• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଗବାନ୍ ନୁହେଁ ଗାଁରେ ହେଉଛି ଅସୁର ପୂଜା । କାନକୁ ଅଡୁଆ ଲାଗୁଥିବ । ଦେବତାଙ୍କୁ ପୂଜା ନ କରି ଅସୁରଙ୍କୁ ପୂଜା କରାଯାଉଛି । ହେଲେ ଏକଥା ସମ୍ପୂର୍ଣ୍ଣ ସତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ଗାଁର ଚନ୍ଦସାହିରେ ଅସୁର ପୂଜା ହେଉଛି । ପ୍ରତ୍ୟେକ ବର୍ଷ ଶାମ୍ବ ଦଶମୀ ଦିନ ଏଠାରେ ଶମ୍ବରାସୁର( Demon Sambarasura )ର ପୂଜା କରାଯାଇଥାଏ । ଏଥିପାଇଁ ଗାଁ ମଣ୍ଡପରେ ଶମ୍ବରାସୁରଙ୍କର ବିରାଟ ମୂର୍ତ୍ତି ଓ ନାରାୟଣ ମୂର୍ତ୍ତି କରାଯାଇଥାଏ । ପୂର୍ବରୁ ଖୁବ ଧୁମଧାମରେ ପାଳନ ହେଉଥିଲା ପୂଜା । ହେଲେ ଏବେ ଏହାର ମଉଜ କମି ଆସିଛି। ...

ଶହ ଶହ ବର୍ଷ ହେଲା ଗାଁ ଲୋକେ ଏଭଳି ଏକ ପରମ୍ପରାକୁ ପର୍ବ ଭାବି ପାଳନ କରି ଆସିଛନ୍ତି । ଶାମ୍ବ ଦଶମୀରୁ ୧୫ ଦିନ ଯାଏ ଗାଁରେ ଶମ୍ବରାସୁର ଓ ଭଗବାନ ନାରାୟଣକୁ ପୂଜା କରାଯାଉଛି । ଏ ପୂଜା କେବେ ଆରମ୍ଭ ହେଲା, ସେନେଇ କେହି ସଠିକ୍ ଭାବେ କହି ପାରୁନାହାନ୍ତି । ତଥାପି ଲୋକଙ୍କ କହିବା କଥା ଯେ ଗାଁଠୁ ଅଳ୍ପ ଦୂରରେ ସିଦ୍ଧେଶ୍ୱର ପୀଠ ରହିଛି । ସେହିଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ତପସ୍ୟା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ ।

ଅଧିକ ପଢ଼ନ୍ତୁ: କି ସୁନ୍ଦର ! ଏମିତି ଦୁର୍ଗାପୂଜା ନା କଣ୍ଢେଇ ନାଚ..

ସେ ରୋଗମୁକ୍ତ ହେବା ଦିନକୁ ଶାମ୍ବ ଦଶମୀ ବୋଲି ପାଳନ କରାଯାଏ । ତେବେ ଦୀର୍ଘ ବର୍ଷ ପୂର୍ବେ ଶାମ୍ବ ଦଶମୀ ପାଳନ ବେଳେ ଗାଁରେ ସାଂଘାତିକ ଭାବେ ହଇଜା ବ୍ୟାପିଥିଲା । ଶମ୍ବରାସୁରଙ୍କ କୋପରେ ହଇଜା ବ୍ୟାପୁଛି ବୋଲି ଗାଁରେ ଚର୍ଚ୍ଚା ହେଲା । ଏଣୁ ସେତେବେଳର ଜମିଦାର ଦୋଳଗୋବିନ୍ଦ ବାବୁ ଗାଁ ଲୋକଙ୍କୁ ନେଇ ଶମ୍ବରାସୁରଙ୍କୁ ଶାନ୍ତ କରିବା ଲାଗି ତାଙ୍କର ପୂଜା ଆୟୋଜନ କରିଥିଲେ ବୋଲି କୁହାଯାଏ । ପୂର୍ବରୁ ଏ ପୂଜା ଖୁବ ଯାକଯମକରେ ହେଉଥିଲା ।

ହେଲେ ବିଭିନ୍ନ କାରଣରୁ ଗାଁ ଭାଗ ଭାଗ ହୋଇଯିବାରୁ ଲୋକେ ଆଉ ଏ ପୂଜାରେ ମନ ଦେଲେ ନାହିଁ । ଏଣୁ କିଛି ଯୁବକ ପରମ୍ପରା ରକ୍ଷା ନାଁରେ ଏ ପୂଜାକୁ ବଞ୍ଚାଇ ଆସିଛନ୍ତି । ସରକାରୀ ସହାୟତା ମିଳିଲେ ପୂଜାଟି ବଢ଼ି ପାରନ୍ତା ବୋଲି ଲୋକେ କହିଛନ୍ତି । ସରକାରଙ୍କ ପକ୍ଷରୁ ଘରଟିଏ ଯୋଗାଇଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

(ରିପୋର୍ଟ- ପାର୍ଥସାରଥି ନାୟକ, ଭଦ୍ରକ)