/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683734711.jpg)
Boat Capsized
ହଁ, ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନା ବୋହି ନେଉଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟ ପାଲଟ ହୋଇଗଲା । କ୍ଷଣିକରେ ସମସ୍ତେ ବୁଡ଼ିଗଲେ ନଈରେ, ଯିଏ ଯେମିତି ପାରିଲା କୂଳରେ ଲାଗିଲା ଆଉ ବାକି ନଈ ଗର୍ଭରେ ନେଇଗଲେ ସଲୀଲ ସମାଧି । ନାଉରିଆଙ୍କ ଜୀବନ ବି ଗଲା ।
ହେଲେ ଆମ କାହାଣୀର ନାୟକ ସେ ନାଉରିଆ ସୁଦର୍ଶନ । କାହିଁକିନା ମୂଲ୍ୟବାନ ତିନି ତିନିଟି ଜୀବନ ବଞ୍ଚାଇ ଆଉ ଜଣଙ୍କୁ ବଞ୍ଚାଇବାକୁ ଯାଉଥିବା ନାଉରିଆ ସୁଦର୍ଶନ ସ୍ୱାଇଁ ସେଦିନ ନିଜେ ମରଣମୁହଁକୁ ଚାଲିଯାଇଥିଲେ । ଆଉ ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।
ସୁଦର୍ଶନ ସ୍ୱାଇଁ ଦୀର୍ଘ ୨୦ ବର୍ଷ ହେବ ବ୍ରାହ୍ମଣୀ ନଦୀରେ ଘାଟ ପକାଇ ପରିବାର ପାଳୁଥିଲେ । କି ଖରା, କି ବର୍ଷା -ବାତ୍ୟା ହେଉ ବା ବନ୍ୟା ସବୁବେଳେ ସମସ୍ତଙ୍କୁ ସହଯୋଗ କରିଆସୁଥିଲେ । ଗଲା ମାସ ୨୭ ତାରିଖରେ କିନ୍ତୁ ସବୁ କିଛି ବଦଳି ଯାଇଥିଲା । କେନ୍ଦ୍ରାପଡ଼ା ଏକମାଣିଆରୁ ରାଜନଗର କେରେଡ଼ାଗଡ଼କୁ ଡଙ୍ଗାରେ ଫେରୁଥିବାବେଳେ ବ୍ରାହ୍ମଣନଦୀରେ ଓଲଟି ପଡ଼ିଥିଲା ଡଙ୍ଗା । ଡଙ୍ଗାରେ ଥିଲେ ପ୍ରାୟ ୨୮ ଜଣ ଯାତ୍ରୀ । ୪ଟି ବାଇକ ସହ ସାଇକେଲ ବି ଲଦା ହୋଇଥିଲା । ହେଲେ ଭାରସାମ୍ୟ ହରାଇ ମଝି ନଈରେ ଡଙ୍ଗାଟି ବୁଡ଼ିଯିବାରୁ ସମସ୍ତେ ଖସିପଡ଼ିଥିଲେ ନଦୀ ଭିତରକୁ ।
ଏକମାଣିଆ-କେରେଡ଼ାଗଡ଼ ଭିତରେ ଏଭଳି ବିପଦଜ୍ଜନକ ନୌଯାତ୍ରା କିମ୍ବା ଅଘଟଣ ନୂଆ ନୁହେଁ । ଫେବ୍ରୁୟାରୀ ୮ରେ ୨୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ବୁଡ଼ିଯାଇଥିଲା । ଅବଶ୍ୟ କାହାର କୌଣସି କ୍ଷତି ଘଟିନଥିଲା । ବ୍ରାହ୍ମଣୀ ଓ ଖରସ୍ରୋତା ଘେରରେ ରହିଥିବା ଏକମାଣିଆ ସହ କେରେଡ଼ାଗଡ଼ ମଧ୍ୟରେ ଯାତାୟାତ ପାଇଁ ୨୦୧୬ ନଭେମ୍ବର ୮ରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ୬ ବର୍ଷ ପୁରିଯାଇଥିଲେ ବି ବାଲି ମୁଠାଏ ପଡ଼ିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)