• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପରିଣତ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି ଦିଲ୍ଲୀପ। କଟକ ଆନନ୍ଦଭବନରେ ନିଜ ବଡ଼ ଭଉଣୀଙ୍କ ସହ ବେଶ୍ କିଛି ଦିନ ଧରି ଶାରିରୀକ ଓ ଆର୍ଥିକ ଦୁଃସ୍ଥିତିରେ ଥିବା ଦିଲ୍ଲୀପ ଏବେ ପେନସନ୍ ପାଇଁ ଆବେଦନ କରିବାକୁ ନେଇ ଚର୍ଚ୍ଚା।

ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇଲେ ଦିଲ୍ଲୀପ। ଦୁର୍ଦ୍ଦିନରେ ଦିନ କାଟୁଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବାକୁ ସେ ଆବେଦନ କରିଛନ୍ତି।

ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇଛନ୍ତି ଦିଲ୍ଲୀପ। ତାଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ଯୋଜନାରେ ଜଣେ ଯୋଗ୍ୟ  ହିତାଧିକାରୀ। ଅର୍ଥାଭାବ ଓ ଅସୁସ୍ଥତା ଭିତରେ ବଂଚିବାକୁ ଅନ୍ୟ କିଛି ବାଟ ନଥିଲା ବୋଲି ଛଳ ଛଳ ଆଖିରେ କହିଛନ୍ତି ଦିଲ୍ଲୀପ। 

ଦିଲ୍ଲୀପଙ୍କ ଏଭଳି ଅସହାୟତା ପୁଣିଥରେ ଆଲୋଡ଼ନ ସୃଷ୍ଟି କରିଛି। ପରିଣତ ବୟସରେ ଦୁଃଖ କଷ୍ଟରେ ଚଳୁଥିବା ଦିଲ୍ଲୀପଙ୍କୁ କିଛି ଦିନ ତଳେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଭେଟି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଭିନ୍ନ ସଂଗଠନର ସଦସ୍ୟ ବି ଦିଲ୍ଲୀପଙ୍କୁ ଭେଟି ସମବେଦନା ଜଣାଇଥିଲେ। ହେଲେ ଏଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନଥିବା ଦୁଃଖର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଦିଲୀପ ଅବିବାହିତ, ଅବସର ପରେ ଯାହା ପଇସା ମିଳିଥିଲା ସେଥିରେ ବଡ଼ କଷ୍ଟରେ ଚଳୁଛନ୍ତି। ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ବି ଚାଲିବା କଷ୍ଟକର ହୋଇପଡୁଛି। ତାଙ୍କ ଦେଖାଶୁଣା କରିବାକୁ କେହି ନାହାଁନ୍ତି। ଖାଲି ସେତିକି ନୁହେଁ ଏବେ ଦିଲ୍ଲୀପଙ୍କ ସାଥିରେ ତାଙ୍କ ବଡ଼ ଭଉଣୀ ମଧ୍ୟ ରହୁଛନ୍ତି। ସେ ମଧ୍ୟ ଚଲାବୁଲା କରିପାରୁନାହାଁନ୍ତି। ବଡ଼ କଷ୍ଟରେ ଉଭୟେ କଟକ ଆନନ୍ଦ ଭବନରେ କାଳ କାଟୁଛନ୍ତି।

  • Reported by:
  • Biswajit Acharya