• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତାରେ ଗର୍ଜିଲେଣି ଡ୍ରାଇଭର । ରାଜଧାନୀରେ ପ୍ରବଳ ଭିଡ଼ । ଦେଖାଦେଲା ଟ୍ରାଫିକ୍‌ ସମସ୍ୟା । ଧର୍ମଘଟ ଜିଦ୍‌ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଆଜିଠୁ ହଲ୍ଳାବୋଲ କରିବ ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ ।

ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ ଫଳପ୍ରଦ ନହେବାରୁ ଆଜିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ ।

 

ଏହି ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଛି । ତେବେ ଆନ୍ଦୋଳନରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ୍ ମାଲିକ ସଂଘ ସମେତ ୨୦ରୁ ଅଧିକ ସଂଘ ସାମିଲ ହେଉନଥିବାରୁ ମୁହାଁମୁହିଁ ସ୍ଥିତି ଉପୁଜିବାର ଆଶଙ୍କା ରହିଛି ।

 

ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ୧୧୨କୁ କଲ୍ କରିବା ଲାଗି ପୋଲିସ
କମିଶନର ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଲୋକଙ୍କୁ ସହଯୋଗ ପାଇଁ ଡ୍ରାଇଭର ସଂଘକୁ ନିବେଦନ କରିବା ସହ ଉଚ୍ଚସ୍ତରୀୟ କମିଟି କରି ଦାବି ବିଚାର କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଆରମ୍ଭ ହୋଇଛି ଡ୍ରାଇଭର ସଂଘର ଆନ୍ଦୋଳନ। ।