• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାରତରେ ଉଇକିମିଡିଆ ଫାଉଣ୍ଡେସନ୍ ପାଇଁ କାମ କରୁଥିବା ଏନ୍‌ଜିଓ ସଂସ୍ଥା ସିଆଇଏସ୍‌ର ଏଟୁକେ ଦ୍ୱାରା ଚେନ୍ନାଇରେ ଏକ ଦୁଇଦିନିଆ ଉଇକି ଟେକ୍ନିକାଲ୍ କର୍ମଶାଳା ଆୟୋଜିତ ହୋଇଥିଲା । ଯେଉଁଥିରେ ଓଡ଼ିଆ ଉଇକିପଡିଆର ଦୁଇଜଣ ସଦସ୍ୟ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଭାଗ ନେଇ ଉଇକିପିଡିଆ ତଥା ଉଇକି ସମୁଦାୟରେ ବ୍ୟବହାର ହେଉଥିବା ବୈଷୟିକ କୌଶଳ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏଥି ସହିତ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ନିଜର ଜ୍ଞାନ ବାଣ୍ଟିଥିଲେ । ଏହି କର୍ମଶାଳାରେ ଜଣେ ପ୍ରଶିକ୍ଷକ ଭାବରେ ଓଡ଼ିଆ ଉଇକିପିଡିଆର ପରିଚାଳକ ତଥା ଓଡ଼ିଆ ଇଇକିମିଡିଆନ୍ସ ଇଉଜର୍ ଗ୍ରୁପ୍‌ ଓ ଇଣ୍ଡିକ୍ ଉଇକିମିଡିଆ ଏକ୍ସଟେଣ୍ଡେଡ୍ ଗ୍ରୁପ୍‌ର ଅନ୍ୟତମ ସଦସ୍ୟ ଜ୍ଞାନରଞ୍ଜନ ସାହୁ ପ୍ରଶିକ୍ଷକ ଭାବରେ ଯୋଗଦେଇ ଉଇକିପିଡିଆରେ ବ୍ୟବହୃତ ଛାଞ୍ଚ ଓ ସ୍କ୍ରିପ୍ଟ୍‌ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।

୨୦୦୨ ମସିହାରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡିଆ ଉପଲବ୍ଧ ଥିବାବେଳେ ୨୦୧୧ ମସିହାରୁ ସକ୍ରିୟ ଉଇକିଆଳିମାନଙ୍କର ଯୋଗଦାନ ଫଳରେ ଓଡ଼ିଆ ଉଇକିପିଡିଆରେ ଦରକାରୀ ଓ ଉପଯୋଗୀ ତଥ୍ୟ ଉପଲବ୍ଧ ଅଛି, ଯେଉଁଥିରୁ ମାସକୁ ୩ କୋଟିରୁ ଅଧିକ ଲୋକ ଜ୍ଞାନ ଆହରଣ କରୁଛନ୍ତି ।

୨୦୧୬ ମସିହାରୁ ଓଡ଼ିଆ ଉଇକିପିଡିଆରେ ଯୋଗ ଦେଇଥିବା ଚିନ୍ମୟୀ ମିଶ୍ର ପୂର୍ବରୁ ୧୦ରୁ ଅଧିକ ଜାତୀୟ ସ୍ତରୀୟ କର୍ମଶାଳା ତଥା କାର୍ଯ୍ୟକ୍ରମ ଆଦିରେ ଯୋଗ ଦେଇସାରିଥିବାବେଳେ ୪ରୁ ଅଧିକ ଆନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱିଡେନ୍, ସିଙ୍ଗାପୁର, ଜର୍ମାନୀ ଆଦି ଦେଶକୁ ଯାତ୍ରା କରିଛନ୍ତି । ସେ ସଫଳ ଆୟୋଜନକାରୀ ଭାବରେ ୨୦୨୩ ମସିହାର ଅକ୍ଟୋବର ମାସରେ ମୁଖ୍ୟ ଆୟୋଜିକା ଭାବରେ ପ୍ରଥମ ଥର ପାଇଁ ଭାରତରେ ଉଇକି ଓମେନ୍ କ୍ୟାମ୍ପ୍ ଦିଲ୍ଲୀଠାରେ ଆୟୋଜନ କରିଥିଲେ ।

ସେହିଭଳି ୨୦୧୪ ମସିହାରୁ ଉଇକି ସମୁଦାୟରେ ସକ୍ରିୟ ଥିବା ସଂଗ୍ରାମ ସାଢ଼େ ୫ ଲକ୍ଷରୁ ଅଧିକ ସମ୍ପାଦନା କରିବା ସହିତ ଓଡ଼ିଆ ଉଇକିପିଡିଆରେ ୩,୦୦୦ରୁ ଅଧିକ ପ୍ରସଙ୍ଗ ଲେଖିଛନ୍ତି ଏବଂ ୧୫ରୁ ଅଧିକ ଜାତୀୟ ସ୍ତରୀୟ କର୍ମଶାଳା ତଥା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୨୦୧୭ ମସିହାରୁ ସବୁଦିନ ଅତିକମରେ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିବାରେ ୩ୟ ଉଇକିଆଳି ଭାବରେ ବିଶ୍ୱସ୍ତରରେ ସେ ପରିଚିତ । ଜଣେ ସଫଳ ଆୟୋଜନକାରୀ ଭାବରେ, ସେ ଓଡ଼ିଆ ଉଇକିପିଡ଼ିଆରେ ୩୦ରୁ ଅଧିକ ଗଣ-ସମ୍ପାଦନା ଆୟୋଜନ କରିଛନ୍ତି, ଯେଉଁଥିରେ ଓଡ଼ିଆ ବ୍ୟତୀତ ଅନ୍ୟ ଭାଷାର ଉଇକିଆଳିମାନେ ମଧ୍ୟ ଯୋଗ ଦେଇଛନ୍ତି ।

ଓଡ଼ିଆ ଉଇକିପିଡିଆରୁ ଆଗକୁ ବଢ଼େଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟଜଣେ ସଫଳ ଉଇକିଆଳି ତଥା ପରିଚାଳକ ହେଉଛନ୍ତି ଜ୍ଞାନ ରଞ୍ଜନ ସାହୁ, ଯିଏକି ୨୦୧୧ ମସିହାରୁ ଓଡ଼ିଆ ଉଇକିପିଡିଆରେ ସକ୍ରିୟ ଅଛନ୍ତି । ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଦକ୍ଷ ଥିବା ଜ୍ଞାନ ୨୦ରୁ ଅଧିକ ଜାତୀୟ ସ୍ତରର କର୍ମଶାଳ ତଥା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଇଟାଲୀ ଆଦି ଦେଶକୁ ଯାତ୍ରା କରିଛନ୍ତି ।

ଏହି କର୍ମଶାଳାରେ ମିଳିଥିବା ପ୍ରଶିକ୍ଷଣ ଜରିଆରେ ଓଡ଼ିଆ ଉଇକିପିଡିଆରେ ଆଗକୁ ଅଧିକ ଯୋଗଦାନ ବଢ଼ିବା ସହିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ, ଅଳ୍ପ ସମୟରେ, ଅଧିକ ଓ ଆବଶ୍ୟକୀୟ ତଥ୍ୟ ଯୋଡ଼ାଯାଇପାରିବ, ଯାହାକି ଓଡ଼ିଆ ଉଇକିପିଡିଆରୁ ସମୃଦ୍ଧଶାଳୀ କରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now