Advertisment

ଜୀବନ ନେଇଗଲା ମୃତ୍ୟୁର ଯନ୍ତା ପକାଇଥିବା ବୋରୱେଲ୍ ଗାତ

ରେସ୍କ୍ୟୁ ଟିମ୍‌ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା ।

author-image
Satyendu Shekher Mishra
undefined

Borewell

୮୧ ବର୍ଷିୟା ବୃଦ୍ଧା । ୨୦ ଫୁଟର ଗର୍ତ୍ତ । ଘଣ୍ଟା ଘଣ୍ଟାର ସଂଘର୍ଷ । ଭିତରେ ଫସିଥିଲେ ମହିଳା, ବାହାରେ ଚାଲିଥିଲା ରେସ୍କ୍ୟୁ ଟିମର ଅପରେସନ୍ । ଜୀ ଜାନ୍ ଲଗାଇଦେଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ । ବୃଦ୍ଧାଙ୍କୁ ବଞ୍ଚାଇ ରଖିବା ପାଇଁ ପାଇପ୍ ଯୋଗେ ଅହରହ ପଠାଯାଉଥିଲା ଅମ୍ଲଜାନ । ମଝିରେ ମଝିରେ ଧୈର୍ଯ୍ୟ ଧରିବା ପାଇଁ ଗାତ ଭିତରକୁ ଡାକ ଛାଡୁଥିଲେ। ଆଉ ଏପଟେ ସମାନ୍ତରାଳ ଗାତ ଖୋଳାଯାଉଥିଲା ଜେସିବି ସହାୟତାରେ । କାରଣ ୨୦ ଫୁଟ ତଳେ ଫସିରହିଥିବା ଏହି ଗାତ ପଟୁ ସଂପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ଅସମ୍ଭବ। ତେଣୁ ସମାନ୍ତରାଳ ଗାତ ଖୋଳି ତାଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଥିଲା ରେସ୍କ୍ୟୁ ଟିମ୍ ।

Advertisment

ଏଭଳି ସକାଳ ପ୍ରାୟ ୭ଟାରୁ ମଧ୍ୟାହ୍ନ ପ୍ରାୟ ୧୨ଟା ଯାଏଁ ଚାଲିଲା ଅପରେସନ୍। ହେଲେ ଅପରେସନ୍ ସଫଳ ହେଲା, ବୃଦ୍ଧାଙ୍କୁ ଉଦ୍ଧାର କରାଗଲା ସତ। କିନ୍ତୁ ଦୁର୍ଭାଗ୍ୟ, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର- ବୁର୍ଡା ରାସ୍ତା କଇଁଫୁଲ ନିକଟ ଏକ ପରିତ୍ୟକ୍ତ ବୋରୱେଲ ଭିତରେ ପ୍ରାୟ ୨୪ ଘଣ୍ଟା ଧରି ପଡ଼ିରହିଥିବା ବୃଦ୍ଧା ଦୁଃଖି ନେଗିଙ୍କ ଶେଷରେ ଚାଲିଯାଇଥିଲା ପ୍ରାୟବାୟୁ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସମୟ ଅପରାହ୍ନ ପ୍ରାୟ ୧୨ଟା ହେବ। ଝାଡ଼ୁ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଆଣିବାକୁ ଦୁଃଖି ଦା’ ଧରି ବାହାରିଥିଲେ ଘରୁ। କିନ୍ତୁ, ସେହି ପରିତ୍ୟକ୍ତ ବୋରୱେଲ ଗାତରେ ହଠାତ ଗୋଡ଼ ପଡ଼ିଗଲା ତାଙ୍କର। ଆଉ ଚାହୁଁ ଚାହୁଁ ୨୦ ଫୁଟ୍ ତଳକୁ ଚାଲିଗଲେ ବୃଦ୍ଧା। ଏକଥା ପରିବାର ଲୋକେ ଜାଣିବା ପରେ ପ୍ରଥମେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ବୌଦ୍ଧରୁ ଓଡ୍ରାଫ୍ ଟିମ୍ ବି ପହଞ୍ଚି ସକାଳୁ ଆରମ୍ଭ କରିଦେଇଥିଲା ଅପରେସନ।

Advertisment

ଅତି ସତର୍କତାର ସହ ୨୦ ଫୁଟ୍ ଯାଏଁ ଗାତ ଖୋଳିଥିଲା ରେସ୍କ୍ୟୁ ଟିମ୍ । ଆଉ ବୃଦ୍ଧାଙ୍କ ପାଖରେ ପହଞ୍ଚିଥିଲେ ୫ ଘଣ୍ଟା ମଧ୍ୟରେ। ସେହି ଗାତରେ କେବଳ ଯେ ୮୧ ବର୍ଷିୟା ବୃଦ୍ଧା ଫସିଥିଲେ ତା’ନୁହେଁ। ବୃଦ୍ଧାଙ୍କଠୁ କିଛି ଦୂରରେ ଥିଲା ଏକ ବିଷାକ୍ତ ଚିତି ସାପ। ତେବେ ସାପଟି ଟିକେ ଦୂରରେ ଥିବାରୁ ସଂପୃକ୍ତ ବୃଦ୍ଧାଙ୍କୁ କାମୁଡ଼ି ନଥିବା ଅନୁମାନ କରାଯାଉଛି ବୋଲି କହିଛି ଅଶ୍ନିଶମ ଟିମ୍ ।

ପରିତ୍ୟକ୍ତ ବୋରୱେଲ୍ ଗାତ କେତେ ଯେ ବିପଦଜନକ, ଓଡ଼ିଶା ସୀମାନ୍ତ ଛତିଶଗଡ଼ର ୧୦ ବର୍ଷର ରାହୁଲ ଘଟଣାରୁ ଆମେ ଦେଖିଥଲେ। ହେଲେ ବାରମ୍ବାର ଅଘଟଣ ଘଟୁଥିଲେ ବି ଖନନ ପରେ ଖୋଲା ଛାଡ଼ିଦିଆଯାଉଛି ବୋରୱେଲ୍ ଗାତକୁ। କୁହାଯାଉଛି, ଏଠାରେ ମଧ୍ୟ ଏହି ଜମିରେ ସରକାରୀ ଯୋଜନାରେ ବୋରୱେଲ ପାଇଁ ଖୋଳାଯାଇଥିଲା ଗାତ। କିନ୍ତୁ ସେହି ଗାତରେ ନା କୌଣସି ପାଇପ୍ ସଂଯୋଗ କରାଯାଇଥିଲା ନା ତାକୁ ଢାଙ୍କି ରଖାଯାଇଥିଲା । ଫଳରେ ଅନାବନା ଘାସ ଉଠିଥିବାରୁ ସଂପୃକ୍ତ ବୃଦ୍ଧା କିଛି ଜାଣିନପାରି ଗଳିପଡ଼ିଥିଲେ ତା ଭିତରେ।

ଏଥିପାଇଁ ଉଠାଜଳସେଚନ ବିଭାଗକୁ ଦାୟୀ କରି ଥାନାରେ ଏତଲା ଦେଇଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍। ତେବେ ଏସପି କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
Advertisment