• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ତାଙ୍କୁ ପିତୃତୂଲ୍ୟ ବୋଲି କହୁଛନ୍ତି ତ ଆଉ କିଏ ତାଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି । ଯାହାଙ୍କ ବିଷୟରେ ଚର୍ଚ୍ଚା କଲାବେଳେ ଲୋକଙ୍କ ହୃଦୟରେ ବିରାଜିତ ହୋଇଯାଉଛନ୍ତି ଦେବଦୂତ ଭଳି। କାରଣ ଡାକ୍ତର ହେବାର ସ୍ୱପ୍ନ ଭିତରେ ଅଭାବର ଶିକୁଳି ଛିଣ୍ଡାଇ ଆର୍ଥିକ ସହାୟତାର ମାଧ୍ୟମ ସାଜିଛନ୍ତି ସେ । ଆଉ ସେ ହେଉଛନ୍ତି ପ୍ରୀତୀଶ ଚନ୍ଦ୍ର ବାସା । ଅତୁଟ ବନ୍ଧନ ନାଁରେ ଅନୁଷ୍ଠାନ ତ ନୁହେଁ, ଏକ ପରିବାର ତିଆରି କରି ମେଧାବୀ ଆଉ ଅଭାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତର ନିର୍ମାତା ସାଜିଛନ୍ତି ।

ଏହି ପରିବାର ଗଢ଼ି ଉଠିବାର ବହୁତ ବର୍ଷ ହୋଇନି । ମାତ୍ର ୧୪ ମାସ ହୋଇଛି । ଏହି ୧୪ ମାସ ଭିତରେ ଅଭାବ ଅନଟନ ସହ ଯୁଝୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହଯୋଗ ପାଇଁ ବିଭିନ୍ନ ବର୍ଗଙ୍କଠାରୁ ଅର୍ଥ ରାଶି ଆଣି ସହାୟତା ଯୋଗାଇଛନ୍ତି ପ୍ରୀତୀଶ । ପ୍ରୀତୀଶଙ୍କ କହିବା କଥା, ଦାତା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆମେ ଟଙ୍କାଟିଏ ବି ନେଇନୁ । ଆମ କାମ ହେଲା ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହ ସିଧାସଳଖ ପିଲାଙ୍କୁ ଯୋଡ଼ିବା ।

୨୦୨୨, ମେ ୧୫ ତାରିଖ। ନିଜ ପୁଅର ତୃତୀୟ ବାର୍ଷିକୀ ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରୀତୀଶ ଆରମ୍ଭ କରିଥିଲେ ଅତୁଟ ବନ୍ଧନ ନାମକ ଏହି ପରିବାର। ବର୍ଷକ ତଳେ ଆର୍ଥିକ ସହାୟତା ପାଇଁ ମାତ୍ର ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିବା ଏବଂ ସହଯୋଗ ପାଇଁ ଇଚ୍ଛୁକ ଥିବା ବନ୍ଧୁ ପରିଜନଙ୍କ ସହ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ସିଧାସଳଖ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ଧିରେ ଧିରେ ଅଭାବୀ ଆଉ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀ ଅତୁଟ ବନ୍ଧନ ସହ ଯୋଡ଼ି ହେଲେ ଏକ ପରିବାର ଭାବେ । ଆଜି ଏହି ପରିବାରରେ ଅଛନ୍ତି ୫୨ ଡାକ୍ତରୀ ଛାତ୍ରଛାତ୍ରୀ । ଯେଉଁ ପିଲା ଯେବେ ରୋଜଗାରକ୍ଷମ ହେବେ ସେତେବେଳକୁ ସେମାନେ ବି ଅଭାବୀ ପିଲାଙ୍କୁ ସହଯୋଗ କରିବେ ବୋଲି ପରାମର୍ଶ ଦେଇଛନ୍ତି ପ୍ରୀତୀଶ ।

ଓଡ଼ିଶା ଗସ୍ତରେ ଥିବା ମହାମହିମଙ୍କ ନଜର ଏବେ ଏହି ପରିବାର ଉପରେ। ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପିଲାଙ୍କ ସହ ଭାବ ବିନିମୟ ପାଇଁ ସମୟ ମାଗିଥିଲେ ପ୍ରୀତୀଶ । ଆଉ ପ୍ରୀତୀଶଙ୍କ ନିବେଦନକୁ ରକ୍ଷା ବି କରିଛନ୍ତି ମହାମହିମ । ଏହାକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ ଏବଂ ସହାୟତାର ହାତ ବଢ଼ାଇଥିବା ବଦାନ୍ୟ ବ୍ୟକ୍ତି ବିଶେଷ ।

  • Reported by:
  • DEBASHISH MOHANTY , ASHOK BRAHMA , BIBARTAN PANDA