• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ଜମୁଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ସାଙ୍ଗକୁ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀପଠାରେ ସନ୍ଧ୍ୟା ହୋଇଗଲେ ବେଶ୍ ଭିଡ ଜମୁଛି । ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ମେଳା ବୁଲିବାକୁ ଆସୁଛନ୍ତି । କିଣାକିଣି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଛନ୍ତି । ଖାଲି ଦୋଳି ନୁହେଁ, ବାରିପଦା ମୁଢିମାଂସ ସାଙ୍ଗକୁ ଓରମାସ ଫୁଡଷ୍ଟଲରୁ ମଜା ଉଠାଉଛନ୍ତି ସଭିଏ । ତାସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରୁଛନ୍ତି ପିଲାଠୁ ବୁଢା ।

ବୁଲାବୁଲି ସାଙ୍ଗକୁ ଭଳିକି ଭଳି ଦୋଳିରେ ବସି ମଜା ଉଠାଉଛନ୍ତି ଦର୍ଶକ । ବ୍ରେକ୍ ଡ୍ୟାନସ, ଡ୍ରାଗନ, ରାମ ଦୋଳି ସହ ଡଙ୍ଗା ଦୋଳି । ଆଉ ଏହି ଦୋଳି ଆକର୍ଷଣୀୟ ରଙ୍ଗୀନ ଆଲୋକରେ ଝଲସୁଛି । ପିଲାଠୁ ବୟସ୍କ ସମସ୍ତେ ଏଥିରୁ ମଜା ଉଠାଉଛନ୍ତି । ସନ୍ଧ୍ୟା ହୋଇଗଲେ ଅସମ୍ଭାଳ ଭିଡ । କିଏ ଖାଦ୍ୟ ଷ୍ଟଲ ଆଡକୁ ତ ଆଉ କିଏ ଅନ୍ୟ ଷ୍ଟଲ ମୁହାଁ । ଓରମାସ ଫୁଡ ଷ୍ଟଲ ସାଙ୍ଗକୁ ଅନ୍ୟ ଷ୍ଟଲରୁ ଆସୁଥିବା ବାସ୍ନା ଲୋକଙ୍କୁ କିଛି କ୍ଷଣ ଲାଗି ଅନ୍ୟମନସ୍କ କରିଦେଉଛି।

ବାରିପଦା ମୁଢିମାଂସ, ମଟନ ଚକୁଳି, ବାମ୍ବୋ ମଟନ, ପତ୍ରପୋଡା ମାଛ ବେଶର ଗ୍ରାହକଙ୍କୁ ଷ୍ଟଲ ମୁହାଁ କରିଛି । ଆଉ ଏପଟେ ଘରକୁ ନୂଆ ନୂଆ ସାମଗ୍ରୀ କିଣିବାରେ ବ୍ୟସ୍ତ ଗୃହିଣୀ । ବିଭିନ୍ନ ରଙ୍ଗର ମାଟି କପଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଜିନିଷ ଉପଲବ୍ଧ ବାଲିଯାତ୍ରା ପଡିଆରେ । କାଶ୍ମୀର ସାଲ୍ ଠାରୁ ଆରମ୍ଭ କରି ଶାଢୀ, ଶୀତବସ୍ତ୍ର ଇତ୍ୟାଦି ଷ୍ଟଲ ବି ରହିଛି । ଆସାମ, ମଣିପୁର ସମେତ ବିଭିନ୍ନ ସ୍ଥାନରୁ ଆସିଛନ୍ତି ବ୍ୟବସାୟୀ ।

ଏପଟେ ଜମୁଛି ଭୁବନେଶ୍ବର ଉପକଣ୍ଠ କୁଆଖାଇ ପଠାରେ ଚାଲିଥିବା ବାଲିଯାତ୍ରା । ବିଭିନ୍ନ ଷ୍ଟଲରେ ଭଳିକି ଭଳି ସାମଗ୍ରୀ । ପିଲାଙ୍କ ଖେଳଣାଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀର ସମ୍ଭାର । ହସ୍ତ ଶିଳ୍ପ ସାମଗ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କତାରେ ତିଆରି ହାତୀ, ଘୋଡା, ହରିଣ, କଳସକୁ କିଣିବା ପାଇଁ ଲୋକଙ୍କ ଭିଡ଼ କହିଲେ ନସରେ । ତାସାଙ୍ଗକୁ ସଂଧ୍ୟା ହେଲେ ଖାଇବା ପିଇବା ଆସର ବେଶ ଜମୁଛି । ଖାଲି ଏତିକି ନୁହେଁ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଭରପୁର ମଜା ଉଠାଉଛନ୍ତି ଦର୍ଶକ ।