Temple Built In Memory: ମନ୍ଦିର ତୋଳି ଉଦାହରଣ ସୃଷ୍ଟି କଲେ ମନୀଷା, ପୂଜା କରୁଛନ୍ତି ସ୍ୱାମୀ ଓ ପୁଅକୁ

ଅନାବିଳ ଭଲ ପାଇବାର ନିଦର୍ଶନ । ଏହି ମନ୍ଦିରରେ କୌଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ, ପୂଜା ପାଆନ୍ତି ପରଲୋକଗତ ଜଣେ ଯବାନ ଓ ତାଙ୍କ ପୁଅ l ମୃତ ଯବାନଙ୍କ ବିଧବା ପତ୍ନୀ ନିଜ ସ୍ବାମୀ ଓ ପୁଅଙ୍କ ସ୍ମୃତି ରକ୍ଷା ପାଇଁ ତିଆରି କରିଛନ୍ତି ଏକ ମନ୍ଦିର । କେବଳ ମନ୍ଦିର ତିଆରି କରିନାହାନ୍ତି ଏହି ମହିଳା ଜଣକ ମନ୍ଦିରର ପୂଜାରିଣୀ ପାଲଟି ଯାଇଛନ୍ତି ।

ଇଏ ମୋର ଦେବତା

ଇଏ ଏମିତି ଏକ ମନ୍ଦିର ଯେଉଁ ମନ୍ଦିରରେ ପ୍ରତିଦିନ ପୂଜା ହୁଏ l କିନ୍ତୁ ମନ୍ଦିରରେ କୌଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ, ପୂଜା ପାଆନ୍ତି ପରଲୋକଗତ ଜଣେ ଯବାନ ଓ ତାଙ୍କ ପୁଅ l ମୃତ ଯବାନଙ୍କ ବିଧବା ପତ୍ନୀ ନିଜ ସ୍ବାମୀ ଓ ପୁଅଙ୍କ ସ୍ମୃତି ରକ୍ଷା ପାଇଁ ତିଆରି କରିଛନ୍ତି ଏକ ମନ୍ଦିର । କେବଳ ମନ୍ଦିର ତିଆରି କରିନାହାନ୍ତି ଏହି ମହିଳା ଜଣକ ମନ୍ଦିରର ପୂଜାରିଣୀ ପାଲଟି ଯାଇଛନ୍ତି । ପ୍ରତିଦିନ ମନ୍ଦିରରେ ପୂଜା କରୁଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ଗାଁର ଏହି ମହିଳା ମନ୍ଦିର ତୋଳି ସ୍ୱାମୀ ଓ ପୁଅଙ୍କୁ ପୂଜା କରିବା ତାଙ୍କ ଭଲ ପାଇବାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।

ଏହି ମହିଳାଙ୍କ ନାଁ ହେଲା ମନୀଷା ନାଏକ । ସେ ପ୍ରତିଦିନ ସ୍ୱାମୀ କମଳ ସିଂହ ପାଟକିନାରାଙ୍କ ପ୍ରତିମୂର୍ତ୍ତିରେ ଲାଗି ଥିବା ଧୂଳିକୁ ପୋଛୁଛନ୍ତି । ପୁଣି ପାଣି ଢ଼ାଳି ତାଙ୍କୁ ଗାଧୋଇ ଦେଉଛନ୍ତି l ଓଦା ଦେହକୁ ଗାମୁଛାରେ ପୋଛି ବି ଦେଉଛନ୍ତି l ନିଜ ପୁଅର ପ୍ରତିମୂର୍ତ୍ତିକୁ ବି ପୋଛୁଛନ୍ତି । ପରେ ସ୍ବାମୀ ଓ ପୁଅକୁ ପୂଜା କରି ଆଶୀର୍ବାଦ ବି ନେଉଛନ୍ତି l ଫୁଲ, ଚାଉଳ, ସିନ୍ଦୂର ଲଗାଇ ପରିବାର ସଦସ୍ୟ ବି ପୂଜା କରୁଛନ୍ତି । ଏହା ଦେଖି ମିଛାପାଲି ଗାଁର ଲୋକେ ବି ପୂଜା କରୁଛନ୍ତି l ୨ ବର୍ଷ ହେବ ଏମିତି ପ୍ରତିଦିନ ମନ୍ଦିରରେ ପୂଜା ପାଉଛନ୍ତି ମନୀଷାଙ୍କ ସ୍ବାମୀ କମଳ ସିଂହ ଓ ପୁଅ ଦୀପକ l ପ୍ରତିଦିନ ନିତ୍ୟକର୍ମ ସେବା ଠାରୁ ରାତ୍ରୀଭୋଜନ ପର୍ଯ୍ୟନ୍ତ ସେବା କରୁଛନ୍ତି ବିଧବା ପତ୍ନୀ ମନୀଷା ନାଏକ l ଏଥିରେ ସେ ପାଉଛନ୍ତି ଆନନ୍ଦ । ତାଙ୍କୁ ଶାନ୍ତି ବି ମିଳୁଛି ବୋଲି କହିଛନ୍ତି ମନୀଷା ।

ଅଧିକ ପଢ଼ନ୍ତୁ: ଗାଁ ପିଲା ଖେଳିବାକୁ ଦାନ କରିଦେଲେ ୫ ଏକର ଜାଗା

ମନୀଷା ବଖାଣିଛନ୍ତି ସେ ଦିନର ଦୁଃଖଭରା କାହାଣୀ । ମାଓ ଦମନ ପାଇଁ ନୂଆପଡା ଜିଲ୍ଲାର ବରକୋଟ ସିଆରପିଏଫ କ୍ୟାମ୍ପକୁ ବଦଳି ହୋଇ ଆସିଥିଲେ ଓଏପିଏଫ ଯବାନ କମଳ ସିଂହ ପାଟକିନାରା l ପ୍ରତିଦିନ ପରି ଘର ମିଛାପାଲି ଗାଁରୁ କାର୍ଯ୍ୟ ସ୍ଥଳକୁ ଯାଉଥିଲେ l ସେ ଦିନ ଥିଲା ଫେବ୍ରୁଆରୀ ମାସ ୧୬ ତାରିଖ, ୨୦୨୩ ମସିହା l ନିଜ ୭ ବର୍ଷର ପୁଅ ଅସୁସ୍ଥ ଥିବାରୁ କମଳଙ୍କ ଭାଇ ନୂଆପଡା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ l ନିଜ ଡ୍ୟୁଟି ଯିବା ବାଟରେ କୁଷଦହନା ଗାଁ ନିକଟରେ ଅସୁସ୍ଥ ପୁଅ ଦୀପକ ଦେଖା ହେଲା l ପୁଅକୁ ଧରି ସେ ରାସ୍ତାକଡ଼ରେ ଥିଲେ l ହଠାତ୍ ଏକ ଟ୍ରକ୍ ଆସି ପିଟିଦେଲା l ଘଟଣାସ୍ଥଳରେ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା l 

ସ୍ୱାମୀ କମଳ ସିଂହ ଓ ପୁଅ ଦୀପକଙ୍କ ସ୍ମୃତି ରକ୍ଷା ପାଇଁ ପତ୍ନୀ ମନୀଷା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତିଆରି କଲେ ଏକ ମନ୍ଦିର l ଆଉ ଦେବାଦେବୀଙ୍କ ମୂର୍ତ୍ତୀ ସ୍ଥାନରେ ସ୍ଥାପନ କଲେ ନିଜ ସ୍ବାମୀ ଓ ପୁଅଙ୍କ ପ୍ରତିମୂର୍ତ୍ତୀ l ଜଣେ ପତ୍ନୀ ନିଜ ମୃତ ସ୍ବାମୀ ଓ ମୃତ ପୁଅଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ଏକ ନିଆରା ଘଟଣା l

ମନ୍ଦିର ନିର୍ମାଣ କରି ନିଜେ ଖରା, ବର୍ଷା ଓ ଶୀତରେ ନିୟମିତ ପୂଜା କରିବା ମଧ୍ୟ ଏକ ବିରଳ ଘଟଣା l ଏଥିରେ ମନୀଷାଙ୍କୁ ତାଙ୍କ ବୃଦ୍ଧ ଶ୍ୱଶୁର ଶ୍ୟାମସୁନ୍ଦର ପାଟକିନାରା ମଧ୍ୟ ବୋହୂଙ୍କୁ ସହାୟତା କରୁଛନ୍ତି l

ଅଧିକ ପଢ଼ନ୍ତୁ: ଚନ୍ଦନଙ୍କ ସଂଘର୍ଷମୟ କାହାଣୀ, ଶୁଣିଲେ କହିବେ ବାଃ ବାଃ