Advertisment

ଆବର୍ଜନାରେ ବେହାଲ କୋରାପୁଟ ସହର; ବିପର୍ଯ୍ୟସ୍ତ ପରିମଳ, ହେଲେ ମାସିକ ଟଙ୍କା ଲୁଟି ନେଉଛି ଠିକା ସଂସ୍ଥା...

ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।

author-image
Sujit kumar Swain
ଅଦ୍ୟତନ ହୋଇଛି
Yojanara Na Hariloot

Yojanara Na Hariloot

କୋରାପୁଟ ପୌରପରିଷଦ ଅଞ୍ଚଳକୁ ସଫାସୁତୁରା ରଖିବା ଲାଗି ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହେଲେ ଅଳିଆ ଆବର୍ଜନା ଉପରକୁ କାହାରି ନଜର ନାହିଁ । ଯେଉଁ ଆଡେ ଅନାଇଲେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡ଼େଙ୍ଗୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଉ ଏପଟେ ପରିମଳ ବାବଦକୁ ପ୍ରତିମାସରେ ୩୫ ଲକ୍ଷ ଟଙ୍କା ଉଠାଇ ନେଉଛି ଠିକା ସଂସ୍ଥା। ପୌରପରିଷଦର ମିଲିଭଗତ ସହ ଅପାରଗତା ଯୋଗୁଁ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି।

Advertisment

ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା। ସଫେଇ କାର୍ଯ୍ୟ ସଠିକ ଢଙ୍ଗରେ ହେଉନଥିବାରୁ ଏପରି ଅବସ୍ଥା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। । ସହରର ମୁଖ୍ୟରାସ୍ତା, ସାହି, ଗଳି କନ୍ଦିରେ କୁଢ କୁଢ ଆବର୍ଜନା ପଡିରହୁଛି। ସହର ସଫେଇ ଦାୟିତ୍ବ ଭେଣ୍ଡରଙ୍କ ହାତରେ ଥିବାରୁ ଖର୍ଚ୍ଚ ଲକ୍ଷାଧିକ କିନ୍ତୁ ସଫେଇ ଶୂନ। ଯାହାକୁ ନେଇ କୋରାପୁଟବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। 

ସହରର ମୁଖ୍ୟ ନାଳ କଥା ନକହିବା ଭଲ । ଯେଉଁଠି ନାଳକୁ ଆବୃତ କରି ରଖିଛି ଶହ ଶହ ଲଟା ବୁଦା। ଏହା କେବଳ ବର୍ଷା ଦିନର କଥା ନୁହେଁ, ସବୁବେଳେ ଏପରି ଅବସ୍ଥା ଦେଖିବାକୁ ମିଳେ। ଯେଉଁ ନାଳ ଦେଇ ପାଣି ନିଷ୍କାସିତ ହେଉଛି, ତାଉପରେ ଜଙ୍ଗଲର ଭ୍ରମ ସୃଷ୍ଟି ହୋଇଛି । ତେବେ ବୁଦା ସଫେଇକୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଅନ୍ୟପଟେ ବୁସ୍ କଟିଂ ପାଇଁ ଖର୍ଚ୍ଚ ହେଉଛି ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା। ପ୍ରଶ୍ନ ଉଠିଛି, କେଉଁ କାରଣରୁ ଟଙ୍କା ଖର୍ଚ୍ଚ ପରେ ବି ବୁସ୍‌ କଟିଂ କରୁନାହିଁ ସଂପୃକ୍ତ ସଂସ୍ଥା।

Advertisment

ଅନ୍ୟପଟେ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଲହଡି ମାରୁଛି ପାଣି। ସହରର ମୁଖ୍ୟ ଟ୍ରାଫିକ ଛକ ଏବଂ ମାର୍କେଟ ସହ ଯୋଡି ହୋଇଥିବା ଜାତୀୟ ରାଜପଥରେ ଡ୍ରେନ ଠିକ୍ ଭାବେ ସଫେଇ ହେଉନଥିବାରୁ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଚାଲୁଛି ପାଣି । 

ପୌରପରିଷଦ ପରିବେଶକୁ ସଫେଇ ସହ ସ୍ୱଚ୍ଚ ନିର୍ମଳ ରଖିବା ପାଇଁ ଟେଣ୍ଡର ମାଧ୍ୟମରେ ୨ଟି ସଂସ୍ଥାକୁ ଦିଆଯାଇଛି ଦାୟିତ୍ବ। ଜଣେ ତୁଳସୀପୁର ଅଞ୍ଚଳର ଚନ୍ଦନ ସର୍ଭିସ ହୋଇଥିବା ବେଳେ ଅନ୍ୟ ଜଣେ କଲ୍ୟାଣୀନଗର କଟକର ମଞ୍ଜୁ ସର୍ଭିସେସ । ଚୁକ୍ତିନାମା ଅନୁସାରେ ଏମାନେ ଜମାଦାର, ସଫେଇ କର୍ମଚାରୀ, ଡ୍ରାଇଭର, ମଇଳା ଉଠାଇବା ଗାଡି, ଡ୍ରେନ ସଫେଇ, ବୁସ କଟିଂ, ଘରକୁ ଘର ବୁଲି ମଇଳା ଉଠାଇବା କଥା। ଗୋଟେ ପଟେ ୧ରୁ ୧୪ ନମ୍ବର ଓାର୍ଡ ପାଇଁ ଚନ୍ଦନ ସର୍ଭିସ ମାସିକ ୧୫୯ ଜଣ ଶ୍ରମିକଙ୍କ ନାଁରେ ବିଲ ଉଠାଉଛି ୨୮ ଲକ୍ଷ ୪୭ ହଜାର ୮୨୫ ଟଙ୍କା। ସେପଟେ ଓାର୍ଡ ନମ୍ବର ୧୫ରୁ ୨୧ ପାଇଁ ୩୯ ଲୋକ ରଖି ମଞ୍ଜୁ ସର୍ଭିସ ନେଉଛି ୬ ଲକ୍ଷ ୩୫ ହଜାର ୫୭୦ ଟଙ୍କା ।

ତେବେ ଦୁଇଟି ଯାକ ଟେଣ୍ଡର ଜିଲ୍ଲା ବାହାର ଲୋକ ପାଇଥିବାରୁ କର୍ମଚାରୀ, ଅଧିକାରୀ ଓ ଭେଣ୍ଡରଙ୍କ ଭିତରେ ମଧୁଚନ୍ଦ୍ରିକାରେ ସଫେଇ ହୋଇପାରୁନି ବୋଲି ଅଭିଯୋଗ ଉଠିଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ନେଇ ଅଭିଯୋଗ ଉଠିଛି । ସେପଟେ ସଫେଇ ବ୍ୟବସ୍ଥା ଠିକ୍ ଥିବା କହିଛନ୍ତି ମଞ୍ଜୁ ସର୍ଭିସେସ ଠିକାଦାର, ତେବେ ଚନ୍ଦନ ସର୍ଭିସର ମତାମତ ମିଳିପାରିନାହିଁ।

Koraput News Corruption Corruption In Odisha Cleanliness Yojanara Na Hariloot
Advertisment
Advertisment