• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ୫, ବିଜୁ ଜୟନ୍ତୀରୁ ଭୁବନେଶ୍ୱର ବିମାନବନ୍ଦରର ଶୋଭା ବଢ଼ାଇବ ବିଜୁ ବାବୁଙ୍କ ଡାକୋଟା । ତାହା ପୁଣି ନୂଆ ରୂପରେ । ବିମାନବନ୍ଦରର ଷ୍ଟେଟ୍ ହ୍ୟାଙ୍ଗରରେ ଆରମ୍ଭ ହୋଇଛି ଡାକୋଟାର ନବକଳେବର । ବହୁ ପୁରୁଣା ଡାକୋଟା ଏୟାରକ୍ରାଫ୍ଟର ବଡ଼ି, ଇଞ୍ଜିନ, ୱିଙ୍ଗ୍ ସମେତ ବିଭିନ୍ନ ଅଂଶ ନଷ୍ଟ ହୋଇଯାଇଛି । ମରାମତି, ନବୀକରଣ ଓ ବିମାନବନ୍ଦର ପରିସରରେ ପୁନଃସ୍ଥାପନ ଲାଗି ଖର୍ଚ୍ଚ ହେବ ପାଖାପାଖି ୩ କୋଟି । କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱର ଆଣିବା ପାଇଁ ଖର୍ଚ୍ଚ ହୋଇଛି ୭୫ ଲକ୍ଷ ।

ଏ ସମସ୍ତ କାମ ଲାଗି ଭୁବନେଶ୍ୱରସ୍ଥିତ ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ନାମକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଜେନ୍ସି ପକ୍ଷରୁ ଏବେ ଡାକୋଟାର ଡେଣ୍ଟିଂ ଓ ପେଣ୍ଟିଂ କାମ ଆରମ୍ଭ ହୋଇଯାଇଛି । ଯେଉଁ ଅଂଶ ନଷ୍ଟ ହୋଇଯାଇଛି, ତାହାର ମରାମତି ହେବ । ଏହାପରେ ଡାକୋଟାର ବିଭିନ୍ନ ଅଂଶକୁ ପୁଣିଥରେ ଷ୍ଟେଟ୍ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖକୁ ଅଣାଯିବ । ଟର୍ମିନାଲ-୧ ସମ୍ମୁଖରେ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଲିଜ୍‌ରେ ଯୋଗାଇ ଦେଇଥିବା ୧.୧ ଏକର ଜାଗାରେ ପେଡେଷ୍ଟ୍ରାଲ ତିଆରି କରି ଡାକୋଟାକୁ ଇନ୍‌ଷ୍ଟଲ୍ କରାଯିବ, ଯାହାକି ବିଜୁ ବାବୁଙ୍କ ସ୍ମୃତି ବଖାଣିବ ।

ଡାକୋଟା ଭୁବନେଶ୍ୱର ଫେରିବା ପରେ ଅନେକଙ୍କ ମନରେ ପ୍ରଶ୍ନ । କେବେ ତିଆରି ହୋଇଥିଲା ଏ ଡାକୋଟା ? କେଉଁ କାମରେ ବ୍ୟବହାର ହେଉଥିଲା ? ବିଜୁ ବାବୁଙ୍କ ସହ ଏହା କିଭଳି ଜଡ଼ିତ ? ଡାକୋଟା ଉଡ଼ାଇଥିବା ପାଇଲଟ୍ ତଥା ଐତିହ୍ୟ ଗବେଷକ ଅନୀଲ ଧୀରଙ୍କ ମତରେ, ଭୁବନେଶ୍ୱରକୁ ଅଣାଯାଇଥିବା ଡାକୋଟା ବିଜୁ ବାବୁଙ୍କର ନିଜସ୍ୱ ନୁହେଁ । ଏହାକୁ ବିଜୁ ବାବୁ ଲିଜ୍‌ରେ ଆଣିଥିଲେ । ୧୯୪୪ ମସିହାରେ ଏହି ଡାକୋଟା ୟୁଏସ୍ ଏୟାରଫୋର୍ସ ପାଇଁ ତିଆରି ହୋଇଥିଲା । ପରେ ଏହାକୁ ଭାରତର ରୟାଲ ଇଣ୍ଡିଆ ଏୟାରଫୋର୍ସକୁ ହସ୍ତାନ୍ତର କରାଯାଇଥିଲା । ପରେ ଏହାକୁ ବିଜୁ ବାବୁ କଳିଙ୍ଗ ଏୟାରଲାଇନ୍ସ ପାଇଁ ଲିଜ୍‌ରେ ଆଣିବା ସହ ନିଜେ ୨୭ ମାସ ଧରି ଉଡ଼ାଇଥିଲେ ।

ତେବେ କାଳକ୍ରମେ କୋଲକାତା ବିମାନବନ୍ଦରରେ ଏହା ପାଖାପାଖି ୫୫ ବର୍ଷ ପଡ଼ି ରହିବା ପରେ ଏବେ ଏହା ଭୁବନେଶ୍ୱର ଆସିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଅନୀଲ ।