• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଣ୍ଡିରୁ ଧାନ ଉଠିବା ପୂର୍ବରୁ ଉଠିଗଲେ ଚାଷୀ । ବ୍ୟବସ୍ଥା ଉପରୁ ଭରସା ତୁଟିଯିବା ପରେ ମଣ୍ଡିରେ ଜୀବନ ନେଇଗଲା ହତାଶାର ନିଆଁ । ହଁ, ବୌଦ୍ଧ ଜିଲ୍ଲା ଜାମଘାଟି ଗାଁରେ ଏମିତି କିଛି ଘଟଣା ଘଟିଛି । ଚାଷୀ ଧରଣୀ ମେହେରଙ୍କର ଜୁଇ ଜଳିଛି । ତାଙ୍କରି କଥା ଆଜି ବିଧାନସଭାରେ ଉଠିଛି ।

ଆଉ ଧରଣୀଙ୍କ ମୃତ୍ୟୁ ପରେ ହତବାକ୍ ହୋଇପଡ଼ିଥିବା ତାଙ୍କ ହତଭାଗ୍ୟ ପରିବାର ଏବେ ମୁଣ୍ଡରେ ହାତ ଦେଇ ବସିଛି । ପରିବାରର କହିବା କଥା, ଧାର କରଜ କରି ଏବର୍ଷ ଭଲ ଧାନ ଫସଲ କରିଥିଲେ ଧରଣୀ। ଜାନୁଆରୀ ୨୫ ତାରିଖରେ ୫୬ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ତାଙ୍କୁ ଟୋକନ୍ ମିଳିଥିଲା । ତେଣୁ ଧାନବସ୍ତା ଧରି ବିକ୍ରି ପାଇଁ ଧରଣୀ ମଣ୍ଡିରେ ଅପେକ୍ଷା କରି ରହିଥିଲେ ବି ଧାନ ଉଠୁ ନଥିଲା । ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।

ଯାହାକୁ ନେଇ ଖାଲି ଧରଣୀ ନୁହଁନ୍ତି, ଧାନ ବିକ୍ରି ଅପେକ୍ଷାରେ ଥିବା ସବୁ ଚାଷୀ ଗଲା ସୋମବାର ଆନ୍ଦୋଳନ ବି କରିଥିଲେ । ତା ସତ୍ତ୍ୱେ ଧାନ ଉଠୁ ନଥିଲା ଧରଣୀଙ୍କର । ଏପଟେ ଟୋକନ୍ ଅବଧି ବି ସରି ଆସୁଥିଲା । ଆଜି ଥିଲା ଶେଷ ଦିନ । ହେଲେ ଧାନ ବିକ୍ରି ନହେବାରୁ ୨୩ ଦିନ କାଳ ଦୁଃଶ୍ଚିନ୍ତାରେ ଘାଣ୍ଟି ହେବା ପରେ କାଲି ଦିନ ପ୍ରାୟ ୧୨ଟା ବେଳେ ସେଇ ମଣ୍ଡିରେ ହିଁ ଟଳି ପଡ଼ିଥିଲେ ଧରଣୀ । ଆଉ ବାଉଁଶୁଣୀ ହସ୍ପିଟାଲକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅ କ୍ଷୀରୋଦଙ୍କ ଅଭିଯୋଗ ମଣ୍ଡିରେ ଧାନ ବିକ୍ରି ନହେବା ଚିନ୍ତା ହିଁ ବାପାଙ୍କ ଜୀବନ ନେଲା ।

ହେଲେ ବିଡ଼ମ୍ବନା ବାଉଁଶୁଣୀ ମଣ୍ଡିରେ ଏବେ ବି ଧରଣୀଙ୍କ ଧାନ ପଡ଼ି ରହିଥିବା ପରିବାର ଅଭିଯୋଗ କରୁଥିଲା ବେଳେ ତାଙ୍କ ମୃତ୍ୟୁ ପରେ ବାଉଁଶୁଣୀ ପାକ୍ସର ସଂପାଦକ କହିଛନ୍ତି ଟୋକନ ଅବଧିର ଶେଷ ଦିନରେ ଆଜି ଧରଣୀଙ୍କ ଧାନ ଉଠିଛି ।

ଏପଟେ ବାଉଁଶୁଣୀ ମଣ୍ଡିରେ ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି କଂପିଥିଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ଏହା ପରେ ଶୂନ୍ୟକାଳରେ ମଧ୍ୟ ମଣ୍ଡିରେ ଅବ୍ୟବସ୍ଥା କଥା ଉଠାଇ ହାତରେ ଟୋକନ ଥାଇ ବି ଧାନ ବିକି ନପାରି ଚାଷୀ ପ୍ରାଣ ହରାଉଥିବା କହି ସରକାରଙ୍କୁ ନିଶାନା କରିଥିଲେ ବିରୋଧୀ ।