• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗରିବଙ୍କୁ ପ୍ରତିଶ୍ରୁତି ଦିଅ.. ସେମାନେ ଭୁଲିଯିବେ.. ସେମାନେ ସନ୍ଦେହ କରି ଜାଣନ୍ତିନି । ପ୍ରତିଶ୍ରୁତି ପୂରା ନକଲେ ଲଢିପାରିବେନି ଆଉ ଅସହାୟ ପରି ଅପେକ୍ଷା କରି ରହିବେ ସିନା କିଛି କରିପାରିବେନି । ହୁଏତ ଏୟା ଭାବି ଗରିବ ଲୋକଙ୍କୁ ପ୍ରଶାସନଠାରୁ ନେଇ ସରକାର, ନେତାଙ୍କ ଠାରୁ ନେଇ ପ୍ରାଇଭେଟ୍ କମ୍ପାନୀ ସମସ୍ତେ ମିଛ ପ୍ରତିଶ୍ରୁତି ଦେଇ ନିଜ ଫାଇଦା ହାସଲ କରିଥାନ୍ତି । ଆଉ ଯେତେବେଳେ ପ୍ରତିଶ୍ରୁତି ପୂରା କରିବାର ସମୟ ଆସେ ସେମାନେ ପାଲଟିଯାନ୍ତି ଅନ୍ଧ ମୂକ ଆଉ ବଧୀର ।

ଏଭଳି ମିଥ୍ୟା ପ୍ରତିଶ୍ରୁତିର ତାଲିକାରେ ଯୋଡ଼ି ହୋଇଯାଇଛି ଆଦାନୀ କମ୍ପାନୀର ନାମ । ନିଜ ହକ୍ ପାଇବାକୁ ୧୦ ବର୍ଷ ହେଲା ଅପେକ୍ଷା କରିଛନ୍ତି ବିସ୍ଥାପିତ ପରିବାର । ହେଲେ ଆଦାନୀ କମ୍ପାନୀର ପ୍ରତିଶ୍ରୁତି ପାଲଟିଯାଇଛି ପାଣିରେ ଗାର ।

ନା ମିଳିଲା ଜାଗା ବାବଦ ଟଙ୍କା, ନା ମିଳିଲା ନିଯୁକ୍ତି । ଦେଇଥିଲେ ପ୍ରତିଶ୍ରୁତି, ଚାକିରି ନ ହୋଇପାରିଲେ ପରିବାରକୁ ମିଳିବ ସାଢେ ସାତ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ବିସ୍ଥାପିତ ପରିବାରର ପିଲାମାନେ ମାଗଣା ସ୍କୁଲ ଆଉ ମାଗଣାରେ ଆଲୋକ ମଧ୍ୟ ପାଇବେ । ହେଲେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ବି କମ୍ପାନୀର ମନେପଡ଼ୁନି ବିସ୍ଥାପିତଙ୍କ କଥା ।

ଭଦ୍ରକ ଧାମରା ରେଳପଥ ପାଇଁ ହଜାର ହଜାର ପରିବାର ଜମିହରା ହୋଇଛନ୍ତି । ଧାମରା ଆଦାନୀ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନର ମିଛ ପ୍ରତିଶୃତିକୁ ଭରସି ରେଳ ଲାଇନ ପାଇଁ ନିଜ ଭିଟାମାଟି ଦେଇଦେଇଥିଲେ ଲୋକେ । ବିକାଶ ଲାଗି ଗରିବଙ୍କର ଏଥିଲା ତ୍ୟାଗ । କିନ୍ତୁ ବିସ୍ଥାପିତ ପରିବାର ମାନଙ୍କୁ ଅନୁକମ୍ପା ଦେବେ କହି ଠକି ଦେଲା କମ୍ପାନୀ ।

ଆଦାନୀ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ବଦଳରେ ଅଣ ଓଡ଼ିଆଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଯୁବକ ତାମିଲନାଡ଼ୁ ଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଯେ ଭଦ୍ରକ ଧାମରା ରେଳପଥ ପାଇଁ ପ୍ରଥମେ ଜାଗା ଚିହ୍ନଟ ହୋଇଥିଲା, ସେଥିରେ ବିସ୍ଥାପିତଙ୍କ ବାସଗୃହ, ଜାଗା ଜମି ପଡିଥିଲା । ଆଦାନୀ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନ ମିଳିତ ବୁଝାମଣା ହୋଇଥିଲା । ବିସ୍ଥାପିତଙ୍କୁ ଜାଗାର ଉଚିତ ମୂଲ୍ୟ ଦେବା ସହିତ କମ୍ପାନୀରେ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ଦୁଃଖର ବିଷୟ ଏ ସମସ୍ତ ପ୍ରତିଶ୍ରୁତି ବିସ୍ଥାପିତଙ୍କ ପାଇଁ ଦିବା ସ୍ୱପ୍ନ ପାଲଟିଛି ।