• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି । ଏ ଅଞ୍ଚଳର ମଇଁଷୀଙ୍କ ଉପରେ ଆଜିକୁ ୭ ବର୍ଷ ଧରି ଗବେଷଣା କରି ଆସୁଥିବା ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଏହି ତଥ୍ୟ ଦେଇଛନ୍ତି । ଏହି ସୂଚନା ପରେ ଚିଲିକା ଅଞ୍ଚଳରେ ମଇଁଷି ପାଳନ କରୁଥିବା ଚାଷୀଙ୍କ ଭିତରେ ଉତ୍ସାହ ବଢ଼ିଥିବା ବେଳେ ସେହି ନିର୍ଦ୍ଦିଷ୍ଟ ପ୍ରଜାତିର ମଇଁଷୀ ବଂଶବୃଦ୍ଧି ଲାଗି ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଚିଲିକା ଅଞ୍ଚଳରେ ରହୁଥିବା ମଇଁଷି ସମଗ୍ର ଦେଶରେ ସ୍ୱତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ । କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ବି ଭରି ରହିଛି । ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।

ଡକ୍ଟର ଡିଗେ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି । ତାଙ୍କ ମତରେ ଦେଶରେ ମଇଁଷିଙ୍କର ମୋଟ ୧୯ଟି ପ୍ରଜାତି ରହିଥିବା ବେଳେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର । ଏମାନଙ୍କ କ୍ଷୀରରେ ମେଟାବୋଲାଇଟ୍ସ ଏବଂ ଅନ୍ୟାନ୍ୟ ଉପକାରୀ ବ୍ୟାକ୍ଟେରିଆ ଭରି ରହିଛି । ଯାହାକି ମାନବ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ । ଚିଲିକା ଭିତରେ ଥିବା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ କ୍ଷୀରରେ ଏଭଳି ଉପାଦାନ ମିଳିଥାଏ । ଡକ୍ଟର ଡିଗେ ପୂର୍ବରୁ ଗୋଟିଏ ଦୁଇଟି ମଇଁଷିଙ୍କ କ୍ଷୀର ନମୁନା ସଂଗ୍ରହ କରୁଥିବା ବେଳେ ଏଥର ଏ ଅଞ୍ଚଳରୁ ପ୍ରାୟ ୨୦ଟି ମଇଁଷୀଙ୍କ କ୍ଷୀର ନମୁନା ସଂଗ୍ରହ କରି ନେଇଛନ୍ତି ।

ଚିଲିକା ମଇଁଷିଙ୍କ ଉପରେ ପୂର୍ବରୁ ଗବେଷଣା କରି ଏମାନେ ବିରଳ ପ୍ରଜାତିର ବୋଲି ପ୍ରଥମେ ତଥ୍ୟ ପାଇଥିଲେ ଓୟୁଏଟିର ଆନିମଲ ଜେନେଟିକ୍ ବିଭାଗର ବରିଷ୍ଠ ଗବେଷକ ପ୍ରଫେସର ସୁଶାନ୍ତ ଦାସ । ତାଙ୍କ ମତରେ ଭାରତରେ ଦେଖାଦେଉଥିବା ବିଭିନ୍ନ ପ୍ରଜାତିର ମଇଁଷୀଙ୍କ ମଧ୍ୟରୁ ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଅଧିକ ପରିମାଣର ଓମେଗା ଥ୍ରି ଫ୍ୟାଟି ଏସିଡ୍ । ସେମାନଙ୍କ କ୍ଷୀରରେ ଆଉ ୩ଟି ଅତି ଉପକାରୀ ଉପାଦାନ ସହ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ । ଯାହା ଅନ୍ୟ ମଇଁଷୀଙ୍କଠାରେ ଦେଖାଯାଏନି ।

ଏପଟେ ଚିଲିକା ଅଞ୍ଚଳର ମଇଁଷି ଅତ୍ୟନ୍ତ ବିରଳ ଓ ମୂଲ୍ୟବାନ ଜାଣିବା ପରେ ଏ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଏଭଳି ମଇଁଷିଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ସରକାର କିଛି ପଦକ୍ଷେପ ନେବାକୁ ଦାବି ହୋଇଛି ।