ମିଳିବ ବିପଦନକ ଜଳଯାତ୍ରାରୁ ମୁକ୍ତି । ପୂରଣ ହେବ ଦ୍ୱିପାଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ। ଆଉ ଭସାପୋଲ କିମ୍ବା ଯନ୍ତ୍ରଚାଳିତ ଡଙ୍ଗା ଉପରେ କରିବାକୁ ପଡ଼ିବନି ଭରସା । କାରଣ ନିର୍ମାଣ ହେବ ଆଖିଦୃଶିଆ ପୋଲ । ପୁରୀ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ହେବ ସଂଯୋଗୀକରଣ।
Also Read
ଚିଲିକାରେ ଥିବା ସାତପଡ଼ାରୁ ବରମପୁର ଦୀପ ଯାଏଁ ଏବଂ ମଏଷାରୁ ଜହ୍ନିକୁଦା ଯାଏଁ ସିଗ୍ନେଚର ବ୍ରିଜ୍ ତିଆରି ହେବ। ଅର୍ଥାତ ଉଭୟ ବ୍ରିଜର ଲମ୍ବ ଦେଢ଼ କିଲୋମିଟର ରହିବ ଏବଂ ଏଥିରେ କୌଣସି ପିଲର୍ ରହିବ ନାହିଁ। ଏହି ବ୍ରିଜ୍ ହେଲେ ଜାତୀୟ ରାଜପଥ ୩୧୬ ଏବଂ ୫୧୬-ଏ ମଧ୍ୟରେ ସଂଯୋଗୀକରଣ ହୋଇପାରିବ।
ଏଥିସହିତ ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।
ଏହାପରେ ଗତ ୧୫ ତାରିଖରେ ଗଡ଼କରୀ ଏ ସଂପର୍କରେ ଘୋଷଣା କରିଥିବାବେଳେ ଏବେ ନୂଆ DPR ପ୍ରସ୍ତୁତି ଜାରି ରହିଛି । ଆସନ୍ତା ୩ ମାସ ପରେ ଆରମ୍ଭ ହେବ ଏହି ସ୍ବତନ୍ତ୍ର ବ୍ରିଜ୍।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଛି ୨୧ଟି ପଞ୍ଚାୟତ। ଚିଲିକା ମଧ୍ୟରେ ରହିଛି ୧୪ଟି ପଞ୍ଚାୟତ। ତାହାରି ଭିତରେ ୯୨ଟି ଗାଁର ଲୋକେ ଗମନାଗମନଠାରୁ ଆରମ୍ଭ କରି ଜୀବନ ଜୀବିକା ପାଇଁ ସଂଘର୍ଷ କରିଥାନ୍ତି। କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ପାଇଁ ଚିଲିକାର ଜଳରାଶିରେ ୫ କିଲୋମିଟର ଯାଏଁ ଗମନାଗମନ ବ୍ୟବସ୍ଥା ସବୁବେଳେ ବିପଦସାବ୍ୟସ୍ତ ହୋଇଛି। ଝଡ଼ ବାତ୍ୟା ହେଲେ କିମ୍ବା ଡଙ୍ଗାରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ପାଣି ଭିତରେ ନାନା ସମସ୍ୟା ଭୋଗିବାକୁ ପଡ଼ିଛି ଅଞ୍ଚଳବାସୀଙ୍କୁ।
ଏବେ ବ୍ରିଜ୍ ବନିଗଲେ ପୁରୀ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ବଢ଼ିବା ସହିତ ସ୍ଥାନୀୟ ଅଂଚଳର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସିନ୍ଦା।
#ଚିଲିକାର_ନୀଳ_ଜଳରାଶିରେ_ଲେଖାହେବ_ନୂଆ_ଇତିହାସ
— ଓଟିଭି (@otvkhabar) February 19, 2024
ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ। ଦୂର ହେବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦବାସୀଙ୍କ ଦୁଃଖ । ବିପଦପୂର୍ଣ୍ଣ ନୌଯାତ୍ରା ଏଡ଼ାଇବାକୁ ଚିଲିକାରେ ହେବ ସିଗ୍ନେଚର୍ ବ୍ରିଜ୍ । ସାତପଡ଼ାରୁ ଜହ୍ନିକୁଦା ମଧ୍ୟରେ ବ୍ରିଜ ତିଆରି କରିବେ କେନ୍ଦ୍ର ସରକାର ।#chilika #bridge #puri #otv pic.twitter.com/W3nXLc39CX
- Reported by:
- MADHUSUDAN MISHRA , SIBANANDA ROUT