• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ । ବଡ କୋଠା କରିଛନ୍ତି, ଦାମୀ ଗାଡି କିଣିଛନ୍ତି । ହେଲେ ଆଜି ହଠାତ୍ ଗାଁର ୬ଜଣଙ୍କ ଘରେ ରେଡ୍ କରିଛି ଇଡି । ସମ୍ପତ୍ତିର ଉତ୍ସ ସହ ଅନଲାଇନ୍ ଗେମ୍ ବାବଦରେ ପଚରାଉଚରା କରିଛନ୍ତି ତଦନ୍ତକାରୀ ଅଧିକାରୀ ।

କୋଟିପତି କରିଦେଲା ଅନଲାଇନ୍ ଗେମ୍ । ରାତାରାତି ହୋଇଗଲେ ଅମାପ ସମ୍ପତ୍ତିର ଅଧିକାରୀ । ସୁନ୍ଦରଗଡ ଜିଲ୍ଲା ବଣାଇର ଗୋଗୁଆ ଗାଁ । ଗାଁ ଭିତରେ ଠିଆ ହୋଇଛି ବିଶାଳକାୟ ଚକାଚକ୍ କୋଠା । ଘର ତ ନୁହେଁ ବଙ୍ଗଳା । ଏଇ କିଛି ଦିନ ଭିତରେ ତିଆରି ହୋଇଛି ।

ହେଲେ ଆଜି ଯେତେବେଳେ ଏହି ଘରେ ପଶ୍ଚିମବଙ୍ଗର ଇଡି ଟିମ୍ ଚଢାଉ କରିଥିଲା, ସାମ୍ନାକୁ ଆସିଥିଲା ଏ ସମ୍ପତ୍ତି ପଛର ସତ । ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି ଗାଁର ୬ ଜଣ ଯୁବକ । ଗାଁ ଲୋକଙ୍କ କହିବା କଥା, ଏମାନଙ୍କ ମଧ୍ୟରୁ କିଛି ଜଣ ପୂର୍ବରୁ ଗାଇ ଚରାଉଥିଲେ, ଏବେ କୋଟିପତି ।

ବଡ କୋଠା କରିଛନ୍ତି, ଦାମୀ ଗାଡି ଚଢୁଛନ୍ତି । ପଶ୍ଚିମବଙ୍ଗର ଇଡି ଟିମ୍ ଆଜି ସୁରକ୍ଷାକର୍ମୀଙ୍କ ସହ ଗାଁର ୬ଟି ଘରେ ଏକକାଳୀନ ରେଡ୍ କରିଥିଲେ । ଗାଁର ଅରୁଣ ସାହୁ, ଆଲୋକ କୁମାର ସାହୁ, ନାରାୟଣ ପ୍ରଧାନ, ବିଜୟ ପ୍ରଧାନ, ଶିଶିର ପ୍ରଧାନଙ୍କ ଘରେ କିଛି ଘଣ୍ଟା ଧରି ଚାଲିଥିଲା ଯାଂଚ୍ ।

ତେବେ ଚଢାଉ ସମୟରେ ଘର ମାଲିକ ନଥିବା ବେଳେ ସେମାନଙ୍କ ପରିବାରକୁ ପଚରାଉଚରା କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏତେ ବଡ ଘର ପାଇଁ ଟଙ୍କା କେଉଁଠୁ ଆସିଲା ? କେତେ ଟଙ୍କା ଖର୍ଚ୍ଚ ହୋଇଛି ? ରୋଜଗାରର ମାଧ୍ୟମ କଣ ? ଅଳ୍ପ ଦିନରେ କୋଟିପତି ବନିଲେ କେମିତି ?

ଏଥିସହ ଘର, ଦାମୀ ଗାଡି ଓ ସମ୍ପତ୍ତିର ଉତ୍ସ ଜାଣିବାକୁ ଚାହିଁଛି ତଦନ୍ତକାରୀ ଟିମ୍ । ତେବେ ଚଢାଉ ବାବଦରେ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରିଦେଇଛନ୍ତି ଇଡି ଅଧିକାରୀ । ଚଢାଉ ହୋଇଥିବା ପରିବାର ସଦସ୍ୟ ବି ଏନେଇ ମୁହଁ ଖୋଲୁନାହାଁନ୍ତି ।

ଏଭଳି ଅନଲାଇନ୍ ଗେମ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । କାରଣ, ଏହି ଗେମ୍ ଖେଳି କୋଟିପତି ହେବା ଅପେକ୍ଷା ତଳିତଳାନ୍ତ ହେବା ସମ୍ଭାବନା ଅଧିକ । ତଥାପି ଅନେକ ସ୍ଥାନରେ ଲୁଚାଛପାରେ ଖେଳ ଚାଲିଛି । ସେପଟେ ଏକ୍ସପର୍ଟ କହିଛନ୍ତି, ଏଭଳି ଅନଲାଇନ୍ ଗେମ୍ ଠାରୁ ଯୁବଗୋଷ୍ଠୀ ଦୂରରେ ରହିବା ଉଚିତ । ବଣାଇର ଏହି ଅନଲାଇନ୍ ଗେମ୍ ନେଟୱର୍କ ଦେବଗଡ଼, ରାଉରକେଲା ଏବଂ ଭୁବନେଶ୍ୱରକୁ ବ୍ୟାପିଥିବା କୁହାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now