀ ୧ ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।

ସେହିପରି ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ପୁରୁଣା ଗାଡ଼ି ଲାଗି ଏହି ଅବଧି ଥିଲା ୨୦୨୩ ମାର୍ଚ୍ଚ ୩୧ ।

ସୂଚନା ଥାଉକି, ପବ୍ଲିକ ଟ୍ରାନସପୋର୍ଟ, ଯାତ୍ରୀ ଓ ମାଲ ପରିବହନକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଦୁଇ ଚକିଆ ଓ ତିନି ଚାକିଆକୁ ଛାଡ଼ି ଅନ୍ୟ ସମସ୍ତ ଯାନବାହନରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।