Advertisment

Olive Ridley: ଗହୀରମଥାରୁ ମୁହଁ ମୋଡ଼ିଲେଣି ଅଲିଭରିଡଲେ

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ ।

author-image
Saroj Kumar Jena
undefined

olive ridley

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭ ରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ । ସେପଟେ ବନ ବିଭାଗ କହିଛି ଅପେକ୍ଷା କରିଛୁ, ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ସମୁହ ଅଣ୍ଡାଦାନ।
ଫେବ୍ରୁଆରୀ ଦ୍ବିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିରଳ ଅଲିଭରିଡଲେ କେନ୍ଦ୍ରାପଡ଼ାର ଗହୀରମଥାରେ ଅଣ୍ଡାଦାନ କରନ୍ତି। ହେଲେ ଏବର୍ଷର ବ୍ୟତିକ୍ରମ କେବଳ ପରିବେଶପ୍ରେମୀ ନୁହଁନ୍ତି ବରଂ ସମସ୍ତଙ୍କୁ ବ୍ୟଥିତ ଓ ଚକିତ କରିଛି । କାହିଁକି ଏଥର ଗହୀରମଥା ଆସିନାହାନ୍ତି ଅଲିଭରିଡଲେ? କଣ ଏହା ପଛର କାରଣ ? ପରିବେଶବିତଙ୍କ ମତ ଏହା ପଛରେ ରହିଛି ପ୍ରାକୃତିକ ଓ ମନୁଷ୍ୟକୃତ କାରଣ। ସାମୁଦ୍ରିକ ଉଚ୍ଚ ଜୁଆର ଯୋଗୁ କୂଳ ଖାଇଯାଇଛି। ତେଣୁ ଅଣ୍ଡାଦାନ ପାଇଁ ଆଉ ସୁରକ୍ଷିତ ମଣୁନାହାନ୍ତି କଇଁଛ। ଜଳବାୟୁ ପରିବର୍ତ୍ତନ ଯୋଗୁ କଇଁଛ ଏବେ ଦକ୍ଷିଣ ମୁହାଁ। ଗହୀରମଥା ଉପକୂଳ ଦୂଷିତ ହେବା, ବାଲିପଠା ଜଳମଗ୍ନ ହେବା ଓ ନିଷିଦ୍ଧାଞ୍ଚଳରେ ଅବାଧ ମାଛ ଧରା ଏହା ପଛର କାରଣ ହୋଇଥାଇପାରେ।
ଗଂଜାମ ଋଷିକୂଲ୍ୟା ମୁହାଁଣରେ ଗତମାସ ୧୬ରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୭ ଲକ୍ଷ ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। ଯାହା ଓଡ଼ିଶା ଉପକୂଳ ପାଇଁ ରେକର୍ଡ। ବିଶ୍ବର ପ୍ରାୟ ୫୦ ପ୍ରତିଶତ ଅଲିଭରିଡଲେ ପ୍ରଜାତିର କଇଁଛ ଗହୀରମଥାରେ ଅଣ୍ଡାଦାନ କରିଥାନ୍ତି । ତେବେ ଏଥର ନଆସିବା ନେଇ ବନ ବିଭାଗ କହିଛି ୮ରୁ ୧୦ ଦିନ ଭିତରେ ଅଲିଭରିଡଲେ ଗହୀରମଥା ଆସିପାରନ୍ତି। ଗତବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ଅଣ୍ଡାଦାନ ହୋଇଥିବାରୁ ଏଥର ବି ସେହି ସମୟରେ ହୋଇପାରେ ବୋଲି ଆଶା ରଖିଛି ବନ ବିଭାଗ । 
୧୯୭୫ ମସିହାରେ ଗହୀରମଥାରେ ପ୍ରଥମେ ଅଣ୍ଡା ଦେଇଥିଲେ ଅଲିଭରିଡଲେ । ୧୯୯୭ ମସିହା ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ । ଏହାପରଠାରୁ ଗହୀରମଥା ସମୁଦ୍ର ଉପକୂଳ ଠାରୁ ୨୦ କିଲୋମିଟର ଯାଏଁ ଟ୍ରଲରରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ତଥାପି ଗତ ୪ ବର୍ଷର ରେକର୍ଡ ଦେଖିଲେ ଗହୀରମଥା ଅପେକ୍ଷା ଅଲିଭରିଡଲେ ଋଷିକୂଲ୍ୟା ମୁହାଁଣକୁ ଅଧିକ ପସନ୍ଦ କରୁଛନ୍ତି | ତଥ୍ୟ ଅନୁୟାୟୀ ୨୦୨୨-୨୩ରେ ଗହୀରମଥାରେ ୫ ଲକ୍ଷ ଓ ୨୦୨୩-୨୪ରେ ୩ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ।

Advertisment
Olive Ridley Turtles
Advertisment
Advertisment