Advertisment

ପରିଣତ ବୟସରେ ଭତ୍ତା ପାଇଁ ଦହଗଞ୍ଜ; ଆଶାବାଡି ନଥିବାରୁ ସାହାରା ସାଜିଲା ପ୍ଲାଷ୍ଟିକ ଚେୟାର

ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Old Lady

ଭତ୍ତା ପାଇଁ ଡହଳ ବିକଳ ୭୦ ବର୍ଷୀୟ ବୁଢୀ ମାଆ। ଆଶା ବାଡିଟିଏ ନଥିବାରୁ ସାହାରା ସାଜିଛି ଖଣ୍ଡିଏ ପ୍ଲାଷ୍ଟିକ ଚେୟାର। ଆଉ ସେହି ଚେୟାରକୁ ଧରି ଚାଲୁଛନ୍ତି ବାଟ । ଏ ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।

Advertisment

ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା। ଆଶା ବାଡିଟିଏ ନଥିବାରୁ ସାହାରା ସାଜିଛି ଖଣ୍ଡିଏ ପ୍ଲାଷ୍ଟିକ ଚେୟାର। ବାହୁଡ଼ା ବୟସରେ ବୁଢ଼ୀ ମାଆର ଏ ଅବସ୍ଥା ଦେଖିଲେ ଯାହାର ବି ଆଖି ଛଳ ଛଳ ହୋଇଯିବ। 

ମନକୁ ଆନ୍ଦୋଳିତ କରୁଥିବା ଏହି ଘଟଣା ହେଉଛି ନବରଙ୍ଗପୁର ଝରିଗାଁ ବ୍ଲକ୍ ବାଣୁଆଗୁଡା ଗାଁର। ୭୦ ବର୍ଷୀୟ ବୃଦ୍ଧା ସୂର୍ଯ୍ୟ ହରିଜନ। ଦେହରେ ଚାଲିବା ଶକ୍ତି ନାହିଁ କି ଜୋରରେ କଥା ପଦେ କହିପାରୁ ନାହାଁନ୍ତି। କଙ୍କାଳ ପ୍ରାୟ ଶରୀର। ତେବେ ପରିଣତ ବୟସରେ ପେନସନ୍ ପାଇଁ ସେ କେତେ ଯେ କଷ୍ଟ ସହିଛନ୍ତି ତାର ହିସାବ ନାହିଁ। ଯେଉଁଠିକୁ ଗଲେ ଆଙ୍ଗୁଠି ଚିହ୍ନ ମିଶୁନି କହି ଫେରେଇଦେଲେ। 

Advertisment

ବଡ଼ପୁଅ ସୀତାରାମ ଅନ୍ୟ ରାଜ୍ୟରେ ଦାଦନ ଖଟୁଛି। ସାନ ପୁଅ ମଶୁରାମ ଗାଁରେ ଗାଈ ଚରେଇ ଯିଏ ଯାହା ଦେଲା ସେଥିରେ ପେଟ ପୋଷେ। ବୁଢୀ ମାଆର କଥା ବୁଝିବ କିଏ। ଅସହାୟ ହେଲେ ବି ଅନ୍ୟ ଉପାୟ ନପାଇ ନିଜ ପାଇଁ ନିଜେ ରାସ୍ତା ବାହାର କରିଥିଲେ ସୂର୍ଯ୍ୟ। 

ଏହାରି ଭିତରେ ଟିପ ଚିହ୍ନ ନମିଶିଲେ ବି ବୁଢୀ ମାଆଙ୍କୁ ପେନସନ୍ ମିଳିଛି। ଝରିଗାଁ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ସୂର୍ଯ୍ୟଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିଛନ୍ତି। ଆସନ୍ତା ମାସରୁ ସୂର୍ଯ୍ୟଙ୍କ ଜାଗାରେ ତାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ଟଙ୍କା ଦିଆଯିବ ଏବଂ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀ ଘରକୁ ଯାଇ ଟଙ୍କା ଦେବେ ବୋଲି ବ୍ୟାଙ୍କ ପରିଚାଳକ କହିଛନ୍ତି। ସେପଟେ ଓଟିଭିରେ ଖବର ପ୍ରସାରଣ ପରେ ଝରିଗାଁ ବିଡିଓ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟଙ୍କ ପାଖରେ ପହଁଚିଛନ୍ତି।

(ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ)

Pension Scheme Old Lady
Advertisment
Advertisment