• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ.. ଉପାୟ ମିଳିଗଲେ କଠିନ ପରିଶ୍ରମ ବଳରେ ଅସାଧ୍ୟ ବି ସାଧନ କରିହୁଏ । ଆଉ ପରିଶ୍ରମରେ ଯଦି ସ୍ତ୍ରୀଙ୍କ ସହଯୋଗ ମିଳିଗଲା ତାହାଲେ ତାକୁ ହିଁ କୁହନ୍ତି ଭାଗ୍ୟ।

ଏମିତି ଜଣେ ପରିଶ୍ରମୀ ଭାଗ୍ୟବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଗୋପାଳରାୟପୁର ଶାସନ ନିବାସୀ ସହଦେବ ପରିଡା । ବିଦେଶରୁ ଜନ୍ମମାଟିକୁ ଫେରିବା ପରେ ଅର୍ଥ ଉପାର୍ଜନର ଉପାୟ ଖୋଜିଲେ ।  ଉପାୟ ଆଉ ସାଧନ ସହ ମିଳିଗଲା ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହଯୋଗ । ଆଉ ତାପରେ ଏମାନେ ହୋଇଗଲେ ଲକ୍ଷପତି ମାଛ ଚାଷୀ । ନିଜେ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି, ଅନ୍ୟମାନଙ୍କୁ ବି ରୋଜଗାର ଦେଉଛନ୍ତି ।

ଆଫଗାନିସ୍ତାନ ଆର୍ମିରେ ମେକାନିକାଲ ସୁପରଭାଇଜର ଭାବେ କାର୍ଯ୍ୟକରି ୨୦୧୨ରୁ ଅବସର ନେଇ ଜନ୍ମମାଟିକୁ ଫେରିଆସିଛନ୍ତି ସହଦେବ । ଆଉ କୃଷ୍ଣପ୍ରିୟା ୨୦୨୩ରେ ଶିକ୍ଷୟିତ୍ରୀ ଚାକିରିରୁ ଅବସର ନେଇସାରିଛନ୍ତି । ଅବସର ପରେ ଉଭୟ ଘରେ ବସି ମଉଜ ମଜଲିସ କରିବା ବଦଳରେ ଅବସର ସମୟକୁ ଲଗାଇଛନ୍ତି ମାଛ ଚାଷରେ । ମାଛଚାଷଠୁ ଆରମ୍ଭ କରି ମାଛ ଯାଆଁଳ ଉତ୍ପାଦନ କରି ଏବେ ଏମାନେ ରୋଜଗାର କରୁଛନ୍ତି ୮-୧୦ ଲକ୍ଷ ଟଙ୍କା । ପ୍ରାୟ ୬/୭ଜଣଙ୍କୁ ରୋଜଗାର ବି ଦେଇଛନ୍ତି । ସବୁଠାରୁ ବଡ଼ କଥା ଅନ୍ୟମାନଙ୍କୁ ମାଛଚାଷର କୌଶଳ ବି ବତାଇ ଦେଉଛନ୍ତି ।

ପ୍ରଥମେ ୨୦୧୩ରେ ମାଛଚାଷର ପରିକଳ୍ପନା କରିଥିଲେ ସହଦେବ । ଗାଁ ଓ ଗାଁ ନିକଟସ୍ଥ ବିରାଟ ପରିତ୍ୟକ୍ତ ପୋଖରୀ ଉପରେ ତାଙ୍କର ନଜର ପଡିଥିଲା । ଗ୍ରାମବାସୀଙ୍କୁ ଏକାଠି କରି ସେ ନିଜର ମାଛଚାଷ ଯୋଜନା ସଂପର୍କରେ କହିଲେ । ଗ୍ରାମବାସୀ ଖୁସିହୋଇ ଏହି ପ୍ରସ୍ତାବରେ ଏକମତ ହେବାପରେ ପୋଖରୀଟିକୁ ସହଦେବଙ୍କୁ ଲିଜରେ ଦିଆଗଲା । ପୋଖରୀକୁ ସଫା କରି ମାଛଚାଷ କରି ସଫଳ ହେବାପରେ ଗୋଟିଏ ପରେ ଗୋଟିଏ ସମୁଦାୟ ୬ଟି ବଡ଼ବଡ଼ ପୋଖରୀରେ ଆଜି ମାଛଚାଷ କରୁଛନ୍ତି ସହଦେବ । ଏହା ସହିତ ଭୁବନେଶ୍ୱରର କୌଶଲ୍ୟାଗଙ୍ଗ ଓ ସିଫାରୁ ମାଛ ଅଣ୍ଡା ଆଣି ମାଛ ଯାଆଁଳ ଉତ୍ପାଦନ କରି ଅନ୍ୟ ମାଛଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ।

ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

  • Reported by:
  • Banamali Sahoo