/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726120009.jpg)
Subhadra Yojana
‘ସୁଭଦ୍ରା’ ପାଇଁ ଅଭାବନୀୟ ଘଟଣା । ଏବେ ପ୍ରତିଦିନି ‘ସୁଭଦ୍ରା’ ଯୋଜନାକୁ ନେଇ କିଛି ନା କିଛି କାଣ୍ତ ଘଟୁଛି । କେଉଁଠି ଫର୍ମ ବଣ୍ଟାକୁ ନେଇ ଗଣ୍ତଗୋଳ ହେଲାଣି ତ କେଉଁଠି ଦରଖାସ୍ତ ପାଇଁ ଅର୍ଥ ଦାବି କରି ଗିରଫ ହେଲେଣି । ତେବେ ଏଠିକାର ଘଟଣା ଟିକେ ଭିନ୍ନ । ଏଠି ‘ସୁଭଦ୍ରା’ ଯୋଜନା ପାଇଁ ବନ୍ଧା ପଡ଼ିଛି ପତ୍ନୀର ସୁନା ।
ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍ କିଣିଛନ୍ତି । ମୋବାଇଲ୍ ନ ଥିଲେ ଆଧାର କାର୍ଡ ସହିତ ଫୋନ୍ ନମ୍ବର ସଂଯୋଗ ହୋଇପାରିବନି ଓ ସେ ଏହି ଯୋଜନାର ଲାଭ ପାଇପାରିବେନି ବୋଲି ତାଙ୍କୁ କୁହାଯିବାରୁ ସେ ଏପରି କରିଥିବା କହିଛନ୍ତି।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ‘ସୁଭଦ୍ରା’ ଦରଖାସ୍ତ ପାଇଁ ଅର୍ଥ ଦାବି; ଗିରଫ ହେଲେ ୨ ଜନସେବା କେନ୍ଦ୍ର କର୍ମଚାରୀ...
ଏହାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏହି ଆଦିବାସୀ ବ୍ୟକ୍ତିଜଣକ ମୋବାଇଲ କିଣିବା ପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍ କିଣିବା ଲାଗି ଯାଇଥିଲେ। ସେଠାରେ ସେ ଘଟଣାକ୍ରମ କହିବା ପରେ ଦୋକାନୀ ଜଣକ ତାଜୁବ୍ ହୋଇଯାଇଥିଲେ। ବର୍ତ୍ତମାନ କାମଦାମ ନଥିବା ବେଳେ କୁଲିକାମ କରିବାକୁ ମଧ୍ୟ ଯାଇ ହେଉନାହିଁ। ତେଣୁ ‘ସୁଭଦ୍ରା’ ଯୋଜନାରେ କିଛି ଲାଭ ପାଇବା ପାଇଁ ସେ ସୁନା ବନ୍ଧା ପକାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ଏପଟେ ମହଙ୍ଗା ପଡ଼ିଛି ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଅର୍ଥ ଦାବି। ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବା ବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ। ଉଭୟେ ନିଳାଦ୍ରିବିହାର ଏବଂ ସତ୍ୟନଗରସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡ଼ିଛି।
ତେବେ ବିଏମସି କମିଶନର କହିଛନ୍ତି, ଶେଷ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଫର୍ମ ଯୋଗାଇ ଦିଆଯିବ। ଏଥିପାଇଁ ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା କୌଣସି ଭ୍ରମରେ ପଡନ୍ତୁ ନାହିଁ। କୌଣସି ଅଭିଯୋଗ କିମ୍ବା ସନ୍ଦେହ ଥିଲେ ୧୪୬୭୮ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)