• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଷ୍ଠୁର ନିୟତିର କ୍ରୁର ଉପହାସ । ମାତ୍ର କିଛି ସମୟ ଭିତରେ ସବୁ କିଛି ଓଲଟ ପାଲଟ । ସାଥୀ ହୋଇ ସଂସାର ଆରମ୍ଭ କରିବା ଆଗରୁ ଜଣେ ଆର ଜଣକୁ ଠକି ଦେଇ ଚାଲି ଗଲା ଅଫେରା ରାଇଜକୁ । ପୁଅର ବିବାହ ପାଇଁ ଯେଉଁ ଘରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା, ଭୋଜି ଭାତର ପ୍ରସ୍ତୁତି ଚାଲିଥିଲା, ସେଠାରେ ମୃତ୍ୟୁ ପରର କାନ୍ଦ ବୋବାଳି । ଛାତି ଫଟାଇ କାନ୍ଦୁଛନ୍ତି ସମସ୍ତେ । ଘର, ପରିବାର, ପାଖ ପଡ଼ିଶା, ବନ୍ଧୁ ବାନ୍ଧୁବ କେହି ବିଶ୍ୱାସ କରିପାରୁ ନାହାନ୍ତି, ଅଚାନକ ଏ କଣ ହୋଇଗଲା । ଖୋଦ୍ ବରର ମୃତ୍ୟୁ ।

ଆଜି ଚଉଠି ଥିବା ବେଳେ ସକାଳୁ ଅଜୟଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଦେଇଛି । ପରିବାର ଲୋକେ କହିଛନ୍ତି, ବୋଧହୁଏ ଭୋରରୁ ଶୌଚ ପାଇଁ ଘର ପାଖ ଗଡ଼ିଆକୁ ଯାଇଥିଲେ ଅଜୟ । ବହୁ ସମୟ ଯାଏ ନ ଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଗଡ଼ିଆରେ ଭାସୁଥିବା ଅବସ୍ଥାରେ ତାଙ୍କୁ ଠାବ କରାଯାଇଥିଲା । ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦାରୁଣ ଘଟଣା ପରେ ନିମିଷେକ ମଧ୍ୟରେ ବଦଳି ଯାଇଛି ଦୃଶ୍ୟ ।

ମାତ୍ର ଦିନକ ତଳେ ଗତ ବୁଧବାର ହୋଇଥିଲା ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖଡୁପାହି ଗାଁର ଅଜୟଙ୍କ ବାହାଘର। ବଡ଼ ଧୁମଧାମରେ ଚାନ୍ଦିପୁର ଅଞ୍ଚଳର ଚାନ୍ଦିନୀଙ୍କ ସହିତ ବିବାହ ହୋଇଥିଲା । ସାତ ଜନ୍ମର ସାଥୀ କରିବାର ପ୍ରତିଶ୍ରୁତି ଦେଇ ଅଗ୍ନିକୁ ସାକ୍ଷୀ ରଖି ଚାନ୍ଦିନୀଙ୍କ ହାତ ଧରିଥିଲେ ଅଜୟ । କିନ୍ତୁ ଚଉଠି ବି ହୋଇପାରିଲା ନାହିଁ । ସାତ ଜନ୍ମ କଥା ଛାଡ଼ନ୍ତୁ, ଏଇ ଜନ୍ମରେ ଏକାଠି ଜୀବନ ଆରମ୍ଭ କରିବା ଆଗରୁ ଚାନ୍ଦିନୀଙ୍କୁ ଠକିଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଅଜୟ ।

ଆଜି ଦିନ ବେଳା ଥିଲା ଅଜୟଙ୍କ ରିସେପସନ୍ । ଭୋଜି ଭାତ ପାଇଁ ସବୁ ଆୟୋଜନ ହୋଇଥିଲା । କିନ୍ତୁ ତା ଆଗରୁ ଏତେ ବଡ଼ ଅଘଟଣ । ଯେଉଁମାନେ ବରଯାତ୍ରୀରେ ଯାଇ ନିର୍ଧୁମ୍ ନାଚିଥିଲେ, ହାତଗୋଡ଼ର ଦରଜ ଯିବା ଆଗରୁ ସେମାନେ ପୁଣି କୋକେଇ ବାନ୍ଧି ଅଜୟଙ୍କୁ ମଶାଣିକୁ ନେଇ ଚିର ବିଦାୟ ଦେଇଛନ୍ତି। କନ୍ୟାଙ୍କୁ ଫେରାଇ ନେଇଛନ୍ତି ତାଙ୍କ ଘର ଲୋକେ ।