Advertisment

ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।

author-image
Satyendu Shekher Mishra
undefined

Puri Srimandir

ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ଦେଲେଣି।

Advertisment

କେବେ ସହଜ ହେବ ଜଗା ଦର୍ଶନ ? ପୁରୀ ବାସିନ୍ଦାଙ୍କୁ କେତେ ଶୀଘ୍ର ପୂର୍ବ ପରି ସବୁ ଦୁଆରେ ମିଳିବ ପ୍ରବେଶ ଅନୁମତି ? ବେଶ୍ କିଛି ଦିନ ଧରି ଭକ୍ତ, ସେବାୟତ ଓ ପୁରୀ ବାସିନ୍ଦା, ସମସ୍ତେ ଏ ଦାବିକୁ ଶାଣିତ କରି ଆସୁଥିବାବେଳେ ପ୍ରଶାସନ କିନ୍ତୁ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।

ବରିଷ୍ଠ ସେବାୟତଙ୍କ କହିବା କଥା- ଯେଉଁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ସହ ଅବଢ଼ା ପାଇଁ ଆନନ୍ଦ ବଜାରକୁ ଯିବାକୁ ଚାହୁଁଛନ୍ତି ସେମାନେ ନାହିଁ ନଥିବା ହୀନସ୍ତା ହେଉଛନ୍ତି। ମହାପ୍ରସାଦ ଟିକେ ପାଇଁ ବି ସେମାନଙ୍କୁ ସିଂହଦ୍ୱାର ବାଟେ ଭିଡ଼ ଦେଇ ଯିବାକୁ ପଡ଼ୁଛି, ଯେଉଁଥିପାଇଁ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିବାକୁ ପଡୁଛି । ତେଣୁ ଶୀଘ୍ର ଚାରିଦ୍ୱାର ଖୋଲାନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ରହିଛି ଚାରି ଦ୍ୱାର। ଯାହାକି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଭାବେ ମଧ୍ୟ ବିଶ୍ୱାସ ରହିଛି। ପୂର୍ବରୁ ୨୦୧୮ ମସିହାରେ କେବଳ ସିଂହଦ୍ୱାରବାଟେ ପ୍ରବେଶ ନିଷ୍ପତ୍ତିକୁ ନେଇ ତୀବ୍ର ଆପତ୍ତି ଉଠିଥିଲା। ବଢୁଥିବା ଅସନ୍ତୋଷକୁ ଦେଖି ସେତେବେଳେ ପୁରୀ ବାସିନ୍ଦାଙ୍କୁ ବିଭିନ୍ନ ପରିଚୟପତ୍ର ଦେଖାଇ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାର ଦେଇ ପ୍ରବେଶ ଅନୁମତି ମିଳୁଥିଲା। ହେଲେ କରୋନା ପରଠୁ ଏହା ବନ୍ଦ ହୋଇଛି ଯେ, ଆଜି ଯାଏଁ ଆଉ ଛଡ଼ାଯାଉ ନାହିଁ। ଏମିତିକି ଏକଥା ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ଗତ ରଥ ସମନ୍ୱୟ ବୈଠକ ସମୟରେ ଉଠାଇଥିଲେ। ରଥଯାତ୍ରା ସରିଲେ ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ରଥଯାତ୍ରା ସରିବାର ଇତିମଧ୍ୟରେ ୧୫ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ରହିଛି।

ଏମିତିକି ଏଥିପାଇଁ ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରୀମନ୍ଦିର ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏକ ଲକ୍ଷ ଭକ୍ତଙ୍କ ଠାରୁ ଚାରି ଦୁଆର ଖୋଲିବା ନେଇ ଦସ୍ତଖତ ଆଣି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଞ୍ଚ ପ୍ରସ୍ତୁତ ହେଉଛି। ଆଉ ଏଭଳି ସ୍ଥିତିରେ ଆଇନମନ୍ତ୍ରୀ ଧାଡ଼ିକିଆ ପ୍ରତିକ୍ରିୟା ରଖି କହିଛନ୍ତି- ଭକ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଯାହା କିଛି ନିଷ୍ପତ୍ତି କରିବ ।

ଚାରି ଦୁଆର ଖୋଲି ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ଉପରେ ଦାବି ଜୋର ରିଥିବାବେଳେ ଏବେ ଅପେକ୍ଷା ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଉପରେ ।

Lord Jagannath Puri Srimandir
Advertisment
Advertisment