• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ଏବେ ଅଗ୍ନିବୀରଙ୍କୁ ନେଇ ଚର୍ଚ୍ଚା । ଯେବେଠୁ କେନ୍ଦ୍ର ସରକାର ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆରମ୍ଭରୁ ବିରୋଧୀ ଏହାକୁ ନେଇ ବିରୋଧ କରିଥିଲେ ମଧ୍ୟ ଏବେ କେନ୍ଦ୍ର ସରକାର ହଜାର ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦେଇସାରିଛନ୍ତି । ବିଭିନ୍ନ ସ୍ଥାନରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯାଉଛି । ସେମାନେ ଯେଭଳି ଆପତ୍ତକାଳିନ ପରିସ୍ଥିତିରେ ଦେଶକୁ ତଥା ଦେଶବାସୀଙ୍କୁ ବିପଦରୁ ମୁକ୍ତ କରିପାରିବେ ସେଭଳି ପ୍ରଶିକ୍ଷଣ ଦିଆଯାଉଛି ।

ତେବେ ଏହାରି ଭିତରେ ଏବେ ଖୋର୍ଦ୍ଧା ସ୍ଥିତ INS ଚିଲିକାରେ ମଧ୍ୟ ଅଗ୍ନିବୀରଙ୍କୁ ଦିଆଯାଉଛି କଡ଼ା ପ୍ରଶିକ୍ଷଣ । ଚଳନ୍ତା ଜାହାଜରୁ ଅନ୍ୟ ଜାହାଜକୁ କେମିତି ହେବେ ସ୍ଥାନାନ୍ତର, ସେନେଇ ଦିଆଯାଉଛି ତାଲିମ । ଖାଲି ସେତିକି ନୁହେଁ ଚଳନ୍ତା ଜାହାଜରୁ ରୋଗୀ କିମ୍ବା ଅନ୍ୟ ସାମଗ୍ରୀ ଆଦି ଯୁଦ୍ଧକାଳିନ ଭିତ୍ତିରେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ନେଇ ମଧ୍ୟ ଅଗ୍ନିବୀରଙ୍କୁ ଟ୍ରେନିଂ ଦିଆଯାଉଛି । ଯୁଦ୍ଧ ସମୟରେ ଗୋଟିଏ ଜାହାଜରୁ ଅନ୍ୟ ଗୋଟିଏ ଜାହାଜକୁ ଯବାନମାନଙ୍କୁ ମଧ୍ୟ ସ୍ଥାନାନ୍ତର ହେବାର କୌଶଳ ଶିଖାଯାଉଛି ।

ଅନ୍ୟପଟେ ଅଗ୍ନିବୀରଙ୍କୁ ଚିଲିକାର ନୀଳ ଜଳରାଶି ଭିତରେ ନୌଚାଳନାର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଆସନ୍ତା ୨୮ ମାର୍ଚ୍ଚରେ ଆଇଏନଏସ ଚିଲିକାରେ ପ୍ରଶିକ୍ଷିତ ଯବାନମାନଙ୍କର ପାସିଂ ଆଉଟ୍‌ ପରେଡ ଅନୁଷ୍ଠିତ ହେବ । ଏହି ପାସିଂ ଆଉଟ୍‌ ପରେଡ୍ ପରେ ଅଗ୍ନିବୀରଙ୍କୁ ଭାରତୀୟ ନୌସେନାରେ ସାମିଲ କରାଯିବ । ଏହି ବୃହତ ଅଂଶରେ ସାମିଲ ହେବାର ସୁଯୋଗ ପାଇଥିବାରୁ ପ୍ରତ୍ୟେକ ଅଗ୍ନିବୀର ନିଜକୁ ଧନ୍ୟମନେ କରିଛନ୍ତି । ସେମାନଙ୍କ କହିବାନୁଯାୟୀ, ସେ ଅଗ୍ନିବୀରରେ ସାମିଲ ହୋଇ ଦେଶ ସେବା କରିବାର ସୁଯୋଗ ପାଇଥିବାରୁ ତାଙ୍କ ପରିବାର ମଧ୍ୟ ଆଜି ଗର୍ବିତ । ଟ୍ରେନିଂ ସମୟରେ ତାଙ୍କୁ ଅନେକ କିଛି ଶିକ୍ଷା ଦିଆଯାଇଛି । ବିପଦ ସମୟରେ କିଭଳି ଲୋକଙ୍କୁ ଉଦ୍ଧାର କରାଯାଇପାରିବ ବା ଶତ୍ରୁଙ୍କ କବଳରୁ ଦେଶକୁ କିଭଳି ସୁରକ୍ଷା ଦିଆଯିବ ଏସବୁ ଦିଗରେ ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।