• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ବଢ଼ିଲେ ତାତି ବଢ଼ୁଛି... ଦୁଲୁକୁଛି ଯାତ୍ରା ପେଣ୍ଡାଲ୍... ଯାତ୍ରାର କାହାଣୀ ଆରମ୍ଭ ହେବା ଆଗରୁ ଆଇଟମ ଡାନ୍ସ ନାଁରେ ବେଧଡକ୍ ଚାଲୁଛି ଅଙ୍ଗପ୍ରଦର୍ଶନ । କେଉଁଠି ଆଇଟମ ଡାନ୍ସରମାନେ ଦ୍ୱିଅର୍ଥ ବୋଧକ ଶବ୍ଦ କହି ମାହୋଲ ଗରମ କରୁଛନ୍ତି ତ ଆଉ କେଉଁଠି ଦର୍ଶକଙ୍କୁ ଖୁଲମ ଖୁଲା ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଛନ୍ତି। ଯାତ୍ରା ପେଣ୍ଡାଲରେ ସୀମା ଟପିଗଲାଣି ନଗ୍ନତା । ସ୍ଥିତି ଏମିତି ହେଲାଣି ଯେ, ସପରିବାର ଏକାଠି ଆଉ ଯାତ୍ରା ଦେଖିବାକୁ ଯାଇ ପାରୁ ନାହାନ୍ତି ।

ଦିନକୁ ଦିନ ଅଶ୍ଳୀଳତା ଆଡକୁ ଯାତ୍ରା କରୁଥିଲା ବେଳେ ଲଗାମ ଦେବାକୁ କୌଣସି ନୀତି ନିୟମ ନଥିଲା । ହେଲେ ଏସବୁ ଆଉ ଏଣିକି ଚଳିବ ନାହିଁ । ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂଳାପ ଏବଂ ଅଭିନୟ ପ୍ରଦର୍ଶନ ବନ୍ଦ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖି ଜଣାଯାଇଛି । ଅଶ୍ଳୀଳ ଏବଂ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏଥିରେ କୁହାଯାଇଛି ।

ଯାତ୍ରା ଓ ମେଲୋଡି ଦଳକୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳି ଭାବେ ଏହାକୁ ଉଲ୍ଲେଖ କରିବାକୁ କୁହାଯାଇଛି । ଏହାକୁ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ସଂସ୍କୃତି ବିଭାଗର ଏ ନିଷ୍ପତ୍ତିକୁ ଯାତ୍ରା କଳାକାର ସ୍ୱାଗତ କରିଥିଲେ ବି ଏହା କେତେଦୂର ପାଳନ ହୋଇପାରିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜୀବନ୍ତ ଅଭିନୟ ଦେଖିବା ପାଇଁ ଅନେକ ଲୋକ ଯାତ୍ରାକୁ ପସନ୍ଦ କରନ୍ତି । ହେଲେ ଅଶ୍ଲୀଳତା ପାଇଁ ଯାତ୍ରା ଦେଖି ଯିବାକୁ ଅନେକ ଉଚିତ୍ ଭାବୁନାହାନ୍ତି । ଅଶ୍ଳୀଳ ନୃତ୍ୟ ଓ ଅଭିନୟ ବେଳେ କେଉଁଠି ଚପଲ ମାଡ ତ କେଉଁଠି ହଙ୍ଗାମା ହେଉଛି । ୟାରି ଭିତରେ ସଂସ୍କୃତି ବିଭାଗର ଏ ପଦକ୍ଷେପ ଅଶ୍ଳୀଳ ଆଇଟମ ଉପରେ ଲଗାମ ଲଗାଇ ପାରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।