• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଦରକାର ନାହିଁ ଜଗନ୍ନାଥଙ୍କ ଅଳଙ୍କାର ଗଣତି । ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ଏଭଳି ସତ୍ୟପାଠ । ତୁରନ୍ତ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ ପାଇଁ ଦାଏର ଜନସ୍ୱାର୍ଥ ମାମଲାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏଭଳି ସତ୍ୟପାଠ ଦାଖଲ ସମସ୍ତଙ୍କୁ ଚକିତ କରିଛି ।

ଏଥିରୁ ଶ୍ରମନ୍ଦିର ପ୍ରଶାସନ କି ରାଜ୍ୟ ସରକାର କେହି ଆଉ ରତ୍ନଭଣ୍ଡାର ଖୋଲିବା ମୁଡ୍‌ରେ ନଥିବା କହିଛନ୍ତି ରତ୍ନଭଣ୍ଡାର ଖୋଲିବାକୁ ମାମଲା ଦାଏର କରିଥିବା ଆବେଦନକାରୀ ଦିଲ୍ଲିପ ମହାପାତ୍ରଙ୍କ ଓକିଲ ଅଲୋକ ମହାପାତ୍ର । ଓଟିଭିକୁ ସୂଚନା ଦେଇ ଆଲୋକ ମହାପାତ୍ର କହିଛନ୍ତି- ରତ୍ନଭଣ୍ଡାରକୁ ତିନିଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କର ସମସ୍ତ ଅଳଙ୍କାର ରଖାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି । ଯାହାମଧ୍ୟରେ ୧୪୯ କେଜି ୪୬୦ ଗ୍ରାମ ସୁନା, ୧୮୩ କେଜି ରୂପା ଅଳଙ୍କାର ଥିବା କୁହାଯାଇଛି।

ହେଲେ ଗୋଟିଏ ବି ହୀରା, ନୀଳା, ମୋତି କି ମାଣିକ୍ୟ ଭଳି ମୂଲ୍ୟବାନ ରତ୍ନ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ତାସହ କେଉଁ ତଥ୍ୟ ଆଧାରରେ ଏସବୁ ଅଳଙ୍କାର ଗୁଡ଼ିକର ଓଜନ ଓ ପରିମାଣ ଦର୍ଶାଯାଇଛି, ସେନେଇ ବି କିଛି ସ୍ପଷ୍ଟ ତଥ୍ୟ ଦିଆଯାଇନି । ଦୀର୍ଘ ୪୫ବର୍ଷ ତଳେ ଶେଷ ଥର ପାଇଁ ଖୋଲାଯାଇଥିବା ରତ୍ନଭଣ୍ଡାରର ଏବେକାର ବାସ୍ତବ ସ୍ଥିତି କଣ ? କେବେ ଭଣ୍ଡାର ଘର ଖୋଲାଯିବ ? ସେକଥା ମଧ୍ୟ କୋର୍ଟଙ୍କୁ କିଛି ବି ଜଣାଇ ନଥିବାରୁ ଏନେଇ ପୁଣି ନ୍ୟାୟାଳୟଙ୍କୁ ଆବେଦନ କରାଯିବ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି ।

ତେଣେ ମାମଲାର ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଏପଟେ ସତ୍ୟପାଠ ଦାଖଲ କରିଥିବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗନ୍ନାଥ ଭକ୍ତ, ସେବାୟତ ଓ ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା । ସମସ୍ତେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଦାବି କରି ଆସୁଛନ୍ତି । ଏମିତିକି ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ପାରିତ ହେବା ସହ ସ୍ପେଶାଲ୍ କମିଟି ଅନୁଧ୍ୟାନ ପାଇଁ ସଜବାଜ ହୋଇ ଯାଇଥିଲା । ହେଲେ ଭିତର ଭଣ୍ଡାର ଚାବି ନଥିବା ଓ ବାହାର ଭଣ୍ଡାରରୁ ଭିତର ସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିଲା । ଯାହାକୁ ନେଇ ସେତେବେଳେ ପ୍ରବଳ ବାଦାନୁବାଦ ଉପୁଜିଥିଲା।

ଏହା ପରେ ୨୦୨୨ ଅଗଷ୍ଟ ୮ ତାରିଖରେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ତୁରନ୍ତ ଦୁର୍ବଳ ରତ୍ନଭଣ୍ଡାର ମରାମତି ପାଇଁ ଚିଠି ଲେଖି ଅବଗତ କରାଯାଇଥିଲା । ହେଲେ ୧୯୭୮ ମସିହା ପରଠାରୁ ଆଉ ଖୋଲିନଥିବା ରତ୍ନଭଣ୍ଡାରକୁ ଦୀର୍ଘ ୪୫ବର୍ଷ ପରେ ବି ଖୋଲିବାକୁ ସରକାର ଆଗ୍ରହ ଦେଖାଉନଥିବାରୁ ବଢ଼ିଛି କ୍ଷୋଭ ।

ଏମିତିକି ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଠାକୁରଙ୍କ ସୁନା ଓ ରୂପାର ଅଳଙ୍କାର ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ଅତି ନଗଣ୍ୟ ବୋଲି ଦର୍ଶାଇଛନ୍ତି ଖୋଦ୍ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ। ତାସହ ପ୍ରଶ୍ନ କରିଛନ୍ତି ଭିତର ଭଣ୍ଡାରରେ ଠାକୁରଙ୍କ ରଘୁନାଥ ବେଶ ସାମଗ୍ରୀ ଓ ମୂଲ୍ୟବାନ ମୁକୁଟ ମାନ ସବୁ କଣ ଉଭାନ୍ ହୋଇଗଲା ? ତେଣେ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି ଶୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ପାରିତ କରି ଗଜପତି ମହାରାଜା, ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ଦାବି କରିଛନ୍ତି ।

ଏବେ ଅପେକ୍ଷା ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ କି ରାୟ ଶୁଣାଉଛନ୍ତି ହାଇକୋର୍ଟ।

ଏପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ । ହାଇକୋର୍ଟରେ ଦାଖଲ ସତ୍ୟପାଠରେ ସତ୍ୟର ଅବତାରଣା କରିବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି । ୧୯୭୮ ମସିହା ପରଠୁ ଆଉ ଗଣତି ହୋଇନଥିବା ବେଳେ ରାଜ୍ୟ ସରକାର କିଭଳି ସୁନା ଓ ରୁପା ଅଳଙ୍କାର ପରିମାଣ ଜାଣିଲେ ବୋଲି ପ୍ରଶ୍ନ କରିଛି ଦଳ।

ସେହିପରି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ବି କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନଭଣ୍ଡାର ନଖୋଲି କେମିତି ଜାଣିଲେ, ସବୁ ଅଳଙ୍କାର ସୁରକ୍ଷିତ ଅଛି । ସେପଟେ ବିଜେଡି ସବୁ ଦୋଷ ପ୍ରତ୍ନତତ୍ତ୍ୱ ବିଭାଗ ଉପରକୁ ଠେଲିଛି ।

  • Reported by:
  • GAUTAM PANDA , PRADEEP MAHANTY , MADHUSUDAN MISHRA