• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିଜେ ନାଇଟ୍ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଚଗୀତରେ ଦୁଲୁକିବ ମଞ୍ଚ । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ସବୁଠି ଜୋରଦାର ପ୍ରସ୍ତୁତି । ସମ୍ବଲପୁର ସହରର ବିଭିନ୍ନ ହୋଟେଲ୍‌ ଗୁଡ଼ିକୁ ଚିକ୍‌ଚିକ୍‌ ଆଲୋକରେ ସଜାଯାଇଛି । ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଲାଣି ଷ୍ଟେଜ୍ । ଖାଲି ମନୋରଂଜନ କାର୍ଯ୍ୟକ୍ରମ କାହିଁକି, ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି ।

ନବବର୍ଷକୁ ସ୍ୱାଗତ କରିବାକୁ ପଛରେ ପଡିନି ବାଲେଶ୍ୱର । ସହରର ବଡ଼ ବଡ଼ ହୋଟେଲ ଓ କ୍ଲବ ମାନଙ୍କ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଏପଟେ ନୂଆବର୍ଷ ଲାଗି ରାଉରକେଲା ସହରର ପୁରୁଣା କ୍ଳବ ବ୍ରାହ୍ମଣୀ କ୍ଳବରେ ହୋଇଛି ବିଶେଷ ବ୍ୟବସ୍ଥା । କୋଲକାତା ଓ ମୁମ୍ବାଇରୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ଆସୁଛନ୍ତି କଳାକାର ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ହୋଟେଲ୍ ଏବଂ କ୍ଲବ୍‌ରେ ଜିରୋ ନାଇଟ୍ ସେଲିବ୍ରେସନ ଲାଗି ବଡ଼ ଧରଣର ଆୟୋଜନ କରାଯାଉଛି । କଟକରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ କ୍ଲବ, ୟୁନିଅନ୍ କ୍ଲବ ଏବଂ ଓସିଏ କ୍ଲବରେ ହୋଇଛି ବ୍ୟାପକ ଆୟୋଜନ । ଓଲିଉଡ, ବଲିଉଡ୍ ତଥା ରୁଷିଆନ୍ କଳାକାରଙ୍କ ଡାନ୍ସରେ ଝୁମିବେ ଦର୍ଶକ । ରେଶମ ସହର ବ୍ରହ୍ମପୁରରେ ବି ନାମୀଦାମୀ ହୋଟେଲ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ପଶ୍ଚିମବଙ୍ଗ ଏବଂ ଭୁବନେଶ୍ୱରରୁ କଳାକାରମାନେ ଆସୁଥିବା ବେଳେ ଏଥର ଜମିବ ଜିରୋ ନାଇଟ୍ ।

ସେପଟେ ନବବର୍ଷ ପୂର୍ବରୁ ପୁରୀରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି । ଡିସେମ୍ବର ୩୧ ଓ ଜାନୁଆରୀ ୧, ଦୁଇ ଦିନ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଲାଗି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବେଳାଭୂମି ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ସହ ଟ୍ରାଫିକ ବ୍ୟବସ୍ଥା ସୁବନ୍ଦୋବସ୍ତ କରିବା ଲାଗି ପଦକ୍ଷେପ ନିଆଯାଇଥିବା ଏସ୍‌ପି କହିଛନ୍ତି । ସେହିପରି ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ଲାଗି ଦୁଇଦିନ ଧରି ସିଂହଦ୍ୱାରରୁ ବଡ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିରୋ ନାଇଟ ସେଲିବ୍ରେସନ୍ ପୂର୍ବରୁ ହୋଟେଲ ମାଲିକଙ୍କ ସହ ବୈଠକ କରିଛି ପୁରୀ ପୋଲିସ । ପୁରୀକୁ ଆସୁଥିବା ପର୍ଯ୍ୟଟକ କିଭଳି ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।