• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍‌ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।

କିଏ ଜମିଜମା ମାମଲାରେ କୋର୍ଟ ତାରିଖ ଥିବାରୁ ଆସୁଛନ୍ତି ତ କିଏ ଅପରାଧିକ ମାମଲାରେ ନ୍ୟାୟ ପାଇବା ପାଇଁ ନ୍ୟାୟାଳୟକୁ ଆସୁଛନ୍ତି । ଆଉ କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଭିଜିଲାନ୍ସ କେସ୍‌ରେ କୋର୍ଟକୁ ଆସୁଛନ୍ତି । କିନ୍ତୁ ହାଜିରା ପକାଇ ଫେରିଯିବା ଛଡ଼ା କିଛି ବିକଳ୍ପ ହିଁ ନାହିଁ । ତାହାରି ଭିତରେ କୋର୍ଟ ପରିସରରେ ଓ ବାହାରେ କେବଳ ପଇଁତରା ମାରୁଛିି ପୋଲିସ । କାରଣ କଚେରୀ ଛକରେ ବଳବତ୍ତର ରହିଛି ୧୪୪ ଧାରା । କୋର୍ଟ ପରିସରରେ ଲୋକଙ୍କର ସହାୟତା ପାଇଁ କେବଳ ଖଣ୍ଡେ ହେଲ୍ପ ଡେକ୍ସ ଖୋଲାଯାଇଛି ।

ଡିସେମ୍ବର ୧୨ର ଘଟଣା । ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଭିତରେ ମୁହାଁମୁହିଁ ହୋଇଥିଲେ ଆଇନଜୀବୀ-ପୋଲିସ । ଖଣ୍ଡଯୁଦ୍ଧରେ କମ୍ପିଥିଲା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ କ୍ୟାମ୍ପସ । ଯାହାକୁ ନେଇ ସୁପ୍ରିମକୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରିବା ପରେ ଆରମ୍ଭ ହୋଇଥିଲା ଆକ୍ସନ । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ୫୪ ଓକିଲଙ୍କ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଛି । ୨୭ରୁ ଅଧିକ ଓକିଲଙ୍କୁ ଜେଲ୍ ପଠାଇଦିଆଯାଇଛି ।

କିଛିଦିନ ତଳେ ସମ୍ବଲପୁର ଓକିଲ ସଂଘକୁ ସମର୍ଥନ କରି ଭୁବନେଶ୍ୱର, ବାଲେଶ୍ୱର, ସୁନ୍ଦରଗଡ, ଝାରସୁଗୁଡା ଓ ବରପାଲିର ଓକିଲ ସଂଘର ପ୍ରତିନିଧିମାନେ ଜିଲ୍ଲା ଜଜ୍‌, ଉତ୍ତରାଂଚଳ ପୋଲିସ ଆଇଜି ଏବଂ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ପୁର୍ବ ସ୍ଥିତି ଫେରାଇ ଆଣିବାକୁ ନିବେଦନ ବି କରିଥିଲେ । ସେହିପରି ବରଗଡ଼ ଓ କୁଚିଣ୍ଡା ଓକିଲ ସଂଘ ସହ ପଶ୍ଚିମ ଓଡିଶାର ଅନ୍ୟ ଓକିଲ ସଂଘ ବି ସମର୍ଥନ ଜଣାଇଥିଲେ ସମ୍ବଲପୁର ଓକିଲ ସଂଘକୁ ।

ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଅସମ୍ଭବ ନୀରବତାକୁ ନେଇ ପ୍ରଶ୍ନ ଉଠାଇ ଆସନ୍ତାକାଲି ବିଜେପିର ୧୨ ଜଣିଆ ପ୍ରତିନିଧି ଟିମ୍ ସମ୍ବଲପୁର ଗସ୍ତରେ ଯାଉଛି । ଟିମ୍‌ରେ ୫ ବିଜେପି ସାଂସଦ ଓ ୭ ବିଧାୟକ ଜେଲ୍‌ରେ ଥିବା ଓକିଲଙ୍କୁ ଭେଟିବେ । ତାସହ ବିିଭିନ୍ନ ଓକିଲ ସଂଘ, ପ୍ରତିନିଧି ଓ ନାଗରିକ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟି ସ୍ଥିତି ସଂପର୍କରେ ଆଲୋଚନା କରିବେ । ଏପରିକି ବିଚାରପତିଙ୍କୁ ଭେଟିବା ପରେ ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ବି ରହିଛି । ତେବେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।