• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଖୋଲିବ କି ବ୍ଲାକରୋଜ ପଛରେ ଥିବା କଳାମୁଖା । ପାରାଦୀପ ସମୁଦ୍ରରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ପଛରେ ଥିବା କେଳେଙ୍କାରୀର ଗୁମର ଖୋଲିବାକୁ ହେବ କି ସିବିଆଇ ତଦନ୍ତ । CBI ତଦନ୍ତ ଦାବି ନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ ଅପିଲ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତତ୍ପର ହୋଇଛନ୍ତି ମୋହନ ସରକାର ।

ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛି ରାଜ୍ୟ ସରକାରଙ୍କ ଗୃହ ବିଭାଗ। ଫଳରେ ପୂର୍ବ ବିଜେଡି ସରକାରରେ ଶିଥିଳ ପଡ଼ିଥିବା ତଦନ୍ତକୁ ଏଥର ଗତି ମିଳିପାରେ ବୋଲି କୁହାଯାଉଛି। ପୂର୍ବ ବିଜେଡି ସରକାରର କିଛି ପ୍ରଭାବଶାଳୀ ନେତା ବ୍ଲାକରୋଜ ଲୁହାପଥର ଚୋରା ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ତମ୍ବିତୋଫାନ ହୋଇଥିଲା।

ଅଧିକ ପଢ଼ନ୍ତୁ: ପୁଣି ଖୋଲିବ ନବ ଦାସ ହତ୍ୟା ମାମଲାର ଫାଇଲ୍

ଘଟଣାର ସିବିଆଇ ତଦନ୍ତ ନେଇ ବାରଂମ୍ବାର ଦାବି ଓ ହାଇକୋର୍ଟରେ ବି ଆବେଦନ ହୋଇଥିଲା । ତେବେ ମାମଲାରେ ଏବେ ମୋହନ ସରକାରଙ୍କ ତତ୍ପରତା ପରେ ଲାଗୁଛି ବ୍ଲାକରୋଜ ଗୁମର ଖୋଲିବାକୁ ପଶିପାରେ ସିବିଆଇ । ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କୁ ଲେଖାଯାଇଥିବା ଚିଠି ପରେ ପୋଲିସ ମୁଖିଆ କଣ ଆକ୍ସନ ନେଉଛନ୍ତି ଓ ରାଜ୍ୟ ସରକାର ସିବିଆଇ ତଦନ୍ତ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । 

ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ଏଯାଏଁ କାହିଁକି ହେଉନି ସିବିଆଇ ତଦନ୍ତ ? ୨୦୨୨ ମସିହାରେ ସୂଚନା ଅଧକାର କର୍ମୀଙ୍କୁ ସବିଆଇ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏହି ଚିଠିରେ ସିବିଆଇ ଲେଖିଛି ଯେ ୨୦୧୮ ମସିହାରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ସବିଆଇକୁ ଚିଠି ଲେଖାଯାଇଥିଲା । ମାମଲାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ସିବିଆଇ ମାମଲାର ତଦନ୍ତ ପାଇଁ ପ୍ରସ୍ତୁତ ହୋଇଥିଲା ।

ତେବେ ମାମଲାର ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ନେଇ ହାଇକୋର୍ଟରେ ଆବେଦନ ଥିବାରୁ ସିବିଆଇ ପକ୍ଷରୁ ହୋଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଏହି ସତ୍ୟପାଠରେ ମାମଲାର ତଦନ୍ତ ପାଇଁ ସିବିଆଇ ସଂପୂର୍ଣ୍ଣ ଇଚ୍ଛୁକ ଓ ପ୍ରସ୍ତୁତ ଥିବା ଦର୍ଶାଯାଇଥିଲା । ଏହାସହ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ସିବିଆଇ ତଦନ୍ତ ସପକ୍ଷରେ ହାଇକୋର୍ଟରେ ଆବେଦନ କରିଥିଲା । 

ତେବେ ମାମଲା ପାରାଦୀପ ମେରାଇନ ଥାନାରେ ରୁଜୁ ହୋଇଥିବା ଓ ଘଟଣାର ତଦନ୍ତ କରି ଓଡ଼ିଶା କ୍ରାଇମବ୍ରାଞ୍ଜ ଚାର୍ଜସିଟ ଦାଖଲ କରିସାରିଥିବା ସିବିଆଇ ଚିଠିରେ ଦର୍ଶାଇଛି । ଏହାପରେ ମାମଲାର ତଦନ୍ତ ହସ୍ତାନ୍ତର କରିବାକୁ ସବିଆଇ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖା ଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ହସ୍ତାନ୍ତର କରାଯାଇନଥିବା ଦର୍ଶାଇଥିଲା ସିବିଆଇ । କୌଣସି ମାମଲାର ତଦନ୍ତ ରାଜ୍ୟ ସରକାର, କେନ୍ଦ୍ର ସରକାର କିମ୍ବା କୋର୍ଟଙ୍କ ନିର୍ଦ୍ଦେଶରେ ହୋଇପାରିବ । ତେବେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ୨୦୨୨ରେ ସିବିଆଇ ଲେଖିଥିବା ଚିଠିରେ ଦର୍ଶାଇଛି । ସେପଟେ ସିବିଆଇ ତଦନ୍ତ ଆବେଦନ ଉପରେ ହାଇକୋର୍ଟରେ ମାମଲା ବିଚାରାଧିନ ରହିଛି । 

୨୦୦୯ ମସିହା ସେପ୍ଟମ୍ବର ୯ ତାରିଖରେ ପାରାଦୀପ ସମୁଦ୍ରରେ ବୁଡ଼ିଯାଇଥିଲା ଏମଭି ବ୍ଲାକରୋଜ ଜାହାଜ । ଏଥିରେ ୨୩ ହଜାର ୮୪୭ ମେଟ୍ରିକ ଟନ ଲୁହାପଥର ଓ ୯୨୦ ମେଟ୍ରିକ ଟନ ଫର୍ନାସ ଅଏଲ ବୋଝେଇ ହୋଇଥିଲା । ଏହି ସାମଗ୍ରୀ ଚୋରାରେ ଚୀନ ଯାଉଥିବା ଅଭିଯୋଗ ହୋଇଥିଲା । ଏହି ଜାହାଜରେ ଥିବା ୨୭ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରୁ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜାହାଜର ଚିଫ ଇଂଜିନିୟର ପ୍ରାଣ ହରାଇଥିଲେ । ଏହି ଜାହାଜ ବେଆଇନ ଲୁହା ପଥର ଚାଲାଣରେ ସଂପୃକ୍ତ ଥିବା ସେତେବେଳେ ବିରୋଧୀ ଅଭିଯୋଗ କରିଥିଲେ । ଏହି ଚାଲାଣ ପଛରେ ବିଜେଡି ନେତା ସଂପକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now