• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିନି ରଥର ତିନି ସାରଥୀ। ଦାରୁକ, ମାତଳୀ, ଅର୍ଜୁନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଏମାନେ ରଥରେ ବିରାଜମାନ ନହେଲେ ବଡ଼ଦାଣ୍ଡରେ ରଥ ଗଡ଼େନା । ହେଲେ ଏବେ କେଉଁଠି ଅଛନ୍ତି ସାରଥୀ ? 

ପରିକ୍ରମା ପ୍ରକଳ୍ପର ଟିଣ ଘରେ ତିନି ସାରଥୀଙ୍କ ମୂର୍ତ୍ତି । ମୂର୍ତ୍ତି ସାରା ଧୂଳି, ଅଙ୍ଗରେ ଚିରା ଫଟା ବସ୍ତ୍ର । ନା ପୂଜା ନା ଭୋଗ । ପରିତ୍ୟକ୍ତ ପରିବେଶରେ କେବେଠୁ, ଏମିତି ଆଉ ଏକ ରଥଯାତ୍ରାକୁ ଯେମିତି ଅପେକ୍ଷା କରିଛନ୍ତି ତିନି ପ୍ରତିମୂର୍ତ୍ତି । ଶ୍ରୀମନ୍ଦିରର ରେକର୍ଡ ଅଫ୍ ରାଇଟ୍ସ ମୁତାବକ ତିନି ରଥରେ ବିରାଜମାନ କରୁଥିବା ପାର୍ଶ୍ୱ ଦେବଦେବୀ ଓ ସାରଥୀଙ୍କୁ ଆନନ୍ଦ ବଜାରର ପାଣିଘରେ ରଖାଯାଇ ପୂଜାର୍ଚ୍ଚନା କରାଯାଉ ଥିଲା । ପରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ରଖାଯାଇଥିଲା । ଏହାପରେ ଦୋଳବେଦୀ ପରିସର, ଆଉ ଏବେ ଟିଣ ଘରେ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରୂପକାର ସେବାୟତ ।

ଠିକ୍‌ ସେହିଭଳି ଆବର୍ଜନାର ପାହାଡ଼ ଭିତରେ ପଡ଼ିଛନ୍ତି ତିନି ରଥର ପାର୍ଶ୍ୱ ଦେବଦେବୀ । ଶ୍ରୀଜୀଉଙ୍କ ନବଦିନଯାତ୍ରାରେ ଯେଉଁ ପାର୍ଶ୍ୱ ଦେବଦେବୀ ପୂଜା ପାଆନ୍ତି, ଯେଉଁମାନଙ୍କ ପାଇଁ ରଥରେ ଅଧରପଣା ନୀତି ହୁଏ, ସେମାନଙ୍କୁ ଫିଙ୍ଗା ଫୋପଡ଼ା ସ୍ଥିତିରେ ରଖାଯିବାକୁ ନେଇ ରୂପକାର ସେବାୟତଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ହେଲେ ଏଠି ପ୍ରଶ୍ନ ଉଠୁଛି, ସାରଥୀ ଓ ପାର୍ଶ୍ୱ ଦେବଦେବୀଙ୍କ ପ୍ରତି କାହିଁକି ଏ ଅବହେଳା ? ଶ୍ରୀଜଗନ୍ନାଥ ପରଂପରା ପ୍ରତି କାହିଁକି ଏ କୁଠାରଘାତ ? ରଥଯାତ୍ରା ବେଳେ ପୂଜା ପାଉଥିବା ପ୍ରତିମୂର୍ତ୍ତିଙ୍କୁ ଯତ୍ନ ଓ ସମ୍ମାନର ସହ ରଖାଯିବାରେ ସମସ୍ୟା କେଉଁଠି ? ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା କଥା, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଏସବୁ ପ୍ରତିମୂର୍ତ୍ତିଙ୍କୁ କିଭଳି ନିର୍ଦ୍ଦିଷ୍ଟ ସ୍ଥାନରେ ସସମ୍ମାନେ ରଖାଯିବ ସେନେଇ ପଦକ୍ଷେପ ନିଆଯିବ ।

 

  • Reported by:
  • MADHUSUDAN MISHRA